ପ୍ରଥମ ଦିନିକିଆ: ବ୍ରେସଓ୍ବେଲଙ୍କ ବିସ୍ଫୋରକ ଶତକ ସତ୍ତ୍ୱେ ଜିତିଲା ଭାରତ  | News Room Odisha

ପ୍ରଥମ ଦିନିକିଆ: ବ୍ରେସଓ୍ବେଲଙ୍କ ବିସ୍ଫୋରକ ଶତକ ସତ୍ତ୍ୱେ ଜିତିଲା ଭାରତ 

ହାଇଦ୍ରାବାଦ: ଶୁଭମାନ ଗିଲଙ୍କ ଚମତ୍କାର ଦ୍ୱିଶତକ ବଳରେ ଭାରତ ଏଠାରେ ଅନୁଷ୍ଠିତ ହାଇ ସ୍କୋରିଂ ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୧୨ ରନରେ ହରାଇ ରୋମାଞ୍ଚକ ବିଜୟ ହାସଲ କରିଛି । ଗିଲ୍ ଭାରତର ପଞ୍ଚମ ବ୍ୟାଟର ଭାବେ ଦ୍ୱିଶତକ ହାସଲ କରି ଏକାଧିକ ରେକର୍ଡ ଭାଙ୍ଗିଥିବା ବେଳେ ଭାରତ ପ୍ରଥମେ ବ୍ୟାଟିଂ କରି ୮ ୱିକେଟରେ ୩୪୯ ରନ୍ କରିଥିଲା । ଗିଲ୍ ମାତ୍ର ୧୪୯ଟି ବଲରେ ୧୯ଟି ଚୌକା ଓ ୯ଟି ଛକା ସହ ବିସ୍ଫୋରକ ୨୦୮ ରନ୍ କରିଥିଲେ ।

ଭାରତ ପ୍ରଦତ୍ତ ୩୫୦ ରନର କଷ୍ଟସାଧ୍ୟ ଲକ୍ଷ୍ୟର ପିଛାକରି ନ୍ୟୁଜିଲାଣ୍ଡ ମାଇକେଲ ବ୍ରେସୱେଲଙ୍କ ଧୂଆଁଧାର ଶତକ ସତ୍ତ୍ୱେ ୪୯.୨ ଓଭରରେ ୩୩୭ ରନ୍ କରି ଆଉଟ୍ ହୋଇଯାଇଥିଲା । ଏହି ବଡ଼ ବିଜୟଲକ୍ଷ୍ୟ ଜବାବରେ ନ୍ୟୁଜିଲାଣ୍ଡ ଏକଦା ୧୩୧ ରନରେ ୬ଟି ୱିକେଟ୍ ହରାଇ ଶୋଚନୀୟ ପରାଜୟ ଆଡ଼କୁ ମୁହାଁଉଥିଲା । ତେବେ ବ୍ରେସୱେଲ ଲଢୁଆ ଶତକ ସହ ଭାରତୀୟ ଶିବିରରେ ଛନକା ସୃଷ୍ଟି କରିଥିଲେ ।

ମିଚେଲ ସାଣ୍ଟନର (୫୭)ଙ୍କ ସହ ବ୍ରେସୱେଲ ସପ୍ତମ ୱିକେଟରେ ୧୬୨ ରନ୍ ଯୋଗକରି ନ୍ୟୁଜିଲାଣ୍ଡକୁ ଏକ ଅବିଶ୍ୱସନୀୟ ଦେବା ନେଇ ଆଶା ସଞ୍ଚାର କରିଥିଲେ । ୪୬ତମ ଓଭରରେ ସାଣ୍ଟନରଙ୍କୁ ଆଉଟ୍ କରି ସିରାଜ ଏହି ଯୋଡ଼ି ଭାଙ୍ଗିଥିଲେ । ତଥାପି ବ୍ରେସୱେଲ ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚକୁ ଟାଣିଥିଲେ । ଶେଷ ଓଭରରେ ୨୦ ରନ୍ ଆବଶ୍ୟକ ହେଉଥିବା ବେଳେ ଶାର୍ଦ୍ଦୁଲଙ୍କ ବଲରେ ବ୍ରେସୱେଲ ଏକ ଛକା ମାରିଥିଲେ । ତେବେ ତୃତୀୟ ବଲରେ ସେ ଶେଷ ବ୍ୟାଟ୍ସମ୍ୟାନ୍ ଭାବେ ଆଉଟ୍ ହେବା ପରେ ଭାରତ ଆଶ୍ୱସ୍ତ ହୋଇଥିଲା । ନ୍ୟୁଜିଲାଣ୍ଡ ତରଫରୁ ବ୍ରେସୱେଲ ମାତ୍ର ୭୮ଟି ବଲରେ ୧୨ଟି ଚୌକା ଓ ୧୦ଟି ଛକା ସହ ୧୪୦ ରନ୍ କରିଥିଲେ । ଭାରତ ପକ୍ଷରୁ ସିରାଜ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ କୁଲଦୀପ ଯାଦବ ଓ ଠାକୁର ୨ଟି ଲେଖାଏଁ ୱିକେଟ୍ ପାଇଥିଲେ । ଏହି ସଂଘର୍ଷପୂର୍ଣ୍ଣ ବିଜୟ ପରେ ଭାରତ ତିନି ମ୍ୟାଚ୍ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି ।

