ଫ୍ରାନ୍ସର କିମ୍ବଦନ୍ତୀ ଫୁଟବଲ ଖେଳାଳି ଜଷ୍ଟ ଫୋଣ୍ଟେନ୍ ଙ୍କ ପରଲୋକ | News Room Odisha

ଫ୍ରାନ୍ସର କିମ୍ବଦନ୍ତୀ ଫୁଟବଲ ଖେଳାଳି ଜଷ୍ଟ ଫୋଣ୍ଟେନ୍ ଙ୍କ ପରଲୋକ

ପ୍ୟାରିସ – ଫ୍ରାନ୍ସର ଫୁଟବଲ କିମ୍ବଦନ୍ତୀ ଜଷ୍ଟ ଫୋଣ୍ଟେଇନଙ୍କ ପରଲୋକ ହୋଇଯାଇଛି। ଗୋଟିଏ ବିଶ୍ୱକପରେ ସର୍ବାଧିକ ଗୋଲ୍ ସ୍କୋର କରି ରେକର୍ଡ କରିଥିବା ଫୋଣ୍ଟୋନ ୮୯ ବର୍ଷ ବୟସରେ ଆଖି ବୁଜିଛନ୍ତି । ଫୋଣ୍ଟେନ ୧୯୫୮ରେ ସ୍ଵିଡେନ ବିଶ୍ୱକପରେ ମାତ୍ର ୬ଟି ମ୍ୟାଚ ଖେଳି ସର୍ବାଧିକ ୧୩ଟି ଗୋଲ୍ ସ୍କୋର କରିଥିଲେ । ଏହି ରେକର୍ଡ ଆଜି ପର୍ଯ୍ୟନ୍ତ ବଜାୟ ରହିଛି । ସେହି ବିଶ୍ୱକପରେ ଫ୍ରାନସ ତୃତୀୟ ସ୍ଥାନରେ ରହିଥିଲା ।

ଫୁଟବଲ ବିଶ୍ୱକପରେ ସର୍ବାଧିକ ଗୋଲ ସ୍କୋରର ଭାବେ ଫୋଣ୍ଟେନ ମିଳିତ ଭାବେ ଚତୁର୍ଥ ସ୍ଥାନରେ ରହିଛନ୍ତି। ସବୁଠାରୁ ବଡ଼ କଥା ହେଲା ଯେ, ଜଷ୍ଟ ଫୋଣ୍ଟେନ କେବଳ ଏକମାତ୍ର ବିଶ୍ୱକପ୍ ଖେଳି ୧୩ଟି ଗୋଲ୍ ସ୍କୋର କରିଥିଲେ । ୧୯୫୮ ବିଶ୍ୱକପରେ ଫ୍ରାନ୍ସ ଜାତୀୟ ଦଳର ଅନ୍ୟ ଦୁଇ ଫରୱାର୍ଡ ଖେଳାଳି ଯଦି ଆହତ ହୋଇନଥାନ୍ତେ, ତାହା ହେଲେ ଫୋଣ୍ଟେନ ବିଶ୍ୱକପ ଖେଳି ନଥାନ୍ତେ । ୧୯୫୮ ସ୍ଵିଡେନ ବିଶ୍ୱକପରେ ଫୋଣ୍ଟେନ ଫ୍ରାନ୍ସ ଖେଳିଥିବା ସବୁ ମ୍ୟାଚରେ ଗୋଲ୍ ସ୍କୋର କରିଥିଲେ। ତୃତୀୟ ସ୍ଥାନ ପାଇଁ ପଶ୍ଚିମ ଜର୍ମାନୀ ବିପକ୍ଷରେ ହୋଇଥିବା ମ୍ୟାଚରେ ଫୋଣ୍ଟେନଙ୍କ ୪ଟି ଗୋଲ ବଳରେ ଫ୍ରାନସ ୬-୩ରେ ବିଜୟୀ ହୋଇଥିଲା ।

ଫୋଣ୍ଟେନ ୧୯୫୩ରୁ ୧୯୬୦ ମଧ୍ୟରେ ଫ୍ରାନ୍ସ ପକ୍ଷରୁ ମାତ୍ର
୩୧ଟି ଆନ୍ତର୍ଜାତିକ ମ୍ୟାଚ ଖେଳି ୩୦ଟି ଗୋଲ୍ ସ୍କୋର କରିଥିଲେ। ଷ୍ଟାଡ୍ ଡି ‘ ରିମସ ଟିମ୍ ପକ୍ଷରୁ କ୍ଲବ ଫୁଟବଲରେ ପ୍ରତିନିଧିତ୍ଵ କରି ଅନେକ ମ୍ୟାଚ ଖେଳିଥିଲେ ଫୋଣ୍ଟେନ । ଏହି କ୍ଲବ ପକ୍ଷରୁ ସେ ୧୫୨ଟି ମ୍ୟାଚ ଖେଳି ୧୪୫ ଗୋଲ ସ୍କୋର କରିଥିଲେ। ସେ ନିସ୍ ଓ ମରୋକ୍କୋ କ୍ଲବ ୟୁଏସଏମ ପକ୍ଷରୁ ବି ପ୍ରତିନିଧିତ୍ଵ କରିଥିଲେ। ଗୋଡ଼ ଫ୍ରାକଚର ଯୋଗୁଁ ମାତ୍ର ୨୮ ବର୍ଷ ବୟସରେ ହିଁ ଫୋଣ୍ଟେନ ଫୁଟବଲରୁ ଅବସର ନେଇଥିଲେ। ୧୯୬୭ ମସିହାରେ ଫ୍ରାନସ ଫୁଟବଲ ଦଳ ପାଇଁ ଦୁଇଟି ମ୍ୟାଚରେ ମ୍ୟାନେଜର ( କୋଚ୍ ) ଥିଲେ ଫୋଣ୍ଟେନ । ପ୍ୟାରିସ ସେଣ୍ଟ ଜର୍ମେନ କ୍ଲବ, ଟୁଲୋଜ ଓ ମରକ୍କୋ ଜାତୀୟ ଦଳର କୋଚ୍ ମଧ୍ୟ ଥିଲେ ଫୋଣ୍ଟେନ । ୨୦୦୪ ମସିହାରେ ବ୍ରାଜିଲ କିମ୍ବଦନ୍ତୀ ପେଲେଙ୍କ ୧୨୫ ଜୀବିତ ମହାନ ଫୁଟବଲ ଖେଳାଳି ତାଲିକାରେ ସ୍ଥାନ ପାଇଥିଲେ ଫୋଣ୍ଟେନ ।