ଏକତା ମହୋତ୍ସବ ଉଦଯାପିତ, ଯୁବ ଏକତା ଓ ସଂହତି ଅଞ୍ଚଳକୁ କରିବ ବିକଶିତ - ବିଧାୟକ ପଦ୍ମନାଭ | News Room Odisha

ଏକତା ମହୋତ୍ସବ ଉଦଯାପିତ, ଯୁବ ଏକତା ଓ ସଂହତି ଅଞ୍ଚଳକୁ କରିବ ବିକଶିତ – ବିଧାୟକ ପଦ୍ମନାଭ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡର କଦଳୀ ପାଲି ଛକରେ ୫ଦିନ ଧରି ଚାଲିଥିବା ନୃତ୍ୟ ଗୀତର ମହାକୁମ୍ଭ ଏକତା ମହୋତ୍ସବ ଉଦଯାପିତ ହୋଇଯାଇଛି। ଲୋକଗୀତ ଓ ନୃତ୍ୟ ସହ ଜଳନ୍ଧର ଦରବାର ପରି ସାଂସ୍କୃତିକ କାର୍ଯ୍ୟକ୍ରମରେ ଭର୍ଣ୍ଣି ମଞ୍ଚ ଦୁଲୁକି ଉଠିଥିବାବେଳେ ପରିବେଷିତ ପ୍ରତିଟି କାର୍ଯ୍ୟକ୍ରମକୁ ହଜାର ହଜାର ଲୋକ ଉପଭୋଗ କରିଛନ୍ତି। ଏକତା ଗୃପ ପକ୍ଷରୁ ଆୟୋଜିତ ମହୋତ୍ସବରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଅତିଥି ଭାବେ ଯୋଗଦେଇ ଆଜିର ଯୁବ ଏକତା ଓ ସଂହତି ଏହି ରତ୍ନଗର୍ଭା ମାଟିର ସାମାଜିକ ଓ ସାଂସ୍କୃତିକ ବିକାଶକୁ ତ୍ବରାନ୍ବିତ କରିବ ବୋଲି ଉଦବୋଧନ ଦେଇ ଏକତା ମହୋତ୍ସବର ସୁଦୂର ପ୍ରସାରୀ ଆଭିମୁଖ୍ୟର ପ୍ରଶଂସା କରିଛନ୍ତି।

ଏହି ଅବସରରେ ଅଞ୍ଚଳବାସୀଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦେଇ ଆଗାମୀ ଦିନରେ ଜଳସେଚନର ସ୍ଥାୟୀ ସମାଧାନ,ରାସ୍ତାଘାଟର ଉନ୍ନତି ଓ ଗ୍ରାମୀଣ ବିକାଶକୁ ଅଧିକ ଧ୍ୟାନ ଦିଆଯିବ ବୋଲି କହିଛନ୍ତି। ଏକତା ଗ୍ରୁପର ସମାଜ ପ୍ରେରିତ କାର୍ଯ୍ୟଧାରାକୁ ମଜବୁତ କରିବା ଲକ୍ଷରେ ଏକ ସ୍ଥାୟୀ କାର୍ଯ୍ୟାଳୟ ପାଇଁ ସ୍ୱତନ୍ତ୍ର ଅନୁଦାନ ଦେବାକୁ ଘୋଷଣା କରିଛନ୍ତି। ଏକତା ମହୋତ୍ସବର ଆବାହକ ପାଣିନୀ ପ୍ରାଜ୍ଞଙ୍କ ପରିଚାଳନାରେ ଅନୁଷ୍ଠିତ ସାନ୍ଧ୍ୟ ସଭାରେ ବିଧାୟକ ପଦ୍ମନାଭ ବେହେରାଙ୍କ ସହ ଜିଲ୍ଲା ପରିଷଦ ସଭ୍ୟା ଚନ୍ଦ୍ରକାନ୍ତି ଦନ୍ତା,ସମାଜ ସମ୍ବଲପୁର ସଂସ୍କରଣର ବରିଷ୍ଠ ସାମ୍ବାଦିକ ଦେବେନ ପଟେଲ ଓ ସଂଗୀତଜ୍ଞ ତଥା ଓଡିଶା ସଙ୍ଗୀତ ନାଟକ ଏକାଡେ଼ମୀ ସଭ୍ୟ ଶାଶ୍ୱତ ତ୍ରିପାଠୀ, ଜନପ୍ରିୟ କମେଡିଏନ ଯୋଗେଶ ଜୋଜୋ, ଅଭିନେତା ସୁରେଶ ରଥ ଓ ଆର.କେ.ମିଡ଼ିଆର ନିର୍ଦ୍ଦେଶକ ରାଜକିଶୋର ମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ଦେଇଥିଲେ।

ଅନ୍ୟତମ ଅତିଥି ଭାବେ ସମିତି ସଭ୍ୟା ସସ୍ମିତା ସେଠୀ, ସମାଜସେବୀ ରଞ୍ଜିତ ରଥ, ଉତ୍ତର ପାତ୍ର, ଅଗ୍ନିଶମ ଅଧିକାରୀ ବି.ଏନ.ଏକ୍କା,ରାଜେନ୍ଦ୍ର ପଧାନ,ବିକୁଳ ପଧାନ ଓ ସୁଶୀଲ ପଧାନ ପ୍ରମୁଖ ମଞ୍ଚଆସିନ ଥିଲେ। ସାଂସ୍କୃତିକ ମଞ୍ଚରେ ପ୍ରବୀଣ ଅଭିନେତା ବଟକୃଷ୍ଣ ସାହୁ ଏବଂ ସାଥୀଙ୍କ ଜଳନ୍ଧର ଦରବାରର କଥା କାହାଣୀକୁ ଦର୍ଶକ ଉପଭୋଗ କରିଥିବା ବେଳେ କଣ୍ଠଶିଳ୍ପୀ ଶାଶ୍ୱତ ତ୍ରିପାଠୀ ଓ ନିଳିମା ମହାନ୍ତିଙ୍କ ଲୋକଗୀତର ଯାଦୁ ସହ ରୁମକୁ ଝୁମନା ଓ ବରଗଡ଼ର ଢଲିଆ ଖୁସା ଅନୁଷ୍ଠାନ କଳାକାରଙ୍କ ନୃତ୍ୟଗୀତରେ ଝୁମି ଉଠିଥିଲେ । ଏଥିସହ ଯୋଗେଶ ଜୋଜୋ, ମଣୀନ୍ଦ୍ର ପଣ୍ଡା, ଟିଙ୍କୁ ଟିଙ୍ଗାଲୁ ଓ ସାଥି କଳାକାରଙ୍କ କମେଡିରେ ଦର୍ଶକ ହସି ହସି ବେଦମ ହୋଇପଡିଥିଲେ । ମହୋତ୍ସବର ବିଭିନ୍ନ ପରିଚାଳନାରେ ପବିତ୍ର କମ୍ପ, ସଂଜୀବ ସାହୁ,ରାଜୀବ ବିଶ୍ୱାଳ,ଲିପୁନ ପ୍ରଧାନଙ୍କ ସହ ଉପଦେଷ୍ଟା ରାଜଗୋପାଳ ପାଣିଗ୍ରାହୀ ଓ ଶ୍ୟାମ ସୁନ୍ଦର ମିଶ୍ରଙ୍କ ମାର୍ଗଦର୍ଶନରେ ଶହେରୁ ଉର୍ଦ୍ଧ୍ବ ଯୁବ ସ୍ବେଚ୍ଛାସେବୀ ଏକତା ମହୋତ୍ସବକୁ ସଫଳ କରିବାରେ ସହଯୋଗ କରିଥିଲେ ।