ଆୟ ବହିର୍ଭୂତ ସଂପତ୍ତି ମାମଲାରେ ଖଣି ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଓ ଜଳସେଚନ ଯନ୍ତ୍ରୀ ଗିରଫ | News Room Odisha

ଆୟ ବହିର୍ଭୂତ ସଂପତ୍ତି ମାମଲାରେ ଖଣି ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଓ ଜଳସେଚନ ଯନ୍ତ୍ରୀ ଗିରଫ

ଭୁବନେଶ୍ୱର – ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଖଣି ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା ଓ ଭବାନୀପାଟଣାରେ ଅବସ୍ଥାପିତ କେବିକେ କ୍ଷୁଦ୍ର ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ ପ୍ରଧାନଙ୍କୁ ଆଜି ଗିରଫ କରାଯାଇଛି ।

ଶୁକ୍ରବାର ଏହି ଦୁଇ ଅଧିକାରୀଙ୍କ ବାସଭବନ ସହିତ ଅନ୍ୟାନ୍ୟ ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଉମେଶ ଜେନାଙ୍କର ଖୋର୍ଦ୍ଧା ଓ କେନ୍ଦୁଝର ଜିଲ୍ଲାରେ ଥିବା ୧୩ଟି ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ସେହିପରି ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ ପ୍ରଧାନଙ୍କର ଖୋର୍ଦ୍ଧା, ଅନୁଗୋଳ ଓ କଳାହାଣ୍ଡି ଜିଲ୍ଲାରେ ଥିବା ମୋଟ ୮ଟି ଠିକଣାରେ ଚଢ଼ାଉ କରାଯାଇଥିଲା।
ଖଣି ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କର ଆୟ ଠାରୁ ୩୬୮ ପ୍ରତିଶତ ଅଧିକ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । କେବିକେ କ୍ଷୁଦ୍ର ଜଳସେଚନ ସର୍କଲ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କନ୍ଦର୍ପ ପ୍ରଧାନ ଆୟ ଠାରୁ ୭୫ ପ୍ରତିଶତ ଅଧିକ ସମ୍ପତ୍ତି ଠାବ କରାଯାଇଛି।
ଉମେଶ ଚନ୍ଦ୍ର ଜେନାଙ୍କର ଭୁବନେଶ୍ୱରରେ ଗୋଟିଏ ବହୁତଳ କୋଠା ଥିବା ବେଳେ କେନ୍ଦୁଝରରେ ୩ଟି କୋଠା ଅଛି। ଏହାଛଡା କେନ୍ଦୁଝରରେ ତାଙ୍କର ୫ଟି ପ୍ଲଟ୍ ଥିବା ବେଳେ ତାଙ୍କଠାରୁ ୨ଟି ଚାରି ଚକିଆ ଗାଡ଼ି, ୨ଟି ଦୁଇ ଚକିଆ ଗାଡ଼ି ଓ ୬୫୦ ଗ୍ରାମର ସୁନା ଗହଣା ଜବତ କରାଯାଇଛି। ସେହିପରି ତାଙ୍କ ଘରୁ ନଗଦ ୧ କୋଟି ୬୪ ଲକ୍ଷ ଟଙ୍କା ଜବତ କରାଯାଇଥିଲା।

କନ୍ଦର୍ପ ପ୍ରଧାନଙ୍କର ଭୁବନେଶ୍ୱରରେ ୩ଟି ଫ୍ଲାଟ୍ ଠାବ କରିଛି ଭିଜିଲାନ୍ସ । ଅନୁଗୋଳରେ ତାଙ୍କର ୨ଟି କୋଠା ରହିଛି। ଏହାଛଡା ଅନୁଗୋଳ ସହର ଓ ଏହା ଆଖପାଖ ଅଞ୍ଚଳରେ ତାଙ୍କର ୫ଟି ପ୍ଲଟ୍ ଠାବ କରାଯାଇଛି। ତାଙ୍କ ଠାରୁ ୨ଟି ଚାରି ଚକିଆ ଗାଡ଼ି, ଗୋଟିଏ ଦୁଇ ଚକିଆ ଗାଡ଼ି ଓ ୫୩୦ ଗ୍ରାମ ସୁନା ଗହଣା ଜବତ କରାଯାଇଛି।