ଜନବସତିରେ ଜଙ୍ଗଲୀ ଜନ୍ତୁଙ୍କ ଉପଦ୍ରବ ରୋକିବାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟଭେଦୀ କାର୍ଯ୍ୟକ୍ରମ | News Room Odisha

ଜନବସତିରେ ଜଙ୍ଗଲୀ ଜନ୍ତୁଙ୍କ ଉପଦ୍ରବ ରୋକିବାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟଭେଦୀ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଜନବସତି ମଧ୍ୟରେ ଜଙ୍ଗଲୀ ଜନ୍ତୁଙ୍କ ଉପଦ୍ରବ ରୋକିବା ନିମନ୍ତେ ରାଜ୍ୟ ସରକାର ଲକ୍ଷ୍ୟଭେଦୀ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ସଂପୃକ୍ତ ଅଂଚଳରେ ଜନଜୀବନ ରକ୍ଷା ସହ ଜୀବଜନ୍ତୁଙ୍କ ସୁରକ୍ଷା ଉପରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯିବ । ଏ ସଂପର୍କରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ବେସରକାରୀ ସଂସ୍ଥା ସ୍ନେହା ପକ୍ଷରୁ ମଣିଷ-ଜଙ୍ଗଲୀ ଜନ୍ତୁ ବିଶେଷକରି ହାତୀ ବିବାଦ ଉପରେ ଏକ ଅଧ୍ୟୟନ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା । ସବୁ ଦିଗକୁ ଦୃଷ୍ଟିରେ ରଖି ସଂପୃକ୍ତ ଅଂଚଳରେ ବାସ କରୁଥିବା ଅଧିବାସୀ ମାନଙ୍କ ସହ ଆଲୋଚନା କରି ବିବାଦ ହ୍ରାସ ଉପରେ ରିପୋର୍ଟ ପ୍ରଦାନ ପାଇଁ ଉକ୍ତ ବେସରକାରୀ ସଂସ୍ଥାକୁ ଶକ୍ତି ବିଭାଗ ପକ୍ଷରୁ ନିୟୋଜିତ କରାଯାଇଥିଲା । ହାତୀ ଉପଦ୍ରବ ଅଂଚଳକୁ ୪ ଭାଗରେ ବିଭକ୍ତ କରାଯାଇ ଜୋନ-୧ ରେ ହାତୀ ସୁରକ୍ଷା, ଜୋନ-୨ ରେ ଉଭୟଙ୍କ ସହାବସ୍ଥାନ, ଜୋନ-୩ ରେ ବିବାଦ ହ୍ରାସ ଏବଂ ଜୋନ-୪ ରେ ହାତୀ ମାନଙ୍କ ପ୍ରବେଶକୁ ପ୍ରତିରୋଧ କରିବା ଉପରେ ପ୍ରସ୍ତାବ ଦିଆଯାଇଥିଲା । ହାତୀ ଉପଦ୍ରବ ଅଂଚଳରେ ଥିବା ଜନବସତିରେ ଜୀବନମାନ ଶୖଳୀରେ ଉନ୍ନତି ଆଣିବା, ଉଭୟ ମଣିଷ ଓ ହାତୀ ମୃତାହତ ହ୍ରାସ କରିବା ଉପରେ ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା । ଏଥିସହ ଜଙ୍ଗଲ, ଶକ୍ତି ଏବଂ ସଂପୃକ୍ତ ଅନ୍ୟାନ୍ୟ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।

ସେହି ଭଳି ଉକ୍ତ ଅଂଚଳଗୁଡିକରେ ସଚେତନତା ବୃଦ୍ଧି,ସୁରକ୍ଷା କରିଡର ସୁଦୃଢ଼ କରିବା ରେଡିଓ କଲାର ମାଧ୍ୟମରେ ଜଙ୍ଗଲୀ ଜନ୍ତୁଙ୍କ ଗତିବିଧି ଉପରେ ନଜର ରଖିବା, ଜଙ୍ଗଲ ବିଭାଗ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି, କ୍ଷୟକ୍ଷତିର ତୁରନ୍ତ ଆକଳନ,ଉପଦ୍ରବ ଅଂଚଳରେ ବିଦ୍ୟୁତ ଚୋରାଚାଲାଣ ରୋକିବାକୁ ପାଟ୍ରୋଲିଂ କଡାକଡି ଏବଂ ସଂପୃକ୍ତ ଅପରାଧୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିମନ୍ତେ ବୈଠକରେ ଆଲୋଚନା ହୋଇଥିଲା ।

ଜଙ୍ଗଲୀ ଜନ୍ତୁଙ୍କ ଗତିବିଧି ନେଇ ସଂପୃକ୍ତ ଅଂଚଳରେ ସେହି ସମୟରେ ଉପଲବ୍ଧ ମୋବାଇଲ ନମ୍ବରକୁ ଆଗୁଆ ଏସ୍.ଏମ.ଏସ୍. ପ୍ରଦାନ ଉପରେ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ । ସେହି ଭଳି ଆବଶ୍ୟକ ସ୍ଥଳେ ଜଙ୍ଗଲୀ ଜନ୍ତୁଙ୍କ ଦ୍ୱାରା ଫସଲ ହାନୀ ଏବଂ ଧନଜୀବନ କ୍ଷତିଗ୍ରସ୍ତ ହେବା ନେଇ ତୁରନ୍ତ ସଠିକ ଆକଳନ ଏବଂ ସହାୟତା ରାଶି ବୃଦ୍ଧି ଉପରେ ମିଳିତଭାବେ ବିଚାର ବିମର୍ଶ କରି ପଦକ୍ଷେପ ନେବାକୁ ସେ ସଂପୃକ୍ତ ବିଭାଗୀୟ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ଶାସନ ସଚିବ ଡ଼ଃ ମୋନା ଶର୍ମା, ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଟି.ପି.ସି.ଓ.ଡି.ଏଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍. ସେନବାଗନ, ସ୍ନେହା ବେସରକାରୀ ସଂସ୍ଥାର ରାମାସ୍ୱାମୀ କ୍ରିଷ୍ଣନ୍ ପ୍ରମୁଖ ଉପସ୍ଥିତ ଥିଲେ ।