ସମ୍ବଲପୁର : ନିରାମୟ ଓ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ସ୍ୱାସ୍ଥ୍ୟ ଭିତ୍ତିକ ସଚେତନତା ସହିତ ସ୍ୱଚ୍ଛତା ହିଁ ମୂଳ ସଂପତ୍ତି। ଏଥିପାଇଁ ନିଜ ଓ ସାମାଜିକ ସ୍ତରରେ ସଚେତନ ରହିଲେ ଦୀର୍ଘାୟୁ ଓ ସୁସ୍ଥ ଜୀବନ ସମ୍ଭବ ବୋଲି ଆଜି ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଗରୁତ୍ୱ ଦେଇଛନ୍ତି। ଆଜି ଝାଡୁଆପଡା ସ୍ଥିତ ଆରଣ୍ୟକ ମଞ୍ଚରେ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ, ସମ୍ବଲପୁର ପକ୍ଷରୁ ନଗର ସ୍ତରୀୟ ମହିଳା ଆରୋଗ୍ୟ ସମିତି ସମ୍ମଳନୀ-୨୦୨୩ ଅନୁଷ୍ଠିତ ହୋଇଯାଇଛି। ଏହାକୁ ମହାନଗର ଆୟୁକ୍ତ ପ୍ରଦୀପ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ ।
ଆୟୋଜିତ ସଭାରେ ଶ୍ରୀ ସାହୁଙ୍କ ସହିତ ସମ୍ବଲପୁର ମହାନଗର ସ୍ୱାସ୍ଥ୍ୟ ଅଧିକାରୀ ଡା.ମହେନ୍ଦ୍ର କୁମାର ନନ୍ଦ, ଏଡିପିଏଚଓ(ଭିବିଡି) ଡା.ସୁଶିଲ କୁମାର ଦାଶ, ଏଡିପିଏଚଓ (ଲେପ୍ରସି) ଡା.ପ୍ରମୋଦ ଚନ୍ଦ୍ର ବିଶ୍ୱାଳ ଓ ସହରାଞ୍ଚଳ ଜାତୀୟ ସ୍ୱାସ୍ଥ୍ୟ ମିଶନର ଏଡିପିଏଚଓ ଡା.ପ୍ରଦୀପ କୁମାର ହୋତା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ନେଇ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ସହରାଞ୍ଚଳ କାର୍ଯ୍ୟକ୍ରମ ପରିଚାଳକ (ସିପିଏମ) ନିକୁଞ୍ଜ ରଞ୍ଜନ ପ୍ରତିହାରୀ ସଂଯୋଜନା କରିଥିଲେ। ଏହି ଅବସର ବସ୍ତି ଅଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିକ ଉଲ୍ଲେଖନୀୟ ଅବଦାନ ପାଇଁ ୮୩ ଟି ମହିଳା ଆରୋଗ୍ୟ ସମିତିକୁ ୩ ହଜାର ଟଙ୍କା ସହିତ ପ୍ରମାଣପତ୍ର ଦେଇ ସମ୍ମାନୀତ କରାଯାଇଥିଲା ।
ସେହିପରି ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପାଇଁ ୮ ଜଣ ଆଶା କର୍ମୀ, ୩ ମହିଳା ସ୍ୱାସ୍ଥ୍ୟ କର୍ମି ଓ ୮ ଜଣ ଡାଟା ଆସିଷ୍ଟାଣ୍ଟ ,ଆକାଉଣ୍ଟେଟ୍ ଓ ଜଣେ ଫାର୍ମାସିଷ୍ଟଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ମହିଳା ଆରୋଗ୍ୟ ସମିତି ମାନଙ୍କ ଦ୍ୱାରା ପ୍ରାୟୋଜିତ ବିଭିନ୍ନ ସ୍ୱାସ୍ଥ୍ୟ ଭିତ୍ତିକ ସ୍ୱାସ୍ଥ୍ୟ ସଚେତନତା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ ହୋଇଥିଲା । କ୍ଷୁଦ୍ର ନାଟିକା, ନୃତ୍ୟ, ଏକକ ଅଭିନୟ, ଦଳଗତ ନୃତ୍ୟ ପ୍ରଭୃତି ଦର୍ଶକଙ୍କ ଦ୍ୱାରା ବେଶ ଆଦୃତ ହୋଇଥିଲା । ସମ୍ମିଳନୀର ବିଭିନ୍ନ କାର୍ଯ୍ୟକ୍ରମକୁ ଡିଏନ ସିଂହଦେଓ, ହେନାନି ଆନନ୍ଦ, ବନ୍ଦନା ନାୟକ, ବାଲେଶ୍ୱର ବିଶି, ବିଜୟଲକ୍ଷ୍ମୀ ନାୟକ, ରଞ୍ଜିତ ସା, ଦିଲ୍ଲିପ କୁମାର ନନ୍ଦ, ମାନସ ପୁରୋହୀତ, ସରିତା ଶର୍ମା, ଜି.ସ୍ୱାତୀ, ସୁପ୍ରଭାତ ନାୟକ, ବନ୍ଦିତା ପୁରୋହୀତ, ପୁର୍ଣ୍ଣମା ଭୋଇ, ପ୍ରଶାନ୍ତ ବେହେରା ଓ ଶର୍ମିଷ୍ଠା ପ୍ରଧାନ ପ୍ରମୁଖ ପରିଚାଳନା କରିଥିବା ବେଳେ ସିଟି ଡାଟା ମ୍ୟାନେଜର କଳ୍ପା ପରମା ଧନ୍ୟବାଦ ଅର୍ପଣ କରିଥିଲେ। ଏହାକୁ ସସ୍ମିତା ପଟ୍ଟନାୟକ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମରେ ମହାନଗର ନିଗମର ସମସ୍ତ ମହିଳା ଆରୋଗ୍ୟ ସମିତି ସଦସ୍ୟା, ଆଶା କର୍ମି, ମହିଳା ସ୍ୱାସ୍ଥ୍ୟ କର୍ମୀ ପ୍ରମୁଖ ଯୋଗଦାନ କରିଥିଲେ। ଶେଷରେ ସାମୁହିକ ନୃତ୍ୟ ବେଶ୍ ଆକର୍ଷଣୀୟ ଓ ସମସ୍ତଙ୍କୁ ମନ୍ତ୍ରମୁଗ୍ଦ କରିଥିଲା ।