ମାନସିକ ଅସୁସ୍ଥ ପ୍ରଭାସିନୀଙ୍କ ପାଇଁ ନୂଆ ଜୀବନ ଆଣିଦେଲା ବିଏସକେଓ୍ବାଇ  | News Room Odisha

ମାନସିକ ଅସୁସ୍ଥ ପ୍ରଭାସିନୀଙ୍କ ପାଇଁ ନୂଆ ଜୀବନ ଆଣିଦେଲା ବିଏସକେଓ୍ବାଇ 

ଭଞ୍ଜନଗର: ଦୁଇ ବର୍ଷ ହେବ ମାନସିକ ଭାରସାମ୍ୟ ହରାଇ ବସିଥିଲେ ସେ। ନାଁ ଘରେ ରହିବା ନାଁ ଠିକ୍ ଭାବେ ଖିଆପିଆ କରିବା ନାଁ ପୋଷାକ ପ୍ରତି ଯତ୍ନ ନାଁ ବିଶ୍ରାମ ପ୍ରତି ଧ୍ୟାନ। କେବଳ ଗାଁ ପୋଖରୀ ହିଡରେ ଗଛ ମୂଳେ ଘଣ୍ଟା ଘଣ୍ଟା ଠିଆ ହୋଇ ରହୁଥିଲେ। ଯେତେବେଳେ ତାଙ୍କ ସମ୍ପର୍କରେ ଖବର ପ୍ରସାରିତ ହେଲା, ରାଜ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେଓ୍ବାଇ) ଟିମ୍ ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଜିଲ୍ଲା ମାନସିକ ସ୍ଵାସ୍ଥ୍ୟ ୟୁନିଟକୁ ଅବଗତ କରାଯାଇ ତାଙ୍କୁ ଉଦ୍ଧାର କରାଯାଇ ଆବଶ୍ୟକ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଫଳସ୍ବରୂପ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ କଇଠପଲ୍ଲୀ ଗ୍ରାମର ପ୍ରଭାସିନୀ ନାଇକ। ମୋ ମା’ ପୂର୍ବ ଭଳି ସାଧାରଣ ଜୀବନ ଜୀଇଁବେ ଏଭଳି ଆଶା ଛାଡ଼ି ଦେଇଥିଲୁ। ହେଲେ ନବୀନ ବାବୁଙ୍କ ବିଏସକେଓ୍ବାଇ ଟିମ୍ ମା’ଙ୍କୁ ନୂଆ ଜୀବନ ଦେଇଛି ବୋଲି କହିଛନ୍ତି ପ୍ରଭାସିନୀଙ୍କ ଝିଅ ବର୍ଷା ନାଇକ। ଆଉ ସେଥିପାଇଁ ପରିବାର ଲୋକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

ପ୍ରଭାସିନୀଙ୍କ ପାଇଁ ବିଏସକେଓ୍ବାଇ ଆଣି ଦେଇଛି ନୂଆ ଜୀବନ। ପ୍ରାୟ ଦଶ ବର୍ଷ ତଳୁ ସ୍ବାମୀ ପରିତ୍ୟକ୍ତା ପ୍ରଭାସିନୀ ମାନସିକ ଭାରସାମ୍ୟ ହରାଇ ପାଗଳୀ ପ୍ରାୟ ହୋଇ ଯାଇଥିଲେ। ଖରା, ବର୍ଷା ହେଉ କିମ୍ବା ଶୀତ, ଦିନ ଆଉ ରାତି ତାଙ୍କ ଉପରେ ବିଶେଷ ପ୍ରଭାବ ପକାଇ ପାରୁ ନଥିଲା। ମାନସିକ ସ୍ଥିତି ପ୍ରାୟ ବିଗିଡି ସାରିଥିଲା। ତେବେ ତାଙ୍କ ବାବଦରେ ଖବର ପ୍ରସାରିତ ହେବା ପରେ ତଥା ରାଜ୍ୟସ୍ତରରୁ ନିର୍ଦ୍ଦେଶ ଆସିବା ପରେ ଜିଲ୍ଲା ମେଣ୍ଟାଲ୍ ହେଲଥ୍ ଟିମ୍, ବେଲଗୁଣ୍ଠା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ସ୍ଥାନୀୟ ଜନପ୍ରତିନିଧିଙ୍କ ସହାୟତାରେ ପ୍ରଭାସିନୀଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନା ମାନସିକ ସ୍ଵାସ୍ଥ୍ୟ ବିଭାଗରେ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ। ପ୍ରାୟ ତିନି ସପ୍ତାହ କାଳ ଚିକିତ୍ସା ପରେ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ମାର୍ଚ୍ଚ ୯ ତାରିଖରେ ଘରକୁ ଫେରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନା, ଗ୍ରାମ୍ୟ ଗୃହ ଯୋଗାଣ ସ୍କିମରେ ସାମିଲ କରାଯାଉଛି। ପ୍ରଭାସିନୀଙ୍କ ଝିଅ ବର୍ଷାଙ୍କ ପାଠପଢ଼ା ସାଙ୍ଗକୁ ସ୍କୁଲରେ ତା’ର ଟ୍ୟୁସନ୍ ଫି ଛାଡ଼ ବ୍ୟବସ୍ଥା କରିଛି ପ୍ରଶାସନ। ଗ୍ରାମବାସୀ ମଧ୍ୟ ଏଥିପାଇଁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନକୁ ସାଧୁବାଦ ଜଣାଉଛନ୍ତି।