ବ୍ରହ୍ମପୁର ବୁଢି ଠାକୁରାଣୀ ଯାତ୍ରା ପ୍ରସ୍ତୁତି ଆରମ୍ଭ | News Room Odisha

ବ୍ରହ୍ମପୁର ବୁଢି ଠାକୁରାଣୀ ଯାତ୍ରା ପ୍ରସ୍ତୁତି ଆରମ୍ଭ

ବ୍ରହ୍ମପୁର: ହଜାର ହଜାର ଭକ୍ତଙ୍କ ବିଶ୍ବାସର ପ୍ରତୀକ, ରେଶମ ସହରର ଆରାଧ୍ୟା ଦେବୀ ମା’ ବୁଢି ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ଆଉ କିଛି ଦିନ ପରେ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଯାତ୍ରା ପାଇଁ କେବେ ଶୁଭଖୁଣ୍ଟି ସ୍ଥାପନ କରାଯିବ ସେହି ତାରିଖ ଖୁବ ଶୀଘ୍ର ଧାର୍ଯ୍ୟ କରିବେ ସିଦ୍ଧାନ୍ତି। ଆଉ ତା ପରେ ତ୍ବରାନ୍ବିତ ହେବ ଠାକୁରାଣୀ ଯାତ୍ରା ପ୍ରସ୍ତୁତି ପର୍ବ। ପରମ୍ପରା ମୁତାବକ ଯାତ୍ରା ଆୟୋଜକ ଦେଶୀବେହେରା ପି.ଦୁର୍ଗାପ୍ରସାଦ ଅଞ୍ଚଳବାସୀଙ୍କ ସହ ମିଶି ଶିବରାତ୍ରି ପରେ ପରେ କୈାଣସି ଏକ ଶୁଭ ଦିନରେ ଚନ୍ଦ୍ରଶେଖର ଦେଉଳ ସାହିକୁ ଯାଇ ସିଦ୍ଧାନ୍ତି ଭି.ବାସୁଦେବ ଶାସ୍ତ୍ରୀଙ୍କୁ ଭେଟି ପ୍ରଥମେ ଶୁଭଖୁଣ୍ଟି ସ୍ଥାପନ ତିଥି ସ୍ଥିର କରିଥାନ୍ତି। ଶୁଭଖୁଣ୍ଟି ସ୍ଥାପନ ଦିନ ଯାତ୍ରା ଅବଧି ଧାର୍ଯ୍ୟ କରାଯାଇଥାଏ। ଏବେ ମାର୍ଚ୍ଚ ଶେଷ ସପ୍ତାହ କିମ୍ବା ଏପ୍ରିଲ୍ ପ୍ରଥମ ସପ୍ତାହରୁ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି।

ଠାକୁରାଣୀ ଯାତ୍ରା ତାରିଖ ନିଶ୍ଚିତ ହେବା ପରେ ନିର୍ଦ୍ଧାରିତ ରାତିରେ ବୁଢି ଠାକୁରାଣୀଙ୍କ ବାପା କୁହାଯାଉଥିବା ଦେଶୀବେହେରା ଦୁର୍ଗାପ୍ରସାଦ ସପତ୍ନୀକ ଭକ୍ତଜନ ଓ ସ୍ଥାନୀୟ ଲୋକଙ୍କୁ ନେଇ ପଟୁଆରରେ ଦେବୀଙ୍କ ସ୍ଥାୟୀ ପୀଠକୁ ଯାଇ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ନିମନ୍ତ୍ରଣ ସହ ମା’ଙ୍କୁ ନିଜ ଘରରେ ହୋଇଥିବା ଅସ୍ଥାୟୀ ମନ୍ଦିରକୁ ପାଛୋଟି ଆଣିଥାନ୍ତି। ଆଜ୍ଞାମାଳ ପ୍ରଦାନ ପୂର୍ବକ ଦେବୀ ଠାକୁରାଣୀ ଶାଶୂ ଘରୁ ବାପ ଘରକୁ ବୁଲି ଆସିଥାନ୍ତି। ଭକ୍ତଜନଙ୍କ ପୂଜାର୍ଚ୍ଚନା ଗ୍ରହଣ କରି ସେମାନଙ୍କୁ ଦର୍ଶନ ଦେଇ ମନୋସ୍କାମନା ପୂରଣ କରିଥାନ୍ତି ବୋଲି ଶ୍ରଦ୍ଧାଳୁମାନେ ବିଶ୍ୱାସ କରନ୍ତି।

ବିଗତ ବର୍ଷ ମହାମାରୀ କୋଭିଡ୍ ମା’ଙ୍କ ଯାତ୍ରାକୁ ବେଶ୍ ପ୍ରଭାବିତ କରିଥିଲା। କଟକଣା ମଧ୍ୟରେ ମାତ୍ର ୧୧ ଦିନ ପାଇଁ ଯାତ୍ରା ଆୟୋଜନ ସକାଶେ ଅନୁମତି ଦେଇଥିଲା ପ୍ରଶାସନ। କିନ୍ତୁ ଯାତ୍ରାରମ୍ଭର ମାତ୍ର ତିନି ଦିନ ପରେ ପୂଜକଙ୍କ ସମେତ କିଛି ଭକ୍ତ ଓ ଆୟୋଜକ କୋଭିଡ୍ ସଂକ୍ରମିତ ହେବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଥିଲା। ୧୧ ଦିନ ପରେ ଦେବୀ ବିନା ପଟୁଆରରେ ସ୍ବମନ୍ଦିରକୁ ଲେଉଟାଣି କରିଥିଲେ। ତେବେ ଏଥର ତିନିରୁ ଚାରି ସପ୍ତାହ ପାଇଁ ଯାତ୍ରା ଆୟୋଜନ ସକାଶେ ପ୍ରଶାସନର ଅନୁମତି ଲୋଡ଼ିବେ ଆୟୋଜକ। ଦିନ ଗଡିବା ସହ ପ୍ରସ୍ତୁତି ପର୍ବ ତ୍ବରାନ୍ବିତ ହେବ।