ପରୀକ୍ଷା ଦେଇ ଆଉ ଘରକୁ ଗଲେନି , ଗଲା ମୃତଦେହ | News Room Odisha

ପରୀକ୍ଷା ଦେଇ ଆଉ ଘରକୁ ଗଲେନି , ଗଲା ମୃତଦେହ

ସୋନପୁର – ସୁବର୍ଣ୍ଣପୁର ଜିଲ୍ଲା ଶରଧାପାଲି ଛକ ନିକଟରେ ସ୍କୁଲ ଛାତ୍ରଙ୍କୁ କାର ଧକ୍କା ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ମୃତକମାନେ ଶରଧାପାଲିର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଥିଲେ । କାର ମାଡିଯିବାରୁ ଜଣେ ଛାତ୍ର ସୁବ୍ରତ ଭୋଇଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଗୁରୁତର ଆହତ ଅନ୍ୟ ଦୁଇ ଛାତ୍ରଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଆହତ ଆଉ ଜଣେ ଛାତ୍ରଙ୍କ ଅବସ୍ଥା ଉଦବେଗଜନକ ରହିଛି । ମୃତାହତ ଛାତ୍ର ଶରଧାପାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢୁଥିଲେ ।
ଆଜି ସାଢ଼େ ୯ଟାରେ ପରୀକ୍ଷା ଶେଷ ହେବା ପରେ କିଛି ଛାତ୍ର ସ୍କୁଲ ଗେଟ୍‌ ନିକଟରେ ଠିଆ ହୋଇଥିଲେ। ଏହି ସମୟରେ ଏକ କାର୍‌ ଦ୍ରୁତ ଗତିରେ ଆସି ସ୍କୁଲ ଗେଟ୍‌କୁ ଧକ୍କା ଦେଇ ପିଲାମାନଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ସୁବ୍ରତଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ଡ୍ରାଇଭରକୁ ଅଟକ ରଖିଛିନ୍ତି। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରୁଛି।