ବ୍ରାଇଡାଲ ମେକଅପ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ, ୪୦ କୃତୀ ମହିଳାଙ୍କୁ ପ୍ରମାଣପତ୍ର ପ୍ରଦାନ କରି ଉତ୍ସାହିତ କଲେ ମିଶନ ଶକ୍ତି କମିଶନର | News Room Odisha

ବ୍ରାଇଡାଲ ମେକଅପ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ, ୪୦ କୃତୀ ମହିଳାଙ୍କୁ ପ୍ରମାଣପତ୍ର ପ୍ରଦାନ କରି ଉତ୍ସାହିତ କଲେ ମିଶନ ଶକ୍ତି କମିଶନର

ଭୁବନେଶ୍ୱର: ମଞ୍ଚେଶ୍ଵରସ୍ଥିତ ବିଶ୍ଵ ଦକ୍ଷତା କେନ୍ଦ୍ର ଦ୍ଵାରା ଆୟୋଜିତ ଓଡ଼ିଶା ବ୍ରାଇଡାଲ ମେକ୍‌ଅପ୍ ପାଠ୍ୟକ୍ରମ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍‌ଯାପିତ ହୋଇଛି ।ଏହି ଉତ୍ସବରେ ରାଜ୍ୟ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ସୁଜାତା ଆର୍ . କାର୍ତ୍ତିକେୟନ୍ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ରାଜ୍ୟର ବିଭିନ୍ନ ଜିଲ୍ଲାର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀରୁ ଆସି ପ୍ରଶିକ୍ଷଣ ନେଉଥିବା ୪୦ ଜଣ କୃତୀ ମହିଳାଙ୍କୁ ‘ ବ୍ରାଇଡ୍ ଅଫ୍ ଓଡ଼ିଶା ’ ଉତ୍ତରଣ ଏବଂ ପ୍ରଶିକ୍ଷଣ ପ୍ରମାଣପତ୍ର ପ୍ରଦାନପୂର୍ବକ ସେମାନଙ୍କୁ ଉତ୍ସାହିତ କରିଥିଲେ ।

ବିଶ୍ଵ ଦକ୍ଷତା କେନ୍ଦ୍ର ଦ୍ଵାରା ମହିଳା ସଶକ୍ତିକରଣ ପାଇଁ ଓଡ଼ିଶା ବ୍ରାଇଡାଲ୍ ମେକ୍‌ଅପ୍ ପାଠ୍ୟକ୍ରମ ଏକ ନୂତନ ଉଦ୍ୟମ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଏବଂ ମିଶନ ଶକ୍ତି ସଚିବଙ୍କ ନେତୃତ୍ଵରେ ସଫଳ ହୋଇଛି ବୋଲି ଟ୍ରେନିଂ ନେଇଥିବା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ପ୍ରକାଶ କରିଥିଲେ । ଏହାଦ୍ଵାରା ସେମାନେ ନିଜ ନିଜ ଜିଲ୍ଲାମାନଙ୍କରେ ଆତ୍ମନିର୍ଭରଶୀଳ ଓ ରୋଜଗାରକ୍ଷମ ହୋଇପାରିବେ ବୋଲି ପ୍ରକାଶ କରିଥିଲେ । ସେମାନେ ନିଜ ଜୀବନରେ କିଛି ଭିନ୍ନ କରିବାକୁ ଚାହୁଁଛନ୍ତି , ସେମାନଙ୍କୁ ଏଥି ନିମନ୍ତେ ସୁଯୋଗ ଯୋଗାଇଦେବା ଦିଗରେ ମିଶନ ଶକ୍ତି ମାଧ୍ୟମରେ ବ୍ରାଇଡାଲ୍ ମେକ୍‌ଅପ୍ ପାଠ୍ୟକ୍ରମ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଯାହାଫଳରେ ସେମାନେ ରୋଜଗାରର ସ୍ଵତନ୍ତ୍ର ପନ୍ଥା ତିଆରି କରିପାରିବେ । ଏହି ଅବସରରେ ପ୍ରଶିକ୍ଷାର୍ଥୀମାନେ ସେମାନଙ୍କ ଅଭିଜ୍ଞତା ଉପସ୍ଥାପନ ଥିଲେ । ଏପରି ପ୍ରଶିକ୍ଷଣ ଦ୍ଵାରା ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ଏବଂ ସେମାନଙ୍କ ଅଞ୍ଚଳର ଅନ୍ୟ ମହିଳାମାନଙ୍କୁ ତାଲିମ ଦେଇ ସ୍ଵାବଲମ୍ବୀ କରାଇବାରେ ସହାୟକ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଶ୍ଵ ଦକ୍ଷତା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଳକା ମିଶ୍ର , କେନ୍ଦ୍ରର ଅଧ୍ୟକ୍ଷ ସଂଗରଣ ଗୋପାଳ , ଉପାଧ୍ୟକ୍ଷ ଶୁଭଙ୍ଗ କିଶୋର ଦାସଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ ।