୨ ଆହତଙ୍କୁ ଡାକ୍ତରଖାନା ପହଞ୍ଚାଇଲେ ବ୍ରହ୍ମପୁର ଭିଜିଲାନ୍ସ ଏସପି | News Room Odisha

୨ ଆହତଙ୍କୁ ଡାକ୍ତରଖାନା ପହଞ୍ଚାଇଲେ ବ୍ରହ୍ମପୁର ଭିଜିଲାନ୍ସ ଏସପି

ବ୍ରହ୍ମପୁର: ପଦସ୍ଥ ଅଧିକାରୀଙ୍କ ବିବେକସମ୍ପନ୍ନ ଓ ମାନବିକତା ଭରା କାର୍ଯ୍ୟ ଅନେକ ସମୟରେ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହୋଇଥାଏ। ବୁଧବାର ସକାଳେ ଆସିକା ନିକଟ କରେଞ୍ଜେଇ ଠାରେ ଏଭଳି ଏକ ଘଟଣା ନଜରକୁ ଆସିଛି। ବ୍ରହ୍ମପୁର ଭିଜିଲାନ୍ସ ଏସପି ଗଣେଶ ପ୍ରଧାନ ସଡ଼କ ଦୁର୍ଘଟଣାରେ ଆହତ ହୋଇ ରାସ୍ତାକଡ଼ରେ ପଡ଼ିଥିବା ୨ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇବା ସହ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଫଳରେ ୨ ଆହତଙ୍କୁ ଠିକ୍ ସମୟରେ ଚିକିତ୍ସା ସେବା ମିଳିପାରିଥିଲା ଓ ସେମାନଙ୍କ ଅବସ୍ଥା ଏବେ ଭଲ ରହିଛି।

କରେଞ୍ଜେଇ ଠାରେ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇ ସକାଳ ସମୟରେ ରାସ୍ତାରେ ପଡ଼ି ଛଟପଟ ହେଉଥିଲେ ଭଞ୍ଜନଗର ନିକଟ ବାଉଁଶଲୁଣ୍ଡିର ସଞ୍ଜୟ କୁମାର ଗୁପ୍ତା ଓ ତାଙ୍କ ଭଉଣୀ ଶ୍ୟାମା ଦେବୀ ଗୁପ୍ତା। ସେମାନଙ୍କ ବାଇକ୍ ଭାରସାମ୍ୟ ହରାଇ ଏକ ଗଛ ଦେହରେ ପିଟି ହୋଇ ଯାଇଥିଲା। ସକାଳ ବେଳା ଥିବାରୁ ଲୋକଙ୍କ ବିଶେଷ ଚଳପ୍ରଚଳ ନଥିଲା। ସେତେବେଳେ ସରକାରୀ କାର୍ଯ୍ୟରେ ସେହି ରାସ୍ତା ଦେଇ ଭ୍ୟାନ୍ ଯୋଗେ ଫୁଲବାଣୀ ଯାଉଥିଲେ ଭିଜିଲାନ୍ସ ଏସପି। ଦୁଇ ଜଣ ଆହତ ହୋଇ ରାସ୍ତାରେ ପଡ଼ି ଛଟପଟ ହେଉଥିବା ଦେଖି ସେ ଉଭୟଙ୍କୁ ନିଜ ଗାଡ଼ିରେ ଆସିକା ଡାକ୍ତରଖାନାରେ ଭର୍ତ୍ତି

କରାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଦୁହିଁଙ୍କ ଅବସ୍ଥାରେ କିଛିଟା ସୁଧାର ଆସିବା ପରେ ଉଭୟଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଉଭୟଙ୍କ ଜୀବନ ବଞ୍ଚି ଯାଇଥିଲା। ଭିଜିଲାନ୍ସ ଏସପି ଏହି ମାନବିକତାପୂର୍ଣ୍ଣ କାର୍ଯ୍ୟକୁ ପ୍ରଶଂସା କରାଯାଇଛି।