ନଲିଆଖଣ୍ଡି ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ | News Room Odisha

ନଲିଆଖଣ୍ଡି ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ବରଗଡ଼: ବରଗଡ଼ ସହରର ଖଜୁରଟିକ୍ରାସ୍ଥିତ ନଲିଆଖଣ୍ଡି ରାଧାମାଧବ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପୁଅଙ୍କ ମାଡରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ ଗୁରୁତର
ହେବା ଘଟଣାରେ ଜିଲ୍ଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଛି । ଏହି ଘଟଣାରେ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପ ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନଳିନୀ ରଥଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଘଟଣା ନେଇ ଅଭିଯୋଗ ପାଇବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ କଚ୍ଛପ ବ୍ଳକ ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ରିପୋର୍ଟ ପାଇବା ପରେ ପ୍ରଧାନ ଶିକ୍ଷୟତ୍ରୀ ରଥଙ୍କ ଉପରେ ସେଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହା ପୂର୍ବରୁ ପୋଲିସ ଛାତ୍ରୀଙ୍କୁ ମାଡ଼ ମାରିଥିବା ପ୍ରଧାନ ଶିକ୍ଷୟିତ୍ରୀ ରଥଙ୍କ ପୁଅ ସ୍ବାଭିମାନଙ୍କୁ ଗିରଫ କରିଥିଲା।

ପ୍ରକାଶ ଥାଉକି, ବରଗଡ଼ ପୌର ପରିଷଦ ଅଧୀନ ୱାଡ୍‌ ନଂ-୭ ନଲିଆଖଣ୍ଡି ନିବାସୀ ଜୀବର୍ଦ୍ଧନ ଚନ୍ଦ୍ରାଙ୍କ ଝିଅ କବିତା ରାଧାମାଧବ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀରେ ପଢୁଛନ୍ତି। ତେବେ ଗତ ଶୁକ୍ରବାର ପ୍ରଧାନ ଶିକ୍ଷୟିତ୍ରୀ ରଥଙ୍କ ଅନୁପସ୍ଥିତିରେ ତାଙ୍କ ପୁଅ ସ୍ବାଭିମାନ ବିଦ୍ୟାଳୟକୁ ଆସିଥିଲେ ଏବଂ ଛାତ୍ରୀ କବିତାଙ୍କୁ ପାଖକୁ ଡାକି ଲୁହାରଡରେ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଥିଲା।