ବ୍ରହ୍ମପୁର ଓ ଛତ୍ରପୁର ଆଇଟିଆଇ ପ୍ରଶିକ୍ଷାର୍ଥୀ କଲେ ବିଜୁ ବାବୁଙ୍କ ଓ ଡାକୋଟା ବିମାନ ପ୍ରତିକୃତି | News Room Odisha

ବ୍ରହ୍ମପୁର ଓ ଛତ୍ରପୁର ଆଇଟିଆଇ ପ୍ରଶିକ୍ଷାର୍ଥୀ କଲେ ବିଜୁ ବାବୁଙ୍କ ଓ ଡାକୋଟା ବିମାନ ପ୍ରତିକୃତି

ବ୍ରହ୍ମପୁର: ଆସନ୍ତା ୫ ତାରିଖ ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ। ସେହିଦିନ ଏହି ଜନନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ବ୍ରହ୍ମପୁର ଓ ଛତ୍ରପୁର ସରକାରୀ ଆଇଟିଆଇର ପ୍ରଶିକ୍ଷାର୍ଥୀଗଣ। ନିଜେ ଶିଖିଥିବା ବୈଷୟିକ ତାଲିମକୁ ଆଧାର କରି ଅବ୍ୟବହୃତ ତଥା ସ୍କ୍ରାପ୍ ଜିନିଷରୁ ସେମାନେ ରାଜ୍ୟର ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶାର ବିକାଶର ଧାରାକୁ ଆଗକୁ ବଢ଼ାଇ ନେଇଥିବା ଏହି କିମ୍ବଦନ୍ତୀ ବ୍ୟକ୍ତିତ୍ବଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରୁଛନ୍ତି। ଗୋଟିଏ ପଟେ ଏହା ସେମାନଙ୍କ ଜ୍ଞାନ କୌଶଳର ବାସ୍ତବିକ ପ୍ରୟୋଗ ହେବ ତ ଆରପଟେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସେମାନଙ୍କ କ୍ୟାମ୍ପସର ଶୋଭାବୃଦ୍ଧି କରିବା ସହ ସମସ୍ତଙ୍କ ମନରେ ତାଙ୍କ ପ୍ରତି ଅଗାଢ ସମ୍ମାନ ଭରିଦେବ।

ବ୍ରହ୍ମପୁର ଆଇଟିଆଇରେ ବିଜୁ ବାବୁଙ୍କ ସ୍ମୃତିରେ ପ୍ରସ୍ତୁତ ହୋଇଛି ୧୦ ଫୁଟ ଉଚ୍ଚତା ବିଶିଷ୍ଟ ତାଙ୍କର ଏକ ପ୍ରତିମୂର୍ତ୍ତି। ୨ କୁଇଣ୍ଟାଲ୍ ବାଇକ୍ ଚେନ୍, ସକେଟ୍, ନଟ୍, ବୋଲ୍ଟ ଆଦି ବର୍ଜ୍ୟବସ୍ତୁରୁ ଏହି ସୁନ୍ଦର କଳାକୃତି ତିଆରି କରିଛନ୍ତି ଫିଟର୍ ଓ ପେଣ୍ଟିଂ ବିଭାଗର ପ୍ରାୟ ୬୦ ଜଣ ପ୍ରଶିକ୍ଷାର୍ଥୀ ଯେଉଁମାନଙ୍କୁ ପ୍ରାୟ ୫/୬ଜଣ ତାଲିମଦାତା। ୧୦ ଦିନର ପରିଶ୍ରମ ରବିବାର ଦିନ ନୂଆ ରୂପରେ ସମସ୍ତଙ୍କୁ ଚମତ୍କୃତ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ଏହାର ଅଧ୍ୟକ୍ଷ ଡଃ ରଜତ ପାଣିଗ୍ରାହୀ।

ସେହିପରି ଛତ୍ରପୁର ଆଇଟିଆଇ ପ୍ରଶିକ୍ଷାର୍ଥୀଙ୍କ ଦ୍ବାରା ନିର୍ମିତ ହେଉଛି ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସାଙ୍ଗକୁ ସେ ବ୍ୟବହାର କରି ଇତିହାସ ରଚିଥିବା ଡାକୋଟା ବିମାନର ପ୍ରତିକୃତି। ଛତ୍ରପୁର ଆଇଟିଆଇ ଦ୍ବାରା ପ୍ରଥମ କରି ତିଆରି କରାଯାଉଛି ଏଭଳି ସ୍କ୍ରାପ୍ କଳାକୃତି। ୬ ଫୁଟ ୫ ଇଞ୍ଚ ଉଚ୍ଚ ଏବଂ ୨ କୁଇଣ୍ଟାଲ୍ ଓଜନର ପ୍ରତିମୂର୍ତ୍ତି ସହ‌ ୭ ଫୁଟ ଉଚ୍ଚ ଓ ୨୦ ଫୁଟ ଲମ୍ବ ତଥା ୩୬୦ କିଲୋଗ୍ରାମ ଓଜନର ବିମାନ ପ୍ରତିକୃତି ତିଆରି କରିଛନ୍ତି ଓ୍ବେଲଡର୍, ଫିଟର୍, ଇଲେକ୍ଟ୍ରିକାଲ୍ ବିଭାଗର ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀ। ଅବ୍ୟବହୃତ ସାମଗ୍ରୀରୁ କିପରି ଏକ ସୁନ୍ଦର ଓ ସ୍ମରଣୀୟ ସାମଗ୍ରୀ ସୃଷ୍ଟି କରିହେବ ଏହା ଏକ ଉଦାହରଣ ବୋଲି କହିଛନ୍ତି ଛତ୍ରପୁର ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ଅଧ୍ୟକ୍ଷ ପ୍ରିୟବ୍ରତ ପଣ୍ଡା।