ବ୍ରହ୍ମପୁର ଆଞ୍ଚଳିକ ବିକାଶ ପରିଷଦ ପାଳିଲା ବିଶ୍ୱ ଘରଚଟିଆ ଦିବସ | News Room Odisha

ବ୍ରହ୍ମପୁର ଆଞ୍ଚଳିକ ବିକାଶ ପରିଷଦ ପାଳିଲା ବିଶ୍ୱ ଘରଚଟିଆ ଦିବସ

ବ୍ରହ୍ମପୁର: ମାର୍ଚ୍ଚ ମାସ ୨୦ ତାରିଖ ସୋମବାର ବିଶ୍ୱବ୍ୟାପୀ ପାଳିତ ହୋଇଛି ଘରଚଟିଆ ସୁରକ୍ଷା ଦିବସ। ପରିବେଶ ପାଇଁ ଜରୁରୀ ଏହି କୁନି ପକ୍ଷୀଟିର ବଂଶ ସୁରକ୍ଷା ନିମନ୍ତେ ବିଭିନ୍ନ ପ୍ରକୃତିପ୍ରେମୀ ଓ ଜୀବଜନ୍ତୁଙ୍କ ସୁରକ୍ଷା ଦିଗରେ କାର୍ଯ୍ୟରତ ଅନୁଷ୍ଠାନ ଉଦ୍ୟମ କରି ଆସୁଛନ୍ତି। ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ୍ ଗୁଣ୍ଠବନ୍ଧ ଗ୍ରାମର ଆଞ୍ଚଳିକ ବିକାଶ ପରିଷଦ ମଧ୍ୟ ସୋମବାର ବିଶ୍ବ ଘରଚଟିଆ ଦିବସ ପାଳିଛି। ଗତ ଦଶନ୍ଧି ସମୟ ମଧ୍ୟରେ ଏହି ସଙ୍ଗଠନ ଘରଚଟିଆ ସୁରକ୍ଷା ଓ ସଂରକ୍ଷଣ ପାଇଁ ଗଞ୍ଜାମ ଓ ଗଜପତି ଜିଲ୍ଲାର ୩୫ଟି ସ୍ଥାନରେ କାର୍ଯ୍ୟକ୍ରମ କରି ଆସୁଛି। ଫଳରେ ସେମାନଙ୍କ ବଂଶ ବୃଦ୍ଧି ଘଟିଛି।

ସୋମବାର ବିଶ୍ୱ ଘରଚଟିଆ ଦିବସ ଉପଲକ୍ଷେ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ବ୍ରହ୍ମପୁର ସବୁଜ ବାହିନୀ ସହଯୋଗରେ ପ୍ରହଲ୍ଲାଦ ନଗର ଠାରେ ଆୟୋଜିତ ବିଶ୍ବ ଘରଚଟିଆ ଦିବସ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନ୍ନି ଖୋକର ଯୋଗ ଦେଇଥିଲେ। ବ୍ରହ୍ମପୁର ବନାଞ୍ଚଳ ଅଧିକାରୀ ରଜତ ମିଶ୍ର ଓ ଅନ୍ୟ ଅତିଥିମାନଙ୍କ ଉପସ୍ଥିତିରେ ଲୋକମାନଙ୍କୁ ଘରଚଟିଆଙ୍କ ପାଇଁ କୃତ୍ରିମ ଆବାସ, ଖାଦ୍ୟ ଥଳୀ ଓ ପଶୁପକ୍ଷୀଙ୍କ ତୃଷ୍ଣା ନିବାରଣ ନିମନ୍ତେ ପାଣି ପାତ୍ର ବଣ୍ଟନ କରାଯାଇଛି। ଏଥିସହ ଲୋକଙ୍କ ଦୁଆର ମୁହଁରେ ଏଗୁଡ଼ିକୁ ସ୍ଥାପନ କରାଯାଇଥିଲା ଯାହା ଦ୍ଵାରା ଘରଚଟିଆ ମାନେ ସ୍ୱଚ୍ଛନ୍ଦରେ ରହିପାରିବେ। କୁନି ପକ୍ଷୀଟିର ସୁରକ୍ଷା ଓ ପାଳନ ପାଇଁ ଅଞ୍ଚଳବାସୀଙ୍କୁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ବିକାଶ ପରିଷଦ ସମ୍ପାଦକ ବିଜେନ୍ଦ୍ର ମାଝୀ ସଭାପତିତ୍ୱ କରିଥିବା ବେଳେ ବ୍ରହ୍ମପୁର ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ସମ୍ପାଦକ ଏ.ପ୍ରକାଶ, ଈଶାଣେଶ୍ୱର ପାଠାଗାର ସଭାପତି ବନମାଳୀ ପ୍ରଧାନ ଓ ଅନ୍ୟମାନେ ପରିଚାଳନା କରିଥିଲେ।