ସ୍ମାରକୀ ବଖାଣିବ ସଂଗ୍ରାମୀଙ୍କ ବୀରତ୍ବ | News Room Odisha

ସ୍ମାରକୀ ବଖାଣିବ ସଂଗ୍ରାମୀଙ୍କ ବୀରତ୍ବ

ଜନସାଧାରଣଙ୍କୁ ବୀର ସହିଦଙ୍କ ଇତିହାସ ସମ୍ପର୍କରେ ଅବଗତ କରାଇବ : ଅଧ୍ୟକ୍ଷ

ବରଗଡ଼: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଆଜି ବରଗଡ଼ ଜିଲ୍ଲା ଗସ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ ବାରବଖରା ଜଳ ପ୍ରପାତ ଓ ଗୁମ୍ଫା ନିକଟରେ ସ୍ବାଧୀନତା ସଂଗ୍ରାମୀ ଶହୀଦ ବୀର ସୁରେନ୍ଦ୍ର ସାଏଙ୍କ ସ୍ମାରକୀର ଉଦଘାଟନ କରିଥିଲେ । ପ୍ରକୃତିକ ସୌନ୍ଦର୍ଯରେ ଭରା ବାରବଖରା ଠାରେ ନିର୍ମିତ ଏହି ସ୍ମାରକୀ ଓଡିଶାର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ସହିତ ବୀର ସୁରେନ୍ଦ୍ର ସାଏଙ୍କ ବୀର ଗାଥାର ଇତିହାସ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ସ୍ବୟଂ ସହାୟକ ଗୋଷ୍ଠୀର ମା ମାନଙ୍କ ଦ୍ବାରା ଏହାର ରକ୍ଷଣାବେକ୍ଷଣ ହେବା ସହିତ ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ଭୋଜନାଳୟ ଓ ଶୌଚାଳୟର ପରିଚାଳନା ମଧ୍ୟ ସେମାନେ କରିବେ । ଏହା ଦ୍ବାରା ଏ ଅଞ୍ଚଳର ଲୋକମାନଙ୍କ ପାଇଁ ପର୍ଯ୍ୟଟନ ସମ୍ପର୍କିତ ଅର୍ଥନୀତିର ବିକାଶ ହେବ ବୋଲି ଶ୍ରୀ ତ୍ରିପାଠୀ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ।

ଏହି ବୈଠକରେ ଜିଲ୍ଲାପାଳ , ମୋନିଷା ବାନାର୍ଜୀ , ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅଂଶୁପ୍ରଜ୍ଞା ଦାଶ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ , ଜନ ପ୍ରତିନିଧି ମଞ୍ଚାସୀନ ଥିଲେ । କମ ସମୟ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ ଥିବାରୁ ଶ୍ରୀ ତ୍ରିପାଠୀ ଜିଲ୍ଲାପାଳ ଓ ଡ଼ିଏଫଓ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ମାରକୀ ନିର୍ମାଣ କରିବା ପାଇଁ ଦାୟିତ୍ବ ନେଇଥିବା ସ୍ଥାପତ୍ୟ ଶିଳ୍ପୀ ଅମୂଲ୍ୟ ଭୋଇ , ଐତିହାସିକ ଦୀପକ ପଣ୍ଡା ଓ ବୈଷ୍ଣବ ଭୋଇଙ୍କୁ ଏହି ଅବସରରେ ସମ୍ମାନିତ କରଯାଇଥିଲା । ଉତ୍ସବରେ ୫ ଟି ପଞ୍ଚାୟତର ଜନସାଧାରଣ ଯୋଗ ଦେଇଥିଲେ ।