ନବକଳେବର ପରେ ଶୀଘ୍ର ଖୋଲିବ ଜାତୀୟ ମାନର ବ୍ରହ୍ମପୁର ଷ୍ଟାଡିୟମ୍  | News Room Odisha

ନବକଳେବର ପରେ ଶୀଘ୍ର ଖୋଲିବ ଜାତୀୟ ମାନର ବ୍ରହ୍ମପୁର ଷ୍ଟାଡିୟମ୍ 

ବ୍ରହ୍ମପୁର: ପ୍ରତିରକ୍ଷା ବାହିନୀ ଠାରୁ ଜମି ହସ୍ତାନ୍ତର ପରେ ଗତ କିଛି ବର୍ଷ ହେଲା ବ୍ରହ୍ମପୁର ଷ୍ଟାଡିୟମର ନବୀକରଣ ତଥା ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଛି। ନୂଆ କରି ସନ୍ତରଣାଗାର, ଭାରୋତ୍ତୋଳନ ଏକାଡେମୀ ସମେତ ଆହୁରି ଅନେକ ଖେଳର ସୁବିଧା ସୁଯୋଗ ଉପଲବ୍ଧ ହେବ। କ୍ରିକେଟ୍ ଅଭ୍ୟାସ ପିଚ୍, ଉନ୍ନତ ବାସ୍କେଟବଲ୍ କୋର୍ଟ, ମଲ୍ଟି ଜିମ୍ ଆଦି ବିଭିନ୍ନ ସୁବିଧା ଖୁବ ଶୀଘ୍ର କ୍ରୀଡ଼ାବିତଙ୍କ ସକାଶେ ଉପଲବ୍ଧ ହେବ। ନୂଆ ରୂପରେ ସଜେଇ ହେବା ପରେ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ବ୍ରହ୍ମପୁର ଷ୍ଟାଡିୟମ୍। ନିଜ ଗସ୍ତ ଅବସରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବତନ୍ତ୍ର ସଚିବ ତଥା ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ସଚିବ ଆର୍. ଭିନୀଲ୍‌ କ୍ରିଷ୍ଣା।

କ୍ରୀଡ଼ା ଛାତ୍ରାବାସରେ ଭାରୋତ୍ତୋଳନ ଏକ ଇଭେଣ୍ଟ ଭାବେ ବାସ୍କେଟବଲ୍ ଓ ଭଲିବଲ୍ ପରି ସାମିଲ ଥିଲା। ହେଲେ ବର୍ତ୍ତମାନ ସେଠି କାର୍ଯ୍ୟକ୍ଷମ ହେବ ଜାତୀୟ ମାନର ଭାରୋତ୍ତୋଳନ ଏକାଡେମୀ ଯେଉଁଠି ରାଜ୍ୟର ବଛା ବଛା ଭାରୋତ୍ତୋଳକଙ୍କୁ ଉନ୍ନତ ମାନର ତଥା ଆଧୁନିକ ପ୍ରଶିକ୍ଷଣ ଦିଆଯିବ। ଏହି ଏକାଡେମୀ ହେବ ସାରା ଭାରତର ଅନ୍ୟତମ ବୃହତ୍ କ୍ରୀଡ଼ା ତାଲିମ ପ୍ରତିଷ୍ଠାନ। ପ୍ରଥମ ପର୍ଯ୍ୟାୟରେ ୨୦୦ ସିଟ୍ ବିଶିଷ୍ଟ କରାଯିବ ଓ ପରବର୍ତ୍ତୀ ସମୟରେ ୩୦୦ ଦିବାଧ୍ୟାୟୀ (ଡେ’ ସ୍କଲାର୍)ଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଭବିଷ୍ୟତରେ ଏଠାରୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଖେଳାଳି ବାହାରିବେ ବୋଲି କ୍ରୀଡ଼ା ସଚିବ କହିଛନ୍ତି।

ବ୍ରହ୍ମପୁର ଷ୍ଟାଡିୟମରେ ଚାଲିଥିବା ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ ହେବ। ଯଥାସମ୍ଭବ କାମ ତ୍ବରାନ୍ବିତ କରି ଚଳିତ ମାସ ଶେଷ ସୁଦ୍ଧା ପ୍ରକଳ୍ପ ସାରିବା ପରେ ଆସନ୍ତା ମାସ ଏହାକୁ ଉଦଘାଟନ କରାଯିବା ଯୋଜନା ରହିଛି। ଗ୍ରୀଷ୍ମ ବିରତିରେ ଏଠାରେ ସମର୍ କ୍ୟାମ୍ପ୍ ଖୋଲାଯିଵାକୁ ବିଚାର କରାଯାଉଥିବା ସୂଚନା ଦେଇଛନ୍ତି ସଚିବ ଆର୍. ଭିନୀଲ୍‌ କ୍ରିଷ୍ଣା।