ବିଲ୍ଵେଶ୍ଵର ବା ଶ୍ରଦ୍ଧାରେ ଲୋକ ମୁଖରେ ବେଲେଶ୍ୱର ଏକ ପ୍ରାଚୀନ ଶୈବପୀଠ। ଶଙ୍ଖକ୍ଷେତ୍ରର ନିମ୍ନ ଭାଗରେ ମହୋଦଧି କୂଳରେ ବାବା ବେଲେଶ୍ୱରଙ୍କ ଆସ୍ଥାନ ଓ ସେ ସ୍ଵୟଂ ସେହି ଅଂଶର କ୍ଷେତ୍ର ରକ୍ଷକ। ବେଲେଶ୍ୱରଙ୍କ ପାଖରେ ଶଙ୍ଖକ୍ଷେତ୍ର ଶେଷ ହେଉଛି ଓ ସେହିଠାରୁ ଆଗକୁ ଅର୍କକ୍ଷେତ୍ର ଆରମ୍ଭ ହେଉଛି। ଶ୍ରୀକ୍ଷେତ୍ରର ଅଷ୍ଟଶମ୍ଭୁଙ୍କ ଭିତରେ ବେଲେଶ୍ୱର ଅନ୍ୟତମ।
ପୁରୀରୁ କୋଣାର୍କ ଯିବା ବାଟରେ ବାଲିଘାଇ ଛକ ପରେ ଡାହାଣ ପଟରେ ପ୍ରାୟ ୩ କିଲୋମିଟର ଗଲେ ପଡ଼ିବ ବେଲେଶ୍ୱରଙ୍କ ମନ୍ଦିର। ସମୁଦ୍ର କୂଳରେ ଝାଉଁବଣ ମଧ୍ୟରେ ଏହା ଏକ ମନୋରମ ସ୍ଥାନ। ମନ୍ଦିର ଟି ବେଶୀ ବଡ଼ ନୁହେଁ। ରାସ୍ତା ଉଚ୍ଚା ହେବା ଫଳରେ ଏବେ ମନ୍ଦିର ଟି ରାସ୍ତା ଠାରୁ ତଳକୁ ଅଛି। ମନ୍ଦିର ସାମ୍ନାରେ ବିଶାଳ ଭୃଷବ ଜଗି ରହିଛନ୍ତି। ଏଠାରେ ପାର୍ଶ୍ଵ ଦେବତା ଭାବରେ ପାର୍ବତୀ, ଗଣେଶ ଓ କାର୍ତ୍ତିକଙ୍କ ସହ ଇନ୍ଦ୍ର,ଯମ ଓ ନାରାୟଣଙ୍କ ମୂର୍ତ୍ତି ମଧ୍ୟ ଅଛନ୍ତି।
ପୁରୀ ଲୋକଙ୍କର ଏହା ଅତି ପ୍ରିୟ ସ୍ଥାନ। ସଂକ୍ରାନ୍ତି ମେଳା ହେଉ ବା କିଛି ମାନସିକ ହେଉ ବା କିଛି ନ ହେଉ ବେଲେଶ୍ୱରଙ୍କ ପାଖରେ ଅନ୍ନ ଡାଲମା ଭୋଗ ନିଶ୍ଚୟ ହେବ। ବାବାଙ୍କ ମହିମା ମଧ୍ୟ। ପ୍ରତ୍ୟେକ ଦିନ ଅଗଣିତ ଭକ୍ତଙ୍କୁ ଏଠାକୁ ଟାଣିଆଣେ। ବର୍ଷ ସାରା ଏଠାରେ ଭିଡ଼ ଜମୁଥିଲେ ମଧ୍ୟ ମାର୍ଗଶିର ମାସର ପଞ୍ଚମୀ ତିଥିରେ ଏହି ସ୍ଥାନରେ ମେଳା ହୁଏ।
ବେଲେଶ୍ୱରଙ୍କ ଆବିର୍ଭାବକୁ ନେଇ କିଛିପୌରାଣିକ ଓ ଲୋକକଥା ରହିଛି। ଲୋକକଥା ଅନୁଯାୟୀ ପ୍ରଭୁ ରାମଚନ୍ଦ୍ର ତାଙ୍କର ବନବାସ କାଳରେ ଏହି ସ୍ଥାନରେ ଏକ ବିଲ୍ଵ ଫଳ ବା ବେଲ ଫଳ କୁ ମହାଦେବ ଙ୍କ ଲିଙ୍ଗ ଭାବରେ ଆବାହନ କରି ପୂଜା କରିଥିଲେ ଓ ସେଥିପାଇଁ ଏଠାରେ ସେ ବିଲ୍ଵେଶ୍ଵର ବା ବେଲେଶ୍ୱର ଭାବରେ ତ୍ରେତୟା ଯୁଗରୁ ପୂଜା ପାଉଛନ୍ତି।
ପୌରାଣିକ କଥାବସ୍ତୁ ଅନୁସାରେ ସ୍କନ୍ଧ ପୁରାଣରେ ବିଲ୍ଵେଶ୍ଵରଙ୍କ ର ଏଠାରେ ଆବିର୍ଭାବ ବିଷୟରେ ଲେଖା ହୋଇଛି। ଦ୍ଵାପର ଯୁଗରେ ଶ୍ରୀକୃଷ୍ଣ ଅର୍ଜୁନଙ୍କ ସହ ଶ୍ରୀକ୍ଷେତ୍ର ଭ୍ରମଣରେ ଆସି ଏଠାରେ ଏକ ଗର୍ତ୍ତ ଦେଇ ପାତଳରୁ ରାକ୍ଷସ ମାନେ ଆସୁଥିବାର ଜାଣି ପାରିଲେ। ସେମାନଙ୍କ ସୁଗମ ପଥକୁ ବନ୍ଦ କରିବାକୁ ଯାଇ ଶ୍ରୀକୃଷ୍ଣ ଏଇ ବିଲ୍ଵ ଫଳକୁ ସେହି ଗର୍ତ୍ତ ମୁହଁରେ ରଖିଲେ ଓ ସେମାନେ ଯେମିତିଏହାକୁ କାଢି ଆସି ପାରିବେ ନାହିଁ ସେଥି ନିମନ୍ତେ ସେହି ବିଲ୍ଵ ଫଳ ମଧ୍ୟରେ ମହାଦେବ ଙ୍କୁ ଆବାହନ କରି ପ୍ରତିଷ୍ଠା କରିଥିଲେ। ସେହି ଦିନଠାରୁ ପ୍ରଭୁ ବିଲ୍ଵେଶ୍ଵର ଏଠାରେ ପୂଜା ପାଉଛନ୍ତି। ସେ ତ୍ରେତୟା ଯୁଗ ହେଉ ବା ଦ୍ଵାପର ହେଉ କିନ୍ତୁ ଏ କଥା ସ୍ପଷ୍ଟ ଯେ ବାବା ବିଲ୍ଵେଶ୍ଵର ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କ ପ୍ରତିଷ୍ଠା ପୂର୍ବରୁ ଏଠାରେ ବିରାଜିତ।
ବିଲ୍ଵେଶ୍ଵରଙ୍କ ମନ୍ଦିରର ସଠିକ ନିର୍ମାଣ ସମୟ ଯଦିଓ ଜଣାନାହିଁ ତେବେ ଏଠାରେ ପୂଜିତ ଲିଙ୍ଗ ବହୁ ପ୍ରାଚୀନ।