ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ କାମ ତ୍ବରାନ୍ବିତ, ବାଣିଜ୍ୟ ଓ ପରିବହନ ସଚିବଙ୍କ ପରିଦର୍ଶନ | News Room Odisha

ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ କାମ ତ୍ବରାନ୍ବିତ, ବାଣିଜ୍ୟ ଓ ପରିବହନ ସଚିବଙ୍କ ପରିଦର୍ଶନ

ବ୍ରହ୍ମପୁର: ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ କାମ ତ୍ବରାନ୍ବିତ ହୋଇଛି। ଶୀଘ୍ର ଟ୍ରାଏଲ୍ ରନ୍ ହେବାକୁ ଯାଉଛି। ପରବର୍ତ୍ତୀ ପର୍ଯ୍ୟାୟରେ ବିମାନ ପଡ଼ିଆର ସମ୍ପ୍ରସାରଣ କାର୍ଯ୍ୟ ତ୍ବରିତ ବେଗରେ ସମ୍ପନ୍ନ କରାଯିବ। ଯାହା ଅନୁମାନ କରାଯାଉଛି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ତଥା ପଞ୍ଚାୟତିରାଜ ଦିବସରେ ଏଠାରୁ ନନ୍-ସିଡ୍ୟୁଲ୍ ବିମାନ ଚଳାଚଳ ପାଇଁ ଯୋଜନା ହୋଇଛି। ଏ ନେଇ ଶୁକ୍ରବାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ। ସେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ପରିଦର୍ଶନ କରିବା ସହ ପୁଲିସ, ପ୍ରଶାସନିକ ଅଧିକାରୀଙ୍କ ସାଙ୍ଗରେ ଏକ ଘଣ୍ଟାରୁ ଅଧିକ ସମୟ ଆଲୋଚନା କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ନିର୍ମାଣାଧୀନ ଟର୍ମିନାଲ୍, ରନୱେ ବୁଲି ଦେଖିଛନ୍ତି ସଚିବ। ସମୀକ୍ଷା ବୈଠକରେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଭି.କୀର୍ତ୍ତି ଭାସନ୍, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଏସ୍‌ପି ଡା. ସର୍ବଣା ବିବେକ ଏମ୍, ଚିଫ୍ ଇଞ୍ଜିନିୟର୍ ତାରାକାନ୍ତ ମିଶ୍ର, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ତପନ ପାଣିଗ୍ରାହୀଙ୍କ ସମେତ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଠାରୁ ବିମାନ ଚଳାଚଳ ଦାୟିତ୍ବ ନେଇଥିବା ଇଣ୍ଡିଆ ୱାନ୍ ଏୟାର କମ୍ପାନୀ କର୍ତ୍ତୃପକ୍ଷ ମଧ୍ୟ ଆଜି ପହଞ୍ଚି ପ୍ରସ୍ତୁତି ପୁନଃ ଅନୁଧ୍ୟାନ କରିବେ ବୋଲି ଜଣାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ତଥା ପରାମର୍ଶକ୍ରମେ ଗଞ୍ଜାମବାସୀଙ୍କ ଦୀର୍ଘ ଦିନର ଦାବି ତଥା ଆଶା ଶୀଘ୍ର ପୂରଣ ହେବାକୁ ଯାଉଛି। ମାର୍ଚ୍ଚ ୫ରେ ରଙ୍ଗେଇଲୁଣ୍ଡା ଏୟାର୍‌ଷ୍ଟ୍ରିପ୍‌ରୁ ବିମାନ ପରୀକ୍ଷାମୂଳକ ଚଳାଚଳ ସକାଶେ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ ହେବାରେ ଲାଗିଛି। ପୂର୍ବରୁ ମଧ୍ୟ ଇଣ୍ଡିଆ ୱାନ୍ ଏୟାର୍ କମ୍ପାନୀର ଅଧିକାରୀ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ପରିଦର୍ଶନ କରି ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତି ନିମନ୍ତେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲେ ଯାହା ଏବେ ପୂରଣ କରାଯାଉଛି। ବିମାନର ଟ୍ରାଏଲ୍ ରନ୍, ସୁରକ୍ଷା, ଭିତ୍ତିଭୂମି ବାବଦ ଆଦି ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ କରାଯାଉଛି। ପ୍ରସ୍ତାବିତ ବି-୨ ଟାଇପ୍ ବିମାନବନ୍ଦର କାର୍ଯ୍ୟକ୍ଷମ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିବାରେ ଲାଗିଛି। ଏଠାରୁ ୯ ଟିକିଆ ଆସନ ଥିବା କ୍ଷୁଦ୍ର ବିମାନ ଚଳାଚଳ କରିବ। ଅସ୍ଥାୟୀ ଟର୍ମିନାଲ, ଟିକେଟ୍ କାଉଣ୍ଟର, ରନଓ୍ବେ ବ୍ଲାକ୍ ଟପ୍ ଫିଲିଂ, ଚତୁଃପାର୍ଶ୍ବ ପାଚେରୀ କାମ ସରିଛି। ଭୂତଳ ବିଦ୍ୟୁତୀକରଣ କାମ ଚାଲିଛି।

ଅପରପକ୍ଷରେ ଏୟାରଷ୍ଟ୍ରିପ୍ ସମ୍ପ୍ରସାରଣ ଦୃଷ୍ଟିରୁ ଜନବସତି ଓ ଉଠାଦୋକାନୀଙ୍କୁ ସ୍ଥାନାନ୍ତର ମଧ୍ୟ ଆରମ୍ଭ ହୋଇସାରିଛି। ମୋନାର୍କ ଛକ ନିକଟସ୍ଥ ପ୍ରାୟ ୪୦ ଉଠା ଦୋକାନୀ ଓ ସୀତାପଡ଼ାର ୨୨ ପରିବାରକୁ ସ୍ଥାନାନ୍ତର କରୁଛି ଉପଖଣ୍ଡ ପ୍ରଶାସନ। ଉଠାଦୋକାନୀ ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବା ସାଙ୍ଗକୁ ସରକାରୀ ଜାଗା ଚିହ୍ନଟ କରି ଲୋକଙ୍କୁ ଓ ମାର୍କେଟ କମ୍ପ୍ଲେକ୍ସ କରି ଉଠାଦୋନୀଙ୍କୁ ଥଇଥାନ କରାଯିବା ପ୍ରକ୍ରିୟା ଆଗେଇ ଚାଲିଛି। ବର୍ତ୍ତମାନ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ୯୭୫ ମିଟର ଲମ୍ବା, ୧୫୦ ମିଟର ଓସାର ଏବଂ ଏହାର ରନଓ୍ବେ ୭୫୦ ମିଟର ରହିଛି। ଏୟାରଷ୍ଟ୍ରିପ୍ ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଉଚ୍ଚଶିକ୍ଷା ବିଭାଗ ଅଧୀନ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପ୍ରାୟ ୧୫ ଏକର ଖାଲି ଜମି ରାଜସ୍ବ ବିଭାଗକୁ ହସ୍ତାନ୍ତର ସରିଛି। ଘରୋଇ ୧୫ ଏକର ଜମି ଅଧଗ୍ରହଣ ପରେ ସମ୍ପ୍ରସାରଣ କାର୍ଯ୍ୟ ଚଳିତ ବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ।