ବ୍ରହ୍ମପୁରରେ ଏମ୍ଏସ୍ଏମ୍ଇ ପ୍ରଦର୍ଶନୀ: ଅଣୁ- କ୍ଷୁଦ୍ର- ମଧ୍ୟମ ଉଦ୍ୟୋଗକୁ ପ୍ରୋତ୍ସାହନ  | News Room Odisha

ବ୍ରହ୍ମପୁରରେ ଏମ୍ଏସ୍ଏମ୍ଇ ପ୍ରଦର୍ଶନୀ: ଅଣୁ- କ୍ଷୁଦ୍ର- ମଧ୍ୟମ ଉଦ୍ୟୋଗକୁ ପ୍ରୋତ୍ସାହନ 

ବ୍ରହ୍ମପୁର: ପାଞ୍ଚଦିନିଆ ମେଳା ଚାଲିଛି। ୧୦୫ଟି ଷ୍ଟଲ୍‌ରେ ପ୍ରଦର୍ଶିତ ହେଉଛି ବିଭିନ୍ନ ବର୍ଗର ଉଦ୍ୟୋଗୀଙ୍କ ଦ୍ଵାରା ଉତ୍ପାଦିତ ସାମଗ୍ରୀ, ସେମାନଙ୍କ ଉଦ୍ୟୋଗର ନମୁନା ଓ କଳାକୌଶଳ। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଗଞ୍ଜାମ ଜିଲ୍ଲାସ୍ତରୀୟ ଅଣୁ- କ୍ଷୁଦ୍ର- ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ପ୍ରଦର୍ଶନୀ ଦ୍ଵାରା ଜିଲ୍ଲାର ଏହି ବର୍ଗର ଉଦ୍ୟୋଗୀ, ଶିଳ୍ପପତି ପ୍ରୋତ୍ସାହିତ ହେବେ। ସେମାନଙ୍କ ଆର୍ଥିକ କାରବାର ଅଧିକ ସମୃଦ୍ଧ ହେବ, ସେମାନଙ୍କ ବ୍ୟବସାୟିକ କାରବାର ଅଧିକ ବିକଶିତ ହେବ। ଜିଲ୍ଲାରେ ଛୋଟ ବଡ଼ ଶିଳ୍ପାୟନକୁ ଅଧିକ ତ୍ବରାନ୍ବିତ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ପଡ଼ିଆରେ ଆୟୋଜିତ କରିଛି ଏହି ପ୍ରଦର୍ଶନୀ ମେଳା। ଉଦ୍ୟୋଗୀ ସପ୍ତାହ ପାଳନ ଅବସରରେ ରାଜ୍ୟ ଏମ୍ଏସ୍ଏମ୍ଇ ବିଭାଗ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଳ୍ପ କେନ୍ଦ୍ର ସହଯୋଗରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ ଷ୍ଟଲ୍‌କୁ ଦେଖିବା ସହ ଅଭିଜ୍ଞତା ହାସଲ କରିବା, ବାଣିଜ୍ୟିକ ଜ୍ଞାନ କୌଶଳ ଅର୍ଜନ କରିବା, ଆଲୋଚନାଚକ୍ରରେ ଭାଗ ନେବା ଓ କୃତୀ ଉଦ୍ୟୋଗପତିଙ୍କୁ ପୁରସ୍କୃତ ଜରିଆରେ ଉତ୍ସାହିତ କରିବା ଜରିଆରେ ଜିଲ୍ଲାରେ ଶିଳ୍ପାୟନକୁ ତ୍ଵରିତ କରିବା ମାର୍ଗ ପ୍ରଶସ୍ତ କରିବା ସୁଯୋଗ ସୃଷ୍ଟି କରାଯାଇଛି।

ପ୍ରଦର୍ଶନୀରେ ଥିବା ୧୦୫ଟି ଷ୍ଟଲ୍‌ ମଧ୍ୟରେ ରହିଛି ୬୦ଟି ଏସ୍ଏସ୍ଏମ୍ଇ ଷ୍ଟଲ୍, ୧୦ଟି ହସ୍ତଶିଳ୍ପ ଷ୍ଟଲ୍ ଏବଂ ଏସ୍ଏଚ୍‌ଜିମାନଙ୍କର ୩୫ଟି ଷ୍ଟଲ୍‌। ପ୍ରଦର୍ଶନୀରେ ସ୍ଥାନ ପାଇଛି ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଖାଦ୍ୟ ସାମଗ୍ରୀ, ହସ୍ତଶିଳ୍ପ ଉପକରଣ ଆଦି। କୋଲ୍ଡ ପ୍ରେସ୍ ଅଏଲ୍, ସାନିଟାରୀ ନାପ୍‌କିନ୍, ଲେମନ୍ ଗ୍ରାସ୍ ସମେତ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ଆଚାର, ବଡ଼ି, ପାମ୍ପଡ଼ ଏବଂ କାଠ ତିଆରି କଳାକୃତି, ପଟ୍ଟଚିତ୍ର ଭଳି ହସ୍ତକଳା ଆଦି। ବିଶେଷ କରି ପ୍ରଦର୍ଶନୀ ବୁଲିବାକୁ ଆସିଥିବା ଦର୍ଶକଙ୍କ ପାଇଁ ଆକର୍ଷଣ ସାଜିଥିଲା ଏମ୍ଏସ୍ଏମ୍ଇ ଦ୍ଵାରା ହୁମ୍ମାରେ ପ୍ରତିଷ୍ଠିତ ଡ୍ରାଏ ଫିସ୍ କ୍ଲଷ୍ଟର୍‌ର ମାଛ ମିକ୍ସଚର, ମାଛ ପକୋଡ଼ା ଆଦି ଖାଦ୍ୟ ସାମଗ୍ରୀ।

ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଆୟୋଜିତ ଏହି ଜିଲ୍ଲାସ୍ତରୀୟ ପ୍ରଦର୍ଶନୀ ଉଦ୍‌ଘାଟନୀ ସଭାରେ ଉପସ୍ଥିତ ଥିଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର୍ ସଂଘମିତ୍ରା ଦଳାଇ, ଡେପୁଟି ମେୟର୍ ଇ. ବିବେକ ରେଡ୍ଡୀ, ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ଲୋକନାଥ ଦଳବେହେରା ପ୍ରମୁଖ। ବ୍ରହ୍ମପୁର ମହାନଗରର ଅନେକ ଉଦ୍ୟୋଗୀ ଏହି ପ୍ରଦର୍ଶନୀରେ ଭାଗ ନେଇଛନ୍ତି। ସେମାନଙ୍କ ଆଶା ଏହି ପ୍ରଦର୍ଶନୀ ଦ୍ବାରା ସେମାନଙ୍କ ଉଦ୍ୟୋଗର ପ୍ରଚାର ପ୍ରସାର ହେବା ସହ ବ୍ୟବସାୟିକ କାରବାର ମଧ୍ୟ ବୃଦ୍ଧି ପାଇବ।

ବିଭିନ୍ନ ଦିନରେ ଗଞ୍ଜାମରେ ଶିଳ୍ପାୟନର ସମ୍ଭାବନା, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏମ୍ଏସ୍ଏମ୍ଇ ପ୍ରୋତ୍ସାହନ ନୀତି ଓ ନିଷ୍ପତ୍ତି, ଅନ୍ତର୍ଜାତୀୟ ନାରୀ ଦିବସରେ ଆୟୋଜିତ ହେବାକୁ ଥିବା ମହିଳା ଉଦ୍ୟୋଗୀ ଓ ଗଞ୍ଜାମରେ ଏସ୍ଏସ୍ଏମ୍ଇ ସମ୍ଭାବନା ଶୀର୍ଷକ ଆଲୋଚନା ସହ ଶେଷ ଦିନ ଗୁରୁବାର ହେବ ଉଦ୍‌ଯାପନୀ ସମାରୋହ ଓ ପୁରସ୍କାର ବିତରଣ। ଉଲ୍ଲେଖଯୋଗ୍ୟ ଯେ ନିକଟରେ ଜିଲ୍ଲା ପ୍ରଶାସନ ଛତ୍ରପୁର ବ୍ଲକ୍ ଟାଟା ଏସ୍‌ଇଜେଡ୍‌ରେ କେମିକାଲ୍ ପ୍ଲାଣ୍ଟ୍‌ ପ୍ରତିଷ୍ଠା ବିରୋଧରେ ଦୀର୍ଘଦିନରୁ ଚାଲିଥିବା ପ୍ରତିବାଦର ଅନ୍ତ ଘଟାଇ ଶିଳ୍ପାୟନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାରେ ସଫଳତା ହାସଲ କରିଥିଲା। ଏବେ ଅଣୁ- କ୍ଷୁଦ୍ର- ମଧ୍ୟମ ଉଦ୍ୟୋଗକୁ ବିକଶିତ ତଥା ପ୍ରୋତ୍ସାହିତ କରିବା ପାଇଁ ରାସ୍ତା ପ୍ରଶସ୍ତ କରିଛି ଜିଲ୍ଲା ପ୍ରଶାସନ।