କେନ୍ଦ୍ରାପଡା ଜିଲ୍ଲା ଆଳିର ଶ୍ରୀ ଶ୍ରୀ ଲକ୍ଷ୍ମୀ ବରାହ ଜୀଉ ପ୍ରଭୁ ଶ୍ରୀକୃଷ୍ଣଙ୍କ ଦ୍ୱିତୀୟ ଅବତାର ଭାବେ ଖ୍ୟାତିଲାଭ କରିଛି । ତେବେ ଏହି ମନ୍ଦିରଟି ଓଡ଼ିଶାର ବରାହ କ୍ଷେତ୍ର ନାମରେ ଏକ ନୂଆ ପରିଚୟ ପାଇଛି । ଏହି ମନ୍ଦିରର ଐତିହାସିକ ଗାଥା ଓ ଅଲୌକିକ ମହିମା ମନ୍ଦିରକୁ ଅନ୍ୟ ମନ୍ଦିର ଅପେକ୍ଷା ଆହୁରି ଲୋକପ୍ରିୟ କରିପାରିଛି । ଏହି ମନ୍ଦିରଟି କେନ୍ଦ୍ରାପଡା ସଦର ଠାରୁ ୩୫ କିଲୋମିଟର ଦୂର ଚିର ଖରସ୍ରୋତା ନଦୀ କୂଳରେ ଅବସ୍ଥିତ । ଏହି ମନ୍ଦିର ସହିତ ଅନେକ କିମ୍ବଦନ୍ତୀ ଯୋଡି ହୋଇରହିଛି ।
୧୫୯୦ ଖ୍ରୀଷ୍ଟାବ୍ଦରେ ଆଳିର ରାଜା ଥିଲେ ଶ୍ରୀ ନୀଳକଣ୍ଠ ଦେବ । ସେ ଖୁବ୍ ଇଶ୍ୱର ବିଶ୍ୱାସୀ ଥିଲେ । ଏକଦା ରାଜା ବିରଜା କ୍ଷେତ୍ର ଭ୍ରମଣରେ ଯାଇଥିବା ବେଳେ ସେଠାରେ ପ୍ରଭୁ ଶ୍ରୀ ଶ୍ରୀ ଲକ୍ଷ୍ମୀ ବରାହଙ୍କୁ ଦର୍ଶନ କେଲେ । ପ୍ରଭୁଙ୍କ ଦର୍ଶନ ପରେ ହଠାତ୍ ପ୍ରଭୁ ବରାହଙ୍କ ପ୍ରତି ଭକ୍ତିଭାବ ଜାଗ୍ରତ ହେଲା ଏବଂ ପ୍ରତିଦିନ ପ୍ରଭୁଙ୍କ ଦର୍ଶନ ପରେ ଅନ୍ନ-ଜଳ ଗ୍ରହଣ କରିବେ ବୋଲି ସେ ମନସ୍ଥ କଲେ । କିନ୍ତୁ ଭଲ ରାସ୍ତାଟିଏ ନଥିବାରୁ ଯାଜପୁର ଯିବାକୁ ହଲେ ନଦୀ-ନାଳ, ବଣ-ଜଙ୍ଗଲ ପାର ହୋଇ ଯିବାକୁ ପଡୁଥିଲା । ଏହାପରେ ମଧ୍ୟ ରାଜା ଶ୍ରୀ ଦେବଙ୍କ ପ୍ରଭୁଙ୍କ ପ୍ରତି ପ୍ରଗାଢ଼ ଭକ୍ତି ଆତ୍ମବିଶ୍ୱାସ ବଢିବା ଆରମ୍ଭ ହେଲା । ପଭୁଙ୍କ କରୁଣା ଓ ଅଦମ୍ୟ ସାହସ ବଳରେ ପ୍ରତିଦିନ ବ୍ରହ୍ମ ମୁହୂର୍ତ୍ତରୁ ଉଠି ସ୍ନାନ କରି ଅଶ୍ୱରେ ଦୁର୍ଗମ ଅଞ୍ଚଳ ପାର ହୋଇ ପ୍ରଭୁଙ୍କ ଦର୍ଶନ କରନ୍ତି । କିନ୍ତୁ ଏକଦା ରାଜା ବିରଜାକ୍ଷେତ୍ର ଯିବା ସମୟରେ ପ୍ରବଳ ଝଡବର୍ଷା ଆରମ୍ଭ ହୋଇଗଲା । ରାଜା ଝଡବର୍ଷାକୁ ଖାତିରି ନକରି ନିଜ ଇଷ୍ଟ ଦେବଙ୍କ ଦର୍ଶନ ନିମନ୍ତେ ଯିବା ବେଳେ ନଦୀ କୂଳରେ ପହଞ୍ଚି ଦେଖିଲେ ସେଠାରେ ନାଉରିଆ ନାହିଁ କି କାହାରି ସ୍ୱର ବି ଶୁଣାଯାଉ ନାହିଁ । ସେପଟେ ଝଡର ବେଗ ବି ବଢ଼ି ଚାଲୁଥିଲା । ତେଣୁ ରାଜା ବ୍ୟାକୁଳ ହୋଇ ପ୍ରଭୁଙ୍କୁ ସ୍ମରଣ କଲେ । ରାଜାଙ୍କ ବ୍ୟାକୁଳତାକୁ ସହି ନପାରି ସ୍ୱୟଂ ପ୍ରଭୁ ନାଉରିଆ ରୂପେ ଉଭା ହୋଇ ରାଜାଙ୍କୁ ନଦୀ ପାର କରାଇଥିଲେ ।
ସେହିଭଳି ଥରେ ରାତିରେ ରାଜାଙ୍କ ପ୍ରଗାଢ଼ ଭକ୍ତିରେ ପ୍ରଭୁ ନିଜେ ଆସି ସ୍ୱପ୍ନାଦେଶ କରିଥିଲେ । ପ୍ରିୟ ଭକ୍ତ, ମୁଁ ତୁମକୁ ଓ ତୁମ ପ୍ରଜାମାନଙ୍କୁ ନିତ୍ୟ ଦର୍ଶନ ଦେବା ପାଇଁ ତୁମ ସହିତ ଆଳି ଯିବି, ମାତ୍ର ମୋର ଗୋଟିଏ ସର୍ତ୍ତ ପାଳନ କରିବ । ପ୍ରଭୁ ସର୍ତ୍ତଟି ରଖିଥିଲେ, ‘ମୁଁ ତୁମ ପଛେ ପଛେ ଯିବି, ତୁମେ ମୋତେ ବାଟ କଢାଇ ଆଣିବ, କିନ୍ତୁ ତୁମେ କଦାପି ପଛକୁ ଚାହିଁବ ନାହିଁ । ହଲେ ମୋର ନୁପୁରର ରୁଣୁଝୁଣୁ ଶବ୍ଦ ଓ ଚମ୍ପାଫୁଲ ମହକରେ ମୁଁ ଯାଉଥିବା ତୁମେ ଅନୁଭବ କରିପାରିବ । ହେଲେ ଯେଉଁ ଠାରେ ତୁମେ ଭ୍ରମିତ ହୋଇ ପଛକୁ ଚାହିଁବ ମୁଁ ସେହିଠାରେ ହିଁ ରହିଯିବି ।’ ଏତିକି କହି ପ୍ରଭୁ କେଉଁଆଡେ ସ୍ୱପ୍ନରେ ଅନ୍ତର୍ଧ୍ୟାନ ହୋଇଯାଇଥିଲେ । ଏହାପରେ ରାଜାଙ୍କ ନିଦ ହଠାତ୍ ଭାଙ୍ଗିଗଲା ଏବଂ ସେ ଭାବ ବିହ୍ୱଳ ହେଇପଡ଼ିଲେ ।
ମାର୍ଗଶିର ମାସର ବ୍ରହ୍ମ ମୁହୂର୍ତ୍ତରେ ରାଜା ବିରଜା କ୍ଷେତ୍ରରେ ପହଞ୍ଚି ପ୍ରଭୁଙ୍କୁ ସାଥୀରେ ନେଇ ଆଳି ଅଭିମୁଖେ ବାହାରିଥିଲେ । ରାଜା ଆଗେଇ ଚାଲିଲେ ଆଉ ଭକ୍ତଙ୍କ ପଛେ ପଛେ ଚାଲିଲେ ଭଗବାନ । ଭଗବାନଙ୍କ ନୂପୁରର ସ୍ୱନ ଏବଂ ଚମ୍ପାଫୁଲର ମହକ ରାଜାଙ୍କୁ ଭଗବାନଙ୍କ ଉପସ୍ଥିତିର ଆଭାଷ ଦେଉଥିଲା । ଏଥିମଧ୍ୟରେ ରାଜା ଆସି ରାଜ୍ୟରେ ପ୍ରବେଶ କଲେ । ରାଜା ଭାବିଲେ ମୁଁ ମୋ ଠାକୁରଙ୍କୁ ରାଜବାଟିକୁ ନେଇଯିବି । ସେଠାରେ ପ୍ରଭୁଙ୍କ ନିତ୍ୟ ସେବା କରିବି, ହେଲେ ପ୍ରଭୁଙ୍କ ଲୀଳା ଥିଲା କିଛି ଭିନ୍ନ । ପ୍ରଭୁ ଏହା ଜାଣିପାରି ପାଖ ସୋରିଷ କ୍ଷେତ ନିକଟରେ ଏକ ମାୟା ରଚିଲେ । ସୋରିଷ କ୍ଷେତ ଫୁଲ ମହକରେ କସ୍ତୁରୀ ଚନ୍ଦନ ଓ ନୁପୁରର ରୁଣୁଝୁଣୁ ଶବ୍ଦ ଶୁଣିବାରେ ରାଜା ଟିକିଏ ଭ୍ରମିତ ହୋଇଗଲେ । ତେଣୁ ରାଜା ବିଚଳିତ ହୋଇ ପଛକୁ ଚାହିଁ ଦେଇଥିଲେ । ଏହାପରେ ପ୍ରଭୁ ସର୍ତ୍ତ ଅନୁଯାୟୀ ସେହିଠାରେ ହିଁ ଅଟକିଗଲେ । ତେଣୁ ଅସଂଖ୍ର ଶ୍ରଦ୍ଧାଳୁଙ୍କ ପାଇଁ ଆଳିରେ ହିଁ ସ୍ଥାପନ କରାଯାଇଛି ପ୍ରଭୁଙ୍କ ଭବ୍ୟ ମନ୍ଦିର ।