ଗଞ୍ଜାମ ଜିଲ୍ଲାସ୍ତରୀୟ ବିଶ୍ଵ ବନ୍ୟ ଦିବସ ପାଳିତ | News Room Odisha

ଗଞ୍ଜାମ ଜିଲ୍ଲାସ୍ତରୀୟ ବିଶ୍ଵ ବନ୍ୟ ଦିବସ ପାଳିତ

ବ୍ରହ୍ମପୁର: ସ୍ଥାନୀୟ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ସମ୍ମିଳନୀ କକ୍ଷ ଠାରେ ମଙ୍ଗଳବାର ବିଶ୍ଵ ବନ୍ୟ ଦିବସ ପାଳିତ ହୋଇଛି। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନ୍ନି ଖୋଖରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଥିଲେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର। ସମ୍ମାନିତ ଅତିଥି ଥିଲେ ଉପ-ବନ ସଂରକ୍ଷକ ରମାରଞ୍ଜନ ପଟ୍ଟନାୟକ ଓ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ରବିନ୍ଦ୍ରନାଥ ସାହୁ। ମନୁଷ୍ୟ ଜଗତ ପାଇଁ ଜଙ୍ଗଲର ଆବଶ୍ୟକତା, ଜଙ୍ଗଲ ନିଆ ଓ ତାହାର ପ୍ରତିକାର ବାବଦରେ ସଚେତନତା, ଜଙ୍ଗଲ ସୁରକ୍ଷା ଦିଗରେ ବନ ସଂରକ୍ଷଣ ସମିତି- ସ୍ଵୟଂ ସହାୟକ ଗୋଷ୍ଠୀ- ସାମାଜିକ ସଙ୍ଗଠନ- ବନ କର୍ମଚାରୀଙ୍କ ଭୂମିକା ନେଇ ଆଲୋଚନା ହୋଇଥିଲା। ସେହିପରି ସାଧାରଣ ଜନତା ଓ ବିଦ୍ୟାର୍ଥୀମାନେ ସଚେତନ ହେଲେ ଜଙ୍ଗଲ ସୁରକ୍ଷା ପାଇଁ ବେଶ୍ ସହାୟକ ହେବ ବୋଲି ମୁଖ୍ୟ ଅତିଥି କହିଥିଲେ। ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବା ସହ ତାହାର ସୁରକ୍ଷା ପାଇଁ ଚେଷ୍ଟା କରିବାକୁ ଆହ୍ବାନ ଦେଇଥିଲେ ବନଖଣ୍ଡ ଅଧିକାରୀ।

ଏହି ଅବସରରେ ଜଙ୍ଗଲ ସୁରକ୍ଷା ଦିଗରେ ଉତ୍ତମ ପ୍ରଦର୍ଶନ ପାଇଁ ଶେରଗଡ଼ ବ୍ଲକ୍ ବାଦଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୧୦ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯାଇଥିଲା। ସହରର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା, ପରିବେଶ ସୁରକ୍ଷା ବାର୍ତ୍ତା ଦେଉଥିବା ସର୍ବଶ୍ରେଷ୍ଠ ଫଟୋଚିତ୍ର ପ୍ରସ୍ତୁତକାରୀଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲା ଇକୋ କ୍ଲବ୍ ସଂଯୋଜକ ଶଙ୍କର ନାରାୟଣ ବେଜ୍ ମଞ୍ଚ ପରିଚାଳନା କରିଥିବା ବେଳେ ଏସିଏଫ ଏ.ମାଧବୀ ଲତା ଧନ୍ୟବାଦ ଅର୍ପଣ କରିଥିଲେ।