ପୂର୍ବରୁ ଟସ୍‌ ଜିତି ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳର ଓପନର ରୋହିତ ଓ ଗିଲ୍‌ ବେଶ ସତର୍କତାର ସହ ବ୍ୟାଟିଂ କରିଥିଲେ। କିନ୍ତୁ ଦଳୀୟ ସ୍କୋର ୬୦ ଥିବା ବେଳେ ରୋହିତ ୩୪ ରନ କରି ଆଉଟ ହୋଇଯାଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ବିରାଟ କୋହଲି କେବଳ ୮ ରନ କରିବାକୁ ସକ୍ଷମ ହୋଇଥିଲେ। ସେହିପରି ଈଶାନ କିଶନ ୫ ରନ କରି ପ୍ୟାଭିଲିୟନ ଫେରିଥିଲେ।

୧୧୦ ରନରେ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ଭାରତକୁ ଗିଲ୍‌ ପ୍ରଥମେ ସୂର୍ଯ୍ୟ କୁମାର(୩୧)ଙ୍କ ସହ ମିଶି ସମ୍ଭାଳିଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦଳୀୟ ସ୍କୋର ୧୭୫ ଥିବା ବେଳେ ସୂର୍ଯ୍ୟ ତାଙ୍କ ହାତ ଛାଡ଼ି ଦେଇଥିଲେ। ଏହାପରେ ଆସିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ସେ କିଛି ସମୟ ପାଇଁ ଗିଲଙ୍କ ସାଥ ଦେଇଥିଲେ। ଉଭୟ ଦଳର ସ୍କୋରକୁ ୨୦୦ ପାର କରାଇଥିଲେ। ଗିଲ୍‌ ମଧ୍ୟ ନିଜ ଦିନିକିଆ କ୍ୟାରିୟରରେ ଲଗାତର ଦ୍ୱିତୀୟ ଶତକ ହାସଲ କରିଥିଲେ। ନ୍ୟୁଜିଲ୍ୟାଣ୍ଡ ପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ଶେଷ ଦିନିକିଆରେ ଗିଲ୍‌ ୧୧୬ ରନର ଇନିଂସ ଖେଳିଥିଲେ।

ଆଜି ୮୭ ବଲରେ ଶତକ ହାସଲ କରିବା ପରେ ଗିଲ୍‌ ବିସ୍ଫୋରକ ରୂପ ଧାରଣ କରିଥିଲେ। ଗୋଟିଏ ପଟେ ୱିକେଟ ଯାଉଥିଲେ ମଧ୍ୟ ସେ ଶଟ ଖେଳିବା ବନ୍ଦ କରି ନଥିଲେ। ସେ ମିଚେଲ ବ୍ରେସୱେଲଙ୍କୁ ଛକା ମାରି ୧୨୨ ବଲରେ ୧୫୦ ରନ ପୂରଣ କରିଥିଲେ। ଏହାପରେ ବି ସେ ଅଟକି ନଥିଲେ। ବିଶେଷ କରି ୪୯ତମ ଓଭର ବୋଲିଂ କରୁଥିବା ଲକି ଫର୍ଗୁସନଙ୍କୁ କ୍ରମାଗତ ୩ଟି ଛକା ମାରି ଗିଲ୍‌ ମାତ୍ର ୧୪୫ ବଲରେ ନିଜର ଦୁଇ ଶତକ ହାସଲ କରିଥିଲେ।

ଶେଷ ଓଭରର ପ୍ରଥମ ବଲରେ ମଧ୍ୟ ସେ ଗୋଟିଏ ଛକା ମାରିଥିଲେ। କିନ୍ତୁ ଏହାର ପରବର୍ତ୍ତୀ ବଲରେ ସେ ହେନରୀ ଶିପଲେଙ୍କ ବଲରେ ଆଉଟ ହୋଇଯାଇଥିଲେ। ଏହି ସମୟରେ ଦଳୀୟ ସ୍କୋର ୩୪୫ ରହିଥିଲା। ଶେଷ ୪ ବଲରେ କୁଲଦୀପ ଯାଦବ ଓ ମହମ୍ମଦ ଶାମି ୪ ରନ କରିବାରୁ ଟିମ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୭୮ ୱିକେଟ ହରାଇ ୩୪୯ ରନ କରିଛି। ଗିଲ ତାଙ୍କ ଇନିଂସରେ ୯ଟି ଛକା ଓ ୧୯ଟି ଚୌକା ମାରିଥିଲେ।