ସ୍ବାସ୍ଥ୍ୟସେବା ଅନୁଷ୍ଠାନରେ ଭିତ୍ତିଭୂମି ବିକାଶ ନିମନ୍ତେ ୧୦୬୨ କୋଟି ଟଙ୍କାର ବାର୍ଷିକ କାର୍ଯ୍ୟ - ଯୋଜନା ଅନୁମୋଦନ | News Room Odisha

ସ୍ବାସ୍ଥ୍ୟସେବା ଅନୁଷ୍ଠାନରେ ଭିତ୍ତିଭୂମି ବିକାଶ ନିମନ୍ତେ ୧୦୬୨ କୋଟି ଟଙ୍କାର ବାର୍ଷିକ କାର୍ଯ୍ୟ – ଯୋଜନା ଅନୁମୋଦନ

ଅଗ୍ରାଧିକାର ଭିତ୍ତିରେ ରୋଗୀ କୈନ୍ଦ୍ରିକ ସୁବିଧା ବିକାଶ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ବର: ସାର୍ବଜନୀନ ଗୁଣାତ୍ମକ ସ୍ବାସ୍ଥ୍ୟ ସେବାର ବିକାଶ ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ବରୂପ ରାଜ୍ୟ ସରକାର ୧୦୬୨.୧୦ କୋଟି ଟଙ୍କାର ବାର୍ଷିକ କାର୍ଯ୍ୟ – ଯୋଜନା ଅନୁମୋଦନ କରିଛନ୍ତି । ଏହି ଅର୍ଥ ବିନିଯୋଗରେ ରୋଗୀ କୈନ୍ଦ୍ରିକ ସୁବିଧା ଗୁଡ଼ିକୁ ଅଗ୍ରାଧ୍ୟାକାର ଭିଭିରେ ସମୟାନୁବନ୍ଧିତ ଭାବେ ପୁର୍ଣ୍ଣାଙ୍ଗ କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଅର୍ଥମନ୍ତ୍ରୀ ଶ୍ରୀ ନିରଞନ ପୁଜାରୀ ବିଭାଗଙ୍କୁ ନିର୍ଦେଶ ଦେଇଛନ୍ତି । କାର୍ଯ୍ୟ ଯୋଜନା ବିଷୟରେ ସୂଚନା ଦେଇ ବିଭାଗୀୟ ଶମସନ ସଚିବ ଶାଳିନୀ ପଣ୍ଡିତ୍ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ ମାଧ୍ୟମରେ ଷ୍ଟେଟ୍ ସେକ୍ଟର୍ ଯୋଜନାରୁ ଏହି ଅର୍ଥ ଦିଆଯାଇଛି । ଏଥିରେ ବିଭିନ୍ନ ଜିଲ୍ଲା , ଉପଖଣ୍ଡ , ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର , କମ୍ୟୁନିଟି ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ହେଲଥ୍ ସବ୍ – ସେଣ୍ଟର ମାନଙ୍କରେ ଭିତ୍ତଭୂମିର ବିକାଶ କରାଯିବ । ଏଥିପାଇଁ ବିସ୍ତୃତ ପ୍ରକଳ୍ପ ପ୍ରସ୍ତାବର ପ୍ରଶାସନିକ ଅନୁମୋଦନ ନିମନ୍ତେ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ସ୍ବାସ୍ଥ୍ୟ ସେବା , ଭେଷଜ ଶିକ୍ଷା ଓ ତାଲିମ , ଆୟୁଷ୍ , ଡ୍ରଗସ୍ କଣ୍ଟ୍ରୋଲ୍‌ , ନସିଂ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦେଶକମାନଙ୍କୁ କୁହାଯାଇଛି । ବିସ୍ତୃତ ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତୁତ କଲାବେଳେ ବିନିଯୋଗ ହେଉଥିବା ଅର୍ଥର ରୋଗୀ ସେବା ପାଇଁ ସର୍ବାଧୂକ ଉପଯୋଗିତା ଉପରେ ଲକ୍ଷ୍ୟ ଦେବାପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି । ଅନୁମୋଦିତ କାର୍ଯ୍ୟ ଯୋଜନା ଭିତରେ ମୁଖ୍ୟତଃ ୯ ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅତିରିକ୍ତ ସୁବିଧା ସୃଷ୍ଟି , ୬ ଟି ନୂଆ ଉପଖଣ୍ଡ ସ୍ତରୀୟ ହସ୍ପିଟାଲ୍ ନିର୍ମାଣ , ୬୦ ଟି କମ୍ୟୁନିଟି ହେଲଥ୍ ସେଣ୍ଟର ଘର ନିର୍ମାଣ , ୪୭ ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସହ ଷ୍ଟାଫ୍ କ୍ବାଟର୍ ନିର୍ମାଣ , ତୃଣମୂଳ ସ୍ତରରେ ୪୦ ଟି ହେଲଥ୍ ସବ୍ – ସେଣ୍ଟର ନିର୍ମାଣ , ୫ ଟି ପ୍ରାଥମିକ ଓ କମ୍ୟୁନିଟି ହେଲଥ୍ ସେଣ୍ଟରର ପାହ୍ୟାବୃଦ୍ଧି , ୬୯୬ ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ସବ୍ ସେଣ୍ଟରରେ ରୋଗୀମାନଙ୍କୁ ପାଇଁ ଅଧିକ ସୁବିଧା ସୃଷ୍ଟି ଏବଂ ଆବାସିକ ଓ ଅଣ – ଆବାସିକ ଆୟୁଷକେନ୍ଦ୍ରର ବିକାଶ ଆଦି ପ୍ରକଳ୍ପମାନ ରହିଛି ।

ପ୍ରାପ୍ତ ସୂଚନାରୁ ଜଣପଡ଼ିଛି , ବରଗଡ଼ , ଝାରସୁଗୁଡ଼ା , ମାଲକାନାଗିରି , ବାରିପଦା , ନୟାଗଡ଼ ଏବଂ ସୁନ୍ଦରଗଡ଼ ଆଦି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଧିକ ସୁବିଧା ସୁଯୋଗ ସୃଷ୍ଟି କରାଯିବ । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ , ନବରଙ୍ଗପୁରର ଉମରକୋଟ , ମାଲକାନାଗିରିର ମାଥ୍‌ଲି ଓ ଚିତ୍ରକୋଣ୍ଡା , ନୂଆପଡ଼ାର ଖରିଆର , ଏବଂ ଗଞ୍ଜାମ ଜିଲ୍ଲାର ଆସ୍କା ଠାରେ ନୂଆ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ନିର୍ମାଣ କରାଯିବ ।