ବାମରାରେ ପୁଣି ରେଳରୋକୋ, ବ୍ୟାପକ ହିଂସା, ରହିବ ୧୧ ଟ୍ରେନ  | News Room Odisha

ବାମରାରେ ପୁଣି ରେଳରୋକୋ, ବ୍ୟାପକ ହିଂସା, ରହିବ ୧୧ ଟ୍ରେନ 

ସମ୍ବଲପୁର : ବାମରାରେ ପୁଣି ରେଳରୋକକୁ ନେଇ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଗତକାଲି 10 ଘଣ୍ଟା ରେଳରୋକ ପରେ ଟ୍ରେନ ରହଣୀ ପାଇଁ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଆଜି ସକାଳୁ ଟ୍ରେନ ନ ରହିବାକୁ ନେଇ ପୁଣି ଆନ୍ଦୋଳନ ତେଜିଥିଲା। ଷ୍ଟେସନରେ ଭଙ୍ଗାରୁଜାରୁ ଆରମ୍ଭ କରି ପୁଲିସ ସହ ଖଣ୍ଡଯୁଦ୍ଧ ଯାଏ କଥା ଯାଇଥିଲା। ଆରପିଏଫ ପୁଲିସର ଲାଠି ମାଡରେ 6 ଆନ୍ଦୋଳନକାରୀ ଆହତ ହୋଇଥିବା ବେଳେ ଆନ୍ଦୋଳନକାରୀଙ୍କ ଟେକା ମାଡରେ 4 ଜଣ ପୁଲିସ ଆହତ ହୋଇଛନ୍ତି। ତେବେ, ଚକ୍ରଧରପୁର ଡିଆରଏମ 4ଟି ଟ୍ରେନର ରହଣୀ ନେଇ ଘୋଷଣା କରିଛନ୍ତି।

କରୋନା ପୂର୍ବରୁ ବାମରାରେ 16ଟି ଟ୍ରେନ ରହୁଥିଲା। ହେଲେ କରୋନା ପରେ ତାହା 7କୁ ଖସି ଆସିଥିଲା। ବାରମ୍ବାର ଲୋକଙ୍କ ଆନ୍ଦୋଳନ ପରେ ନିକଟରେ 4ଟି ଟ୍ରେନ ରହଣୀ ହେଉଥିବା ବେଳେ 11ଟି ଟ୍ରେନର ରହଣୀ ନେଇ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନଥିଲେ। ଏଭଳି ସ୍ଥିତିରେ ପୂର୍ବରୁ ବାରମ୍ବାର ପ୍ରତିଶ୍ରୁତି ପରେ କୌଣସି ସୁଫଳ ନ ମିଳିବାରୁ ଗତକାଲି ବାମରା ରେଳ କ୍ରିୟାନୁଷ୍ଠାନ କମିଟି 10 ଘଣ୍ଟା ଧରି ରେଳରୋକ କରିଥିଲା। ଏହି ସମୟରେ ରେଳ କର୍ତ୍ତୃପକ୍ଷ ସନ୍ଧ୍ୟାରେ ପ୍ରତିଶ୍ରୁତି ଦେବା ପରେ ତାହା ପ୍ରତ୍ୟାହୃତ ହୋଇଥିଲା। ହେଲେ ଆଜି ସକାଳୁ ପୁଣି ଟ୍ରେନ ନ ରହିବାକୁ ନେଇ ଲୋକେ ତାତିଥିଲେ। ପୁଣି ରେଳ ରୋକ କରିବା ସହିତ ରେଳଧାରଣାରେ ବସି ରହିଥିଲେ। ଯଦ୍ବାରା ଉଭୟ ପଟରେ ପ୍ରାୟ 20ରୁ ଉର୍ଦ୍ଧ୍ବ ଟ୍ରେନ ଅଟକି ରହିଥିଲା। ଏଭଳି ସ୍ଥିତିରେ ଚକ୍ରଧରପୁର ଡିଆରଏମ ଆସି ପ୍ରତିଶ୍ରୁତି ଦେଇଥିଲେ ହେଁ ଲିଖିତ ପ୍ରତିଶ୍ରୁତି ଦାବିରେ ଲୋକେ ଅଡି ବସିଥିଲେ। ଫଳରେ ଆରପିଏଫ୍ ପୁଲିସ ଲାଠି ମାଡ କରିଥିବା ବେଳେ ଆନ୍ଦୋଳନକାରୀ ପୁଲିସ ଉପରକୁ ଟେକା ମାଡ କରିଥିଲେ। ଏଥିରେ 6 ଆନ୍ଦୋଳନକାରୀ ଏବଂ 4 ପୁଲିସ ସମେତ 10 ଜଣ ଆହତ ହୋଇଛନ୍ତି। ତେବେ, ସନ୍ଧ୍ୟାରେ ଉଭୟ ଦକ୍ଷିଣ ପୂର୍ବ ଏବଂ ପୂର୍ବତଟ ରେଳପଥ ପକ୍ଷରୁ ମୋଟ୍ 11ଟି ଟ୍ରେନର ରହଣୀ ନେଇ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଏଥିରେ ପୂର୍ବତଟ ପକ୍ଷରୁ ଡିଆରଏମ ହାବଡା- ଅହମ୍ମଦାବାଦ-ହାବଡା, ରାଉରକେଲା- ଭୁବନେଶ୍ବର- ରାଉରକେଲା, ଦୁର୍ଗ- ରାଜେନ୍ଦ୍ରନଗର- ଦୁର୍ଗ ଏକ୍ସପ୍ରେସ ଏବଂ ପୁରୀ-ଯୋଗନଗରୀ- ପୁରୀ ଉ+ଳ ଏକ୍ସପ୍ରେସର ରହଣୀ ନେଇ ଘୋଷଣା କରାଯାଇଛି। ସେପଟେ ଉତ୍ତେଜନା ପାଇଁ ବାମରା ଷ୍ଟେସନରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।