ଶ୍ରୀଜଗନ୍ନାଥ ସଂସ୍କୃତିରେ ଶ୍ରୀମନ୍ଦିର ସହ ଜଡ଼ିତ କେତେକ ପ୍ରଚଳିତ ଶବ୍ଦାବଳୀ ।
? ଶ୍ରୀମନ୍ଦିର ➖
ଏହାର ନାଁ ଯେପରି ଅନନ୍ୟ; ନୀତିକାନ୍ତି ମଧ୍ୟ ଅନ୍ୟ ସମସ୍ତ ମନ୍ଦିରଠାରୁ ଭିନ୍ନ । ଓଡ଼ିଆ ସାହିତ୍ୟରେ ଏଠାରେ ପ୍ରଚଳିତ ଶବ୍ଦର ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି ।
? ତଡ଼ପ
ତଡ଼ପ ହେଉଛି ଏକ ପ୍ରକାଉ ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ ସୂତା ଲୁଗା । ଅବକାଶ ବେଶ ସମୟରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନଙ୍କୁ ୪ଟି ତଡ଼ପ ଲାଗିହୁଏ । ଏହା ଶ୍ରୀ ଜିଉମାନଙ୍କ ସ୍ନାନବେଶ ଲାଗି ଉଦ୍ଦିଷ୍ଟ ।ଠାକୁରମାନଙ୍କ ମୁଖଠାରୁ ତଳକୁ କେବଳ ଗୋଟିଏ ଲେଖାଏଁ ତଡ଼ପ ପରିଧାନ କରାଯାଇଥାଏ । ଅନ୍ୟ ପକ୍ଷରେ ୨ଟି ଉତ୍ତରୀୟ ମହାପ୍ରଭୁ ବଳଭଦ୍ର ଓ ଜଗନ୍ନାଥଙ୍କୁ ଲାଗି ହୋଇଥାଏ , ଯାହା ଶ୍ରୀ ଜିଉଙ୍କ ଉଦର ପାଖରୁ ଗୋଟିଏ ପଟ ଶ୍ରୀଭୁଜ ଦେଇ ତଳ ପର୍ଯ୍ୟନ୍ତ ଲମ୍ବି ରହିଥାଏ
? ମଇଲମ
ମହାପ୍ରଭୁମାନଙ୍କ ବେଶ ବଦଳାଇବା ପ୍ରଥାକୁ ଶ୍ରୀମନ୍ଦିରର ପାରମ୍ପରିକ ଭାଷାରେ ମଇଲମ ବୋଲି କୁହାଯାଏ । ଠାକୁରମାନଙ୍କ ପୁଷ୍ପ ଅଳଙ୍କାର, ବସ୍ତ୍ର, ମାଳଚୂଳ ପରିବର୍ତ୍ତନ କରାଗଲେ ମଧ୍ୟ ଏହାକୁ ମଇଲମ କୁହାଯାଏ । ପୁଷ୍ପାଳକ ସେବକମାନେ ଏହି କାର୍ଯ୍ୟ ସମ୍ପାଦନ କରିଥାଆନ୍ତି । ପ୍ରତି ଧୂପ, ବେଶ ଓ ମହାସ୍ନାନ ପରେ ଠାକୁରମାନଙ୍କୁ ମଇଲମ କରାଯାଇଥାଏ ।
? ମଇଲମ ଭୋଗ
ଠାକୁରମାନେ ଅଣସରରେ ଥିବା ବେଳେ ଏହି ଭୋଗ ଲାଗିହୁଏ । ମୁଗ ଓ ନଡ଼ିଆକୁ କୋରାଇ ଏକତ୍ର ପ୍ରସ୍ତୁତ ମଇଲମ ଭୋଗ ହେଉଛି ଏକ ପ୍ରକାର ଚକଟା; ଯାହା କେବଳ ଅଣସର ସମୟରେ ଲାଗି ହୋଇଥାଏ ।
? ଟେରା
ଧୂପ ବା ଭୋଗ ହେଉଥିବା ସମୟରେ ଏକ ପରଦା ପକାଇ ଦିଆଯାଏ; ଯେପରି ଶ୍ରୀ ଜିଉମାନଙ୍କ ଅଧର ଦେଖାଯିବ ନାହିଁ । ଭୋଗ ସମୟରେ ଆଢ଼ୁଆଳ ପାଇଁ ପକାଯାଉଥିବା କନାର ପରଦା ବା ଯବନିକା ହେଉଛି, ଶ୍ରୀମନ୍ଦିର ଭାଷାରେ ଟେରା । ରଥ ଉପରେ ମଧ୍ୟ ପ୍ରସାଦ ଲାଗି ସମୟରେ ଟେରା ପଡ଼ିବାର ବିଧି ଅଛି ।
? ବଇଠା
ଦୀପ ରଖିବା ପାଇଁ କାଠରେ ନିର୍ମିତ ହୋଇଥିବା ଏକ ସାଜ । ଦୁଇଟି ଚଟକା ତଥା ବର୍ଗାକାର ପଟା ମଧ୍ୟରେ ଏକ କାଠ ଦଣ୍ଡ ଯୋଡି ଏହି ସାଜ ପ୍ରସ୍ତୁତ ହୋଇଥାଏ; ଯେପରି ଏହା ଉପରେ ଦୀପ ରଖା ଯାଇପାରିବ ।
? ଗୁଣ୍ଡିଚା
ଗୌଡ଼ୀୟ ବୈଷ୍ଣବମାନେ ରଥଯାତ୍ରା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ମାର୍ଜନା କରିଥାନ୍ତି । ହାତରେ ଖଡ଼ିକା ନେଇ ଶ୍ରୀଗୁଣ୍ଡିଚା ପୂର୍ବଦିନ ଏହି ମତାବଲମ୍ବୀମାନେ ଗୁଣ୍ଡିଚା ଘର ସଫା କରିଥାନ୍ତି । ଶ୍ରୀ ଚୈତନ୍ୟ ଦେବ ଏହାର ପ୍ରବର୍ତ୍ତକ । ଏବେ ମଧ୍ୟ ବହୁ ସଂଖ୍ୟାରେ ଗୌଡ଼ୀୟ ବୈଷ୍ଣବଙ୍କ ସହ ବଙ୍ଗୀୟ ଭକ୍ତ ଓ ଶ୍ରଦ୍ଧାଳୁ ଗୁଣ୍ଡିଚା ମାର୍ଜନା କରୁଥିବାର ଦେଖିବାକୁ ମିଳେ ।
? ଗରାବଡୁ
ମଙ୍ଗଳ ଆଳତି, ଅବକାଶ, ସକାଳ ଧୂପ ସମୟରେ ନୀତି ପାଇଁ ପୂଜାପଣ୍ଡାଙ୍କୁ ରୂପା ଝରିରେ ଜଳ ଯୋଗାଉଥିବା ସେବକ । ଏମାନେ ଘଷା ଜଳ ପ୍ରସ୍ତୁତ କରନ୍ତି ।
? ହାତୁଆଣି
ଏହାର ପ୍ରକୃତ ଅର୍ଥ ହେଉଛି ହାତ ଧୋଇବା ପାଣି । ଗରାବଡୁ ସେବାକ ମଇଲମ ଓ ଚନ୍ଦନ ଲାଗି ସମୟରେ ପୁଷ୍ପାଳକଙ୍କୁ ହାତ ଧୋଇବାକୁ ପାଣି ଯୋଗାଇଥାନ୍ତି ।
ଏହାକୁ ହାତୁଆଣି ବୋଲି କୁହାଯାଏ ।
? ରୋଷ ହୋମ
ମହାପ୍ରସାଦ ପ୍ରସ୍ତୁତି ପୂର୍ବରୁ ରୋଷଘରେ ଏକ ହୋମ ଅନୁଷ୍ଠିତ ହୋଇଥାଏ । ଚୂଲାରେ ଅଗ୍ନି ସଂଯୋଗ ପାଇଁ ସମ୍ଭବତଃ ଏହି ଅନୁଷ୍ଠିତ ହେଉଥିବାରୁ ଏହାକୁ ରୋଷ ହୋମ ବୋଲି କୁହାଯାଇଥାଏ ।
? ଓଲାର
ଏହା ଏକ ପ୍ରକାରର ଛତ୍ର । ଜଗନ୍ନାଥ ମହାପ୍ରଭୁଙ୍କ ବିଜେ ସମୟରେ ଧଳା ରଙ୍ଗର ଓ ବଳଭଦ୍ରଙ୍କ ସାମ୍ନାରେ କଳା ରଙ୍ଗର ଛତ୍ର ଯାଉଥିବା ବେଳେ ଦେବୀ ସୁଭଦ୍ରାଙ୍କ ସମ୍ମୁଖରେ ଯୌଥିବା ଛତ୍ରୀକୁ ଓଲାର ବୋଲି କୁହାଯାଇଥାଏ ।
ଏହା ହଳଦିଆ ଓ ନାଲି ରଙ୍ଗର କନାରେ ପ୍ରସ୍ତୁତ ହୋଇଥାଏ ।
? ବଜନ୍ତରି ବା ବୈଜୟନ୍ତୀ
ବିଭିନ୍ନ ପୂଜାପର୍ବାଣି ସମୟରେ ଅଥବା ଶ୍ରୀ ଜିଉମାନଙ୍କ ବାହାର ବିଜେ ବେଳେ ବାଜା ବଜୌଥିବା ଏକ ସେବକ ସମ୍ପ୍ରଦାୟ । ଏହି ସେବକ ରଥକୁ ଠାକୁରଙ୍କ ସମ୍ମୁଖରେ ଅନ୍ୟ ଏକ ଡଙ୍ଗା ବା ଚିପରେ ବସି ବାଜା ବଜାନ୍ତି । ଆଜ୍ଞାମାଳ ବିଜେ ସମୟରେ ମଧ୍ୟ ସେମାନେ ବାଜା ବଜାଇ ସର୍ବାଗ୍ରେ ଯାଇଥାନ୍ତି ।
? ମଣୋହି
ଠାକୁରଙ୍କୁ ପ୍ରସାଦ ସମର୍ପଣ ବିଧିକୁ ମଣୋହି ବୋଲି କୁହାଯାଏ । ରାଜାଙ୍କ ଭୋଜନ ସମର୍ପଣ କ୍ଷେତ୍ରରେ ମଧ୍ୟ ଏହି ଶବ୍ଦ ବ୍ୟବହାର କରାଯାଏ । ତେବେ ଜଗନ୍ନାଥ ସଂସ୍କୃତିରେ ମହାପ୍ରଭୁ ସମଗ୍ର ଉତ୍କଳର ରାଜା ବୋଲି ବିବେଚିତ ହୋଇଥିବାରୁ ତାଙ୍କ ନିକଟରେ ପ୍ରସାଦ ସମର୍ପଣ ବିଧିକୁ ମଣୋହି କୁହାଯାଇଥାଏ । ଶ୍ରୀମନ୍ଦିରରେ ମଣୋହିର ପ୍ରକାର ଭେଦ ରହିଛି ।
? ଅମୃତ ମଣୋହି
ଶ୍ରୀ ଜଗନ୍ନାଥଙ୍କ ପ୍ରସାଦ । ଅନ୍ୟପକ୍ଷରେ ରାଜା, ଜମିଦାର, ମଠ, ମଠାଧୀଶଙ୍କ ମାର୍ଫତ୍ ରେ ଥିବା ମହାପ୍ରଭୁଋ ଭୂସମ୍ପତ୍ତି; ଯାହା ଠାକୁରଙ୍କ ନୀତିକାନ୍ତି ତଥା ଅତିଥି, ଭକ୍ତ, ଶ୍ରଦ୍ଧାଳୁଙ୍କ ସେବାରେ ବିନିଯୋଗ ହେବା ଲାଗି ଉଦ୍ଦିଷ୍ଟ ।
? ବୀର ମଣୋହି
ଉତ୍କଳୀୟ ରାଜାମାନେ କୌଣସି ରାଜ୍ୟ ଜୟ କରିବା ପରେ ମହାପ୍ରଭୁଙ୍କୁ ସମର୍ପଣ କରି ଅଞ୍ଚଳବାସୀଙ୍କୁ ଖାଦ୍ୟପେୟରେ ଆପ୍ୟାୟିତ କରିଥାଆନ୍ତି । ବୀରତ୍ୱର ସହ ରାଜ୍ୟ ଜୟ କରି ମହାପ୍ରଭୁଙ୍କୁ ସମର୍ପଣ ହୋଇଥିବାରୁ, ଏହି ଉପଲକ୍ଷେ ବୀର ମଣୋହି ଶ୍ରୀଜିଉଙ୍କୁ ସମର୍ପିତ ହୁଏ ।
? ସର୍ପା ମଣୋହି
ସମର୍ପିତ ମଣୋହି ବା ନୈବେଦ୍ୟ ଅପଭ୍ରଂଶ ହୋଇ ସର୍ପା ମଣୋହି ହୋଇଛି । ଜଗମୋହନରେ ଗୋପାଳ ବଲ୍ଲଭଠାରୁ ପହଡ଼ ପର୍ଯ୍ୟନ୍ତ, ରଥ ଉପରେ, ଗୁଣ୍ଡିଚା ମନ୍ଦିରରେ ଠାକୁର ଥିବା ବେଳେ ନୈବେଦ୍ୟକୁ ସର୍ପା ମଣୋହି କୁହାଯାଏ ।
? ଚକ୍ର ମଣୋହି
ଉତ୍କଳୀୟମାନେ ନୀଳଚକ୍ରକୁ ଜଗନ୍ନାଥଙ୍କ ତୁଲ୍ୟ ସମ୍ମାନ ଦିଅନ୍ତି । ତେଣୁ ଏହାକୁ ମଧ୍ୟ ପ୍ରସାଦ ସମର୍ପଣ କରାଯାଏ, ଯାହାକୁ ଚକ୍ର ମଣୋହି କୁହାଯାଏ । ନୀଳଚକ୍ର ଦିଶୁଥିବା ସ୍ଥାନ ପର୍ଯ୍ୟନ୍ତ ମଣୋହି ବା ପ୍ରସାଦ ସମର୍ପଣ ହେବାର ବିଧି ଅଛି ।