ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ଗୁଳି କରି ମାରିଲେ ନକ୍ସଲ | News Room Odisha

ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ଗୁଳି କରି ମାରିଲେ ନକ୍ସଲ

ନବରଙ୍ଗପୁର – ପୋଲିସ ଇନଫର୍ମର ସନ୍ଦେହରେ ଜଣେ ନବରଙ୍ଗପୁର ଜିଲ୍ଲାରେ ନକ୍ସଲମାନେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଜିଲ୍ଲାର ରାଇଘର ଥାନା ହାତୀଗାଁରେ ଘଟିଛି ଏହି ଘଟଣା । ଚନ୍ଦନ ମଲ୍ଲିକ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ନକ୍ସଲଙ୍କ ଉଦନ୍ତି ଏରିଆ କମିଟିର ସଦସ୍ୟମାନେ ଚନ୍ଦନଙ୍କୁ ଗତକାଲି ରାତିରେ ତଳ ଘରୁ ଡାକି ନେଇଥିଲେ। ଆଜି ସକାଳେ ଘରଠାରୁ ମାତ୍ର ୨୦୦ ମିଟର ଦୂରରେ ଚନ୍ଦନଙ୍କ ଗୁଳିବିଦ୍ଧ ମୃତଦେହ ମିଳିଥିଲା।

ନକ୍ସଲମାନେ ଘଟଣାସ୍ଥଳରେ ଏକ ପୋଷ୍ଟର ବି ମାରିଛନ୍ତି । ଏହି ଘଟଣା ପାଇଁ ନବରଙ୍ଗପୁର ଏସ୍‌ପି, ଛତିଶଗଡ଼ର ଗରିଆବନ୍ଧ ଏସ୍‌ପି ଓ ପୁଲିସ୍‌ର ଗୁଇନ୍ଦା ବିଭାଗକୁ ଦାୟୀ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି।

ପୋଷ୍ଟରରେ ଆହୁରି ଉଲ୍ଲେଖ ରହିଛି ଯେ, ପୋଲିସକୁ ସୂଚନା ଦେଉଥିବାରୁ ଚନ୍ଦନକୁ ଥରେ ଜନଅଦାଲତକୁ ଡାକି ଚେତାବନୀ ଦିଆଯାଇଥିଲା। କିନ୍ତୁ ତା’ ସତ୍ତ୍ୱେ ଚନ୍ଦନ ପୋଲିସକୁ ଖବର ଦେବା କାମରୁ ନିବୃତ୍ତ ହୋଇନଥିଲା। ସେଥିପାଇଁ ତାକୁ ମୃତ୍ୟୁ ଦଣ୍ଡ ଦିଆଯାଇଥିବା ପୋଷ୍ଟରରେ ଉଲ୍ଲେଖ ଅଛି ।