ଆନ୍ଦୋଳନ ଛାଡି ଆଲୋଚନା ପାଇଁ ଡ୍ରାଇଭର ସଂଘକୁ କହିଲେ ପରିବହନ ମନ୍ତ୍ରୀ ଓ ବିଭାଗୀୟ ସଚିବ | News Room Odisha

ଆନ୍ଦୋଳନ ଛାଡି ଆଲୋଚନା ପାଇଁ ଡ୍ରାଇଭର ସଂଘକୁ କହିଲେ ପରିବହନ ମନ୍ତ୍ରୀ ଓ ବିଭାଗୀୟ ସଚିବ

ଭୁବନେଶ୍ବର – ୧୦ ଦଫା ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଡ୍ରାଇଭର ଏକତା ମହାମଞ୍ଚର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଆରମ୍ଭ ହୋଇଥିଲା ବେଳେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ବିଭାଗୀୟ ସଚିବ ଉଷା ପାଢ଼ୀ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି। ମନ୍ତ୍ର ଟୁକୁନି ସାହୁ କହିଛନ୍ତି, ଡ୍ରାଇଭର ସଂଘର ଯାହା ସବୁ ଦାବି ରହିଛି , ସେ ନେଇ ଆଲୋଚନା କରିବାକୁ ପରିବହନ ବିଭାଗର ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକ ହଇରାଣ ହରକତ ହେଉଛନ୍ତି। ଡ୍ରାଇଭର ସଂଘର ଦାବି ନେଇ ମୁଖ୍ୟମନ୍ତ୍ରୀ ସକାରାତ୍ମକ ଭାବେ ଚିନ୍ତା କରୁଛନ୍ତି। ଅନ୍ୟପଟେ ଧର୍ମଘଟ ନ କରିବା ପାଇଁ ଗତ କାଲି ଡ୍ରାଇଭର ସଙ୍ଘକୁ ନିବେଦନ କରାଯାଇଥିଲା ବୋଲି ମନ୍ତ୍ରୀ କହିଛନ୍ତି।

ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷାପାଢ଼ୀ କହିଛନ୍ତି, ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ହେବ ।ରାଜ୍ୟ ସରକାର ଡ୍ରାଇଭର ସଂଘର ଦାବିଗୁଡିକୁ ସକାରାତ୍ମକ ଭାବେ ବିଚାର କରୁଛନ୍ତି। ଏହାକୁ ନେଇ ପୂର୍ବରୁ ଆଲୋଚନା ହୋଇଛି। ଆଗକୁ ମଧ୍ୟ ଆଲୋଚନା କରାଯିବ। ଡ୍ରାଇଭରମାନଙ୍କର ବିଭିନ୍ନ ସଂଘ ଅଛି। ଗୋଟିଏ ସଂଘ ଆନ୍ଦୋଳନକୁ ଓହ୍ଲାଇଛି । ସରକାର କଥାବାର୍ତ୍ତା ପାଇଁ ରାଜି ଅଛନ୍ତି ବୋଲି ସଚିବ କହିଛନ୍ତି।