ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ନେଇ ପୂର୍ବତନ ପୋଲିସ ଅଧିକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ, ପଞ୍ଜାବ ସରକାର ଦେଲେ ନିର୍ଦ୍ଦେଶ | News Room Odisha

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ନେଇ ପୂର୍ବତନ ପୋଲିସ ଅଧିକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ, ପଞ୍ଜାବ ସରକାର ଦେଲେ ନିର୍ଦ୍ଦେଶ

ଚଣ୍ଡିଗଡ଼: ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷାରେ ଅବହେଳା ମାମଲାରେ ତିନିଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଅଧିକାରୀଙ୍କ ମଧ୍ୟରେ ପୂର୍ବତନ ଡିଜି ଏସ୍ ଚାଟୋପାଧ୍ୟାୟ, ଫିରୋଜପୁର ରେଞ୍ଜର ତତ୍କାଳୀନ ଡିଆଇଜି ଇନ୍ଦରବୀର ସିଂ ଏବଂ ଏସ୍ଏସପି ହରମନଦୀପ ସିଂ ହଂସ ଅଛନ୍ତି।

ଏହି ମାମଲାରେ ମୁଖ୍ୟମନ୍ତ୍ରୀ ମାନ୍ ଅନ୍ୟ ତତ୍କାଳୀନ ପୋଲିସ୍ ଅଧିକାରୀଙ୍କଠାରୁ ମଧ୍ୟ ସ୍ପଷ୍ଟୀକରଣ ମାଗିଛନ୍ତି।

ଏଥିମଧ୍ୟରେ ତତ୍କାଳୀନ ଏଡିଜିପି (ଆଇନ ଶୃଙ୍ଖଳା) ନରେଶ ଆରୋରା, ତତ୍କାଳୀନ ଏଡିଜିପି ସାଇବର ଅପରାଧ ଜି ନାଗେଶ୍ୱର ରାଓ, ତତ୍କାଳୀନ ପଟିଆଲା ରେଞ୍ଜ ଆଇଜି ମୁଖବିନ୍ଦର ସିଂ ଚୀନା, ଫରିଦକୋଟ ଡିଆଇଜି ସୁରଜିତ ସିଂ ଏବଂ ମୋଗା ଏସଏସପି ଚରଣଜିତ ସିଂ ରହିଛନ୍ତି।

ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଯାଞ୍ଚ କମିଟିର ରିପୋର୍ଟର ଆଧାରରେ ସେମାନଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ସେନେଇ ଏହି ଅଧିକାରୀମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ।

ଉଲ୍ଲେଖଯୋଗ୍ୟ ଯେ, ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଗତ ବର୍ଷ ଜାନୁୟାରୀ ୫ରେ ପଞ୍ଜାବ ଗସ୍ତରେ ଯାଇଥିଲେ । ଫିରୋଜପୁରରେ କିଛି ବିକ୍ଷୋଭକାରୀ ରାସ୍ତା ଅବରୋଧ କରିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ କନଭୟ ଏକ ଫ୍ଲାଏ ଓଭରରେ ପ୍ରାୟ ୨୦ ମିନିଟ୍ କାଳ ଅଟକି ରହିଥିଲା।

ଏହା ପରେ ସେ ନିର୍ବାଚନ ସଭା ସହ ଅନ୍ୟ କାର୍ଯ୍ୟକ୍ରମରେ ଯୋଗ ନ ଦେଇ ଫେରି ଆସିଥିଲେ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଅବହେଳାର ତଦନ୍ତ ପାଇଁ ଗତ ବର୍ଷ ଜାନୁଆରୀ ୧୨ରେ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଥିଲେ।

ଗତ ମାସରେ ହିଁ କେନ୍ଦ୍ର ଗୃହ ସଚିବ ପଞ୍ଜାବର ମୁଖ୍ୟ ସଚିବଙ୍କୁ ଚିଠି ଲେଖି ତାଙ୍କୁ ଏହି ମାମଲାରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ରିପୋର୍ଟ ଦେବାକୁ କହିଥିଲେ।