ବ୍ରହ୍ମପୁର ଷ୍ଟେସନରେ ଟ୍ରେନ୍ ଧକ୍କାରେ ଜଣେ ଗୁରୁତର, ଜଣେ ଆହତ | News Room Odisha

ବ୍ରହ୍ମପୁର ଷ୍ଟେସନରେ ଟ୍ରେନ୍ ଧକ୍କାରେ ଜଣେ ଗୁରୁତର, ଜଣେ ଆହତ

ବ୍ରହ୍ମପୁର: ବ୍ରହ୍ମପୁର ରେଳ ଷ୍ଟେସନରେ ୟଶୱନ୍ତପୁର- ହାୱାଡା ସୁପରଫାଷ୍ଟ ଟ୍ରେନ୍ ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ରାଇକିଆ ନିକଟ ଚାଞ୍ଚେଲି ଗ୍ରାମର ଚିତ୍ରସେନ ନାୟକ ଗୁରୁତର ହୋଇଛନ୍ତି। ତେବେ ତାଙ୍କ ସହ ଥିବା ଜଣେ ବୃଦ୍ଧଙ୍କୁ ଆହତ ଅବସ୍ଥାରେ ଉପସ୍ଥିତ ଅନ୍ୟ ଯାତ୍ରୀ ଓ ରେଳବାଇ ପୁଲିସ ଉଦ୍ଧାର କରିଛନ୍ତି। ଉଦ୍ଧାର ବୃଦ୍ଧଙ୍କ ପରିଚୟ ତୁରନ୍ତ ମିଳି