ଗିନିଜ ବୁକରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ, ପ୍ରମାଣପତ୍ର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ  | News Room Odisha

ଗିନିଜ ବୁକରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ, ପ୍ରମାଣପତ୍ର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ 

ରାଉରକେଲା – ଗିନିଜ ବୁକ୍‌ ଅଫ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇଛି ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ। ରାଉରକେଲାରେ ନିର୍ମିତ ଏହି ହକି ଷ୍ଟାଡିୟମରେ ସର୍ବାଧିକ ୨୧ ହଜାର ଦର୍ଶକ ବସିବାର କ୍ଷମତା ଥିବାରୁ ବିର୍ସା ମୁଣ୍ଡା ଷ୍ଟାଡିୟମକୁ ଗିନିଜ ବୁକ ଅଫ ରେକର୍ଡ୍ସରେ ସ୍ଥାନ ମିଳିଛି। ତେବେ ଗତ ଜାନୁଆରୀ ମାସରେ ଏନେଇ ଘୋଷଣା କରାଯାଇଥିବା ବେଳେ ଆଜି ଏଫ୍‌‌ଆଇଏଚ୍‌‌ ପ୍ରୋ ଲିଗ୍‌‌ ହକି ଅବସରରେ ଗିନିଜ ବୁକ୍ କର୍ତ୍ତୃପକ୍ଷ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ପ୍ରମାଣପତ୍ର ପ୍ରଦାନ କରିଛନ୍ତି।

ଗିନିଜ ବୁକ୍ ଅଫ୍ ରେକର୍ଡ୍ସ ପ୍ରମାଣପତ୍ର ମିଳିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ଏବଂ ଏହି ପ୍ରକଳ୍ପରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ମୁଁ ସୁନ୍ଦରଗଡବାସୀ ତଥା ହକି ପ୍ରଶଂସକଙ୍କୁ କ୍ରୀଡା ପ୍ରତି ସମର୍ଥନ ପାଇଁ ଧନ୍ୟବାଦ ଜଣାଉଛି। ଏହି ସ୍ୱୀକୃତିକୁ ଓଡିଶାବାସୀଙ୍କୁ ଉତ୍ସର୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ।

ବିର୍ସାମୁଣ୍ଡା ଷ୍ଟାଡିୟମ ହକି ବିଶ୍ବକପ ପୂର୍ବରୁ ନିର୍ମାଣ କରାଯାଇଥିଲା । ଖୁବ କମ ଦିନ ମଧ୍ୟରେ ଏତେ ବଡ ଷ୍ଟାଡିୟମର ନିର୍ମାଣ ହୋଇପାରିଥିଲା । ଏହି ଷ୍ଟାଡିୟମରେ ଜାନୁଆରୀ ୧୩ ତାରିଖରେ ପ୍ରଥମ ଆନ୍ତର୍ଜାତିକ ହକି ମ୍ୟାଚ ଖେଳା ଯାଇଥିଲା ।