ଗମନାଗମନ ଓ ଆର୍ଥିକ ବିକାଶର ନୂଆ ଯୁଗର ଶୁଭାରମ୍ଭ: ମୁଖ୍ୟମନ୍ତ୍ରୀ | News Room Odisha

ଗମନାଗମନ ଓ ଆର୍ଥିକ ବିକାଶର ନୂଆ ଯୁଗର ଶୁଭାରମ୍ଭ: ମୁଖ୍ୟମନ୍ତ୍ରୀ

ବରଗଡ଼: ବହୁ ପ୍ରତିକ୍ଷୀତ ବିଜୁ ଏକ୍ସପ୍ରେସ ଓ୍ବେ’କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପବିତ୍ର ଜୟନ୍ତୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଆଜି ବରଗଡ଼ ଜିଲ୍ଲା ଗସ୍ତ କରି ଏହି ରାସ୍ତାର ଶୁଭାରମ୍ଭ କରିବା ସହ ଜନସାଧାରଣଙ୍କୁ ସମର୍ପିତ କରି ଏହାକୁ ଏକ୍ସପ୍ରେସ ୱେ’କୁ ବିଜୁ ଇକୋନୋମିକ କରିଡର ଭାବେ ନାମିତ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୋହେଲା ସ୍ଥିତ ହଲଦୀପାଲି ସାଧାରଣ ସଭାରେ ଉଦବୋଧନ ଦେଇ କହିଛନ୍ତି ଯେ, ଗମନାଗମନ ଓ ଆର୍ଥିକ ବିକାଶର ନୂଆ ଯୁଗର ଶୁଭାରମ୍ଭ ହୋଇଛି ।

ଦୀର୍ଘ ୩୭୫ କିଲୋମିଟର ଲମ୍ବା ଥିବା ଏହି ଏକ୍ସପ୍ରେସ ୱେ’ ଯୋଗୁଁ ବରଗଡ଼ ଜିଲ୍ଲା ସମେତ ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଅର୍ଥନୈତିକ ମେରୁଦଣ୍ଡ ମଜ୍ଵବୁତ ହେବ । କୃଷି, ଶିଳ୍ପ, ଜଳସମ୍ପଦ, ପର୍ଯ୍ୟଟନ ସବୁ କ୍ଷେତ୍ରରେ ନୂଆ ନୂଆ ସମ୍ଭାବନା ସୃଷ୍ଟି ହେବ । ବନ୍ଦର ଓ ବିମାନବନ୍ଦର ସହ ଯୋଡି ହେବ । ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ସହ ବଢ଼ିବ ପଶ୍ଚିମ ଓଡ଼ିଶାର ବ୍ୟବସାୟିକ ସମ୍ପର୍କ । ବରଗଡ଼-କଳାହାଣ୍ଡି-ନୂଆପଡ଼ାର ଗ୍ରିନଫିଲ୍ଡ ଅଞ୍ଚଳରେ ଥିବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ମଧ୍ୟ ମୁଖ୍ୟସ୍ରୋତରେ ଯୋଡ଼ି ହେବେ । ୱେ’ର ଦୁଇ ପାଖରେ ୯ଟି ଇଣ୍ଡଷ୍ଟ୍ରିଆଲ କରିଡର ପ୍ରତିଷ୍ଠା କରିବ ଇଡକୋ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ପ୍ରକାଶ ଥାଉକି ଚାରି ଲେନ ବିଶିଷ୍ଟ ଏହି ଏକ୍ସପ୍ରେସ ୱେ ପାଇଁ ୬ ଶହ କୋଟିର ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର ।