ଆଜିଠୁ ବିଧାନସଭାର ବଜେଟ ଅଧିବେଶନ, ୨୪ରେ ଆସିବ ବଜେଟ | News Room Odisha

ଆଜିଠୁ ବିଧାନସଭାର ବଜେଟ ଅଧିବେଶନ, ୨୪ରେ ଆସିବ ବଜେଟ

ଭୁବନେଶ୍ୱର – ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ଚାଲିବାକୁ ଥିବା ଏହି ଅଧିବେଶନ ଏପ୍ରିଲ ୬ ତାରିଖ ଯାଏଁ ଚାଲିବ। ପ୍ରଥମ ପର୍ଯ୍ୟାୟରେ ଅଧିବେଶନ ମାର୍ଚ୍ଚ ୧ ତାରିଖ ଯାଏଁ ହେବ। ଦ୍ବିତୀୟ ପର୍ଯ୍ୟାୟ ୧୦ ତାରିଖରୁ ଆରମ୍ଭ ହେବ। ଅଧିବେଶନରେ ମୋଟ ୨୭ଟି କାର୍ଯ୍ୟଦିବସ ରହିଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣ ସହ ଆରମ୍ଭ ହେବ ବଜେଟ ଅଧିବେଶନ। ୨୪ ତାରିଖରେ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ୨୦୨୪ ନିର୍ବାଚନ ପୂର୍ବରୁ ନବୀନ ସରକାରର ଏହା ହେବ ‌ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌।

ଅଧିବେଶନରେ ଗୃହ କାର୍ଯ୍ୟ ବିଧାନସଭା କିଭଳି ସୁରୁଖୁରୁରେ ଚାଲିବ, ସେ ନେଇ ଗତକାଲି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା ।

ବିଧାନସଭା ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୋଲିସ ଡିଜି ସୁନୀଲ ବଂଶଲ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ବଜେଟ୍‌ ଅଧିବେଶନ ବେଳେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।

୧୦ ଅତିରିକ୍ତ ଡିସିପି, ୧୧ ଏସିପି, ୧୩ ଆଇଇସି ମୁତୟନ ହେବେ । ୮୫ ଜଣ ଅଫିସର, ୨୦୦ କନଷ୍ଟେବଳ ମଧ୍ୟ ଅଧିବେଶନ କାଳରେ ମୁତୟନ ହେବେ ।