ଉଦାହରଣ ସୃଷ୍ଟି କଲେ ଦିଗପହଣ୍ଡି ତହସିଲଦାର, ଗୁରୁତର ମହିଳାଙ୍କୁ ଡାକ୍ତରଖାନା ନେଲେ | News Room Odisha

ଉଦାହରଣ ସୃଷ୍ଟି କଲେ ଦିଗପହଣ୍ଡି ତହସିଲଦାର, ଗୁରୁତର ମହିଳାଙ୍କୁ ଡାକ୍ତରଖାନା ନେଲେ

ବ୍ରହ୍ମପୁର: ଲୋକଙ୍କ ସୁବିଧା ଓ ସମସ୍ୟା ବୁଝୁଥିବା, ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସେତୁ ସାଜୁଥିବା ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟ ଅନେକ ସମୟରେ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ, ଆଶ୍ଵସ୍ତିକର ହୋଇଥାଏ। ଜରୁରୀକାଳୀନ ସମୟରେ ନିଜର ଚିରାଚରିତ କାର୍ଯ୍ୟ ଛାଡ଼ି ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରୁଥିବା, ଜନସାଧାରଣଙ୍କ ଆବଶ୍ୟକତା ମେଣ୍ଟାଉଥିବା ପ୍ରଶାସକ ସୃଷ୍ଟି କରିଥାନ୍ତି ଉଦାହରଣ।

ଏଇ ଯେମିତି ଦିଗପହଣ୍ଡି ତହସିଲଦାର ସିପକ ପାତ୍ର ଜଣେ ଗୁରୁତର ଆଦିବାସୀ ମହିଳାଙ୍କୁ ନିଜ ସରକାରୀ ଗାଡ଼ିରେ ଡାକ୍ତରଖାନାରେ ଭର୍ତ୍ତି କରାଇବା ସହ ତାଙ୍କର ଚିକିତ୍ସା ବ୍ୟବସ୍ଥା କରାଇଥିଲେ। ଏକ ସରକାରୀ କାର୍ଯ୍ୟରେ ତହସିଲଦାର ଖମାରିଗାଁ ପଞ୍ଚାୟତର ଆଦିବାସୀ ବହୁଳ ଡିକିଲି ଗ୍ରାମକୁ ଯାଇଥିଲେ। ଏକ ସଚେତନତା ସଭାରେ ଯୋଗଦେଇଥିଲେ ସେ। ହଠାତ୍ ଜଣାପଡ଼ି ଥିଲା ଯେ ଗାଁର ଜଣେ ମହିଳା ସୁଷମା ଦଳାଇଙ୍କ ପେଟରେ ବାଉଁଶଟିଏ ପଶିଯାଇଛି। ବିରି ଫସଲ ଦେଖାରଖା କରିବା ପାଇଁ ଜମିରେ ପ୍ରସ୍ତୁତ ମଞ୍ଚ ଚଢୁଥିବା ବେଳେ ଗୋଡ଼ ଖସିଯିବାରୁ ଏକ ବାଉଁଶ ତାଙ୍କ ପେଟରେ ପଶିଯାଇଥିଲା। ତାଙ୍କ ଅନ୍ତବୁଜୁଳା ବାହାରି ପଡ଼ିଥିଲା। ରକ୍ତାକ୍ତ ଅବସ୍ଥାରେ ଯନ୍ତ୍ରଣାରେ ମହିଳା ଜଣକ ଛଟପଟ ହେଉଥିଲେ। ତହସିଲଦାର ସଭା ସ୍ଥଗିତ ରଖି ତୁରନ୍ତ ନିଜ ସରକାରୀ ଗାଡ଼ିରେ ଗୁରୁତର ମହିଳାଙ୍କୁ ଦିଗପହଣ୍ଡି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଯାଇଥିଲା।