ଜଙ୍ଗଲ ନିଆଁ ନେଇ ବିଧାନସଭାରେ କ'ଣ କହିଲେ ମନ୍ତ୍ରୀ? | News Room Odisha

ଜଙ୍ଗଲ ନିଆଁ ନେଇ ବିଧାନସଭାରେ କ’ଣ କହିଲେ ମନ୍ତ୍ରୀ?

ଭୁବନେଶ୍ବର -ରାଜ୍ୟରେ ଜଙ୍ଗଲ ନିଆଁକୁ ନେଇ ବିଧାନସଭାରେ ସଦସ୍ୟମାନେ ଉଦବେଗ ପ୍ରକାଶ କରିଛନ୍ତି । ଆଜି ପ୍ରଶ୍ନକାଳରେ ଜଙ୍ଗଲ ନିଆଁ ପ୍ରସଙ୍ଗ ଉଠିଥିଲା। କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଓ ବିଜେପି ବିଧାୟିକା କୁସୁମ ଟେଟେ ଏ ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ।

ସଦସ୍ୟଙ୍କ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ଓ ପରିବେଶମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି ଯେ, ସାଟେଲାଇଟରେ ଯାହା ଆସୁଛି ସେଥିରେ କେବଳ ଜଙ୍ଗଲରେ ନିଆଁ ଲାଗୁନି, ବରଂ ଅନେକ ସ୍ଥାନରେ ଚାଷୀମାନେ ଉନ୍ନତ ମାନର ଚାଷ କରିବା ପାଇଁ ଧାନ ବିଲରେ ନିଆଁ ଲଗେଇ ଦେଉଛନ୍ତି। ଧାନ କାଟିବା ପରେ ଯେଉଁ ବଳକା ରହିଯାଉଛି ସେଥିରେ ଚାଷୀମାନେ ନିଆଁ ଲଗେଇ ଦେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଯେତିକି ଅଞ୍ଚଳରେ ନିଆଁ ଲାଗିଛି ତାର ୯୮ ପ୍ରତିଶତକୁ ଅନୁଧ୍ୟାନ କରାଯାଉଥିବା ସେ କହିଛନ୍ତି। ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓବନ ସୁରକ୍ଷା ସମିତିର ସହଯୋଗ ନିଆଯାଉଥିବା ମନ୍ତ୍ରୀ ସୂଚନା ଦେଇଥିଲେ। ଯେଉଁମାନେ ଜଙ୍ଗଲ ଭିତରେ ପଶି ନିଆଁ ଲଗାଉଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ମନ୍ତ୍ରୀ କହିଛନ୍ତି ।