ଖପ୍ରାଖୋଲ ବଜାରରୁ ନକଲି ନୋଟ୍ ଜବତ, ଜଣେ ଅଟକ | News Room Odisha

ଖପ୍ରାଖୋଲ ବଜାରରୁ ନକଲି ନୋଟ୍ ଜବତ, ଜଣେ ଅଟକ

ବଲାଙ୍ଗୀର : ପାଟଣାଗଡ ଖପ୍ରାଖୋଲ ବଜାରରୁ ନକଲି ନୋଟ୍ ଜବତ କରିଛି ପୋଲିସ । ଲାଠୋର ଥାନା ପିପଲବାହାଲ ଗାଁର ବ୍ରହ୍ମା ମେହେର ନାମକ ଜଣେ ଯୁବକ ନକଲି ନୋଟ୍ ବଦଳାଇବା ପାଇଁ ଚେଷ୍ଟା କରୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖପ୍ରାଖୋଲ ଥାନା ପୋଲିସ ଚଢାଉ କରିଥିଲା। ଏହି ସମୟରେ ବ୍ରହ୍ମାଙ୍କ ପାଖରୁ ୬ ହଜାର ୫୦୦ ନକଲି ନୋଟ୍ ଜବତ ହୋଇଛି। ନକଲି ନୋଟ କାରବାର ଅଭିଯୋଗରେ ପୋଲିସ ତାକୁ ଅଟକ ରଖିଛି।

ସୂଚନାନୁଯାୟୀ, ଖପ୍ରାଖୋଲ ଥାନା ପୋଲିସ ଅଧିକ ତଦନ୍ତ ପାଇଁ ବ୍ରହ୍ମା ମେହେରଙ୍କ ଘରେ ଚଢାଉ କରିଥିଲା। ବ୍ରହ୍ମାଙ୍କ ନିକଟରୁ ଜବତ ହୋଇଥିବା ନୋଟ ମଧ୍ୟରେ ୯ ଖଣ୍ଡ ୫୦୦ ଟଙ୍କିଆ, ୭ ଖଣ୍ଡ ୨୦୦ ଟଙ୍କିଆ ଓ ୧୧ ଖଣ୍ଡ ୧୦୦ ଟଙ୍କିଆ ନୋଟ ଅଛି। ଏତଦ୍ ବ୍ୟତୀତ ବ୍ରହ୍ମା ମେହେରଙ୍କ ପାଖରୁ ମୋଟର ସାଇକେଲ ଓ ଅସଲି ୩୫ ହଜାର ଟଙ୍କା ପୋଲିସ ଜବତ କରିଛି। ଅଧିକ ତଦନ୍ତ ପାଇଁ ଏକ ଟିମ୍ ଗଠନ କରାଯାଇଛି ବୋଲି ପାଟଣାଗଡ ଉପଖଣ୍ଡ ପୋଲିସ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା ସୂଚନା ଦେଇଛନ୍ତି।