ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ଖାଉଟି ସୁରକ୍ଷା ଦିବସ ପାଳିତ | News Room Odisha

ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ଖାଉଟି ସୁରକ୍ଷା ଦିବସ ପାଳିତ

ସମ୍ବଲପୁର: ସମ୍ବଲପୁର ସ୍ଥିତ ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ଆଜି ଖାଉଟି ସୁରକ୍ଷା ଦିବସ ସଭା ପାଳିତ ହୋଇଯାଇଛି। ସାଂସ୍କୃତିକ ସମାଜର ସଭାପତି ଅଶୋକ କୁମାର ମିଶ୍ରଙ୍କର ଅଧ୍ଯକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ସମ୍ବଲପୁର ଖାଉଟି ଅଦାଲତର ପ୍ରାକ୍ତନ ବିଚାରପତି ପ୍ରଫେସର ଡ.ଶ୍ରୀକାନ୍ତ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ,ଖାଉଟି ସୁରକ୍ଷା ସକାଶେ ବର୍ତ୍ତମାନ ବହୁ ଆଇନମାନ ପ୍ରଣିତ ହେଲାଣି ଉପଭୋକ୍ତାମାନେ ଆବଶ୍ଯକ ସମୟରେ ଏହାର ସୁବିଧା ନେବା ଉଚିତ। ସେବାପାଇଁ ଖାଉଟି ଓ ଦ୍ରବ୍ୟପାଇଁ ଖାଉଟି ଭେଦରେ ବିଭିନ୍ନ ଉଦାହରଣ ସହ ସେ ସୁରକ୍ଷା ଆଇନ ଗୁଡିକୁ ଆଲୋଚନା କରିଥିଲେ। ଯୁଗ ବଦଳିବା ସହ ଏବେ ଅନ ଲାଇନରେ ମଧ୍ୟ ଖାଉଟି ନିଜପ୍ରତି ହୋଇଥିବା ଠକାମି ବିରୁଦ୍ଧରେ ଆଇନର ସହାୟତା ନେଇ ପାରିବ ବୋଲି ସେ ମତ ଦେଇଥିଲେ। ତେବେ ବ୍ୟାପକ ସଚେତନତା ନିମନ୍ତେ ଖାଉଟି ସୁରକ୍ଷା ଶିକ୍ଷାର ଆବଶ୍ଯକକତା ରହିଛି। ମୁଖ୍ୟବକ୍ତା ପ୍ରାକ୍ତନ ବୈଦୁତିକ ନିରୀକ୍ଷକ ଆଜାଦ କୁମାର ଉପାଧ୍ୟାୟ ବକ୍ତବ୍ୟ ରଖି କହିଲେ ଯେ, ଖାଉଟି ନିଜର ଅଧିକାର ଗୁଡିକ ପ୍ରତି ସଚେତନ ହେବା ଉଚିତ, ସେ ଚାରୋଟି ଶ୍ରେଣୀର ଉପଭୋକ୍ତା ଏବଂ ସେମାନଙ୍କ ସକାଶେ ନିଧାର୍ଯ୍ୟ ଛଅଗୋଟି ଅଧିକାର ଉପରେ ବିଭିନ୍ନ ଦୃଷ୍ଟାନ୍ତ ସହ ଆଲୋଚନା କରିବା ସହ ପ୍ରତ୍ୟେକ ନାଗରିକ ନିଜ ବ୍ୟବହାର୍ଯ୍ୟ ବସ୍ତୁ ଗୁଡିକର ସୁରକ୍ଷିତ ଓ ଉପଯୁକ୍ତ ବ୍ୟବହାର ପ୍ରତି ସତଆଚରଣ ପାଇଁ ବ୍ରତି ହେବା ଉଚିତ ବୋଲି କହିଥିଲେ। ସାଂସ୍କୃତିକ ସମାଜର ଖାଉଟି ସୁରକ୍ଷା ସମିତିର ଆବାହକ ଅଖିଳ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମ୍ପାଦକ ଡ ସିଦ୍ଧାର୍ଥ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। କୋଷାଧ୍ୟକ୍ଷ ଦୀନବନ୍ଧୁ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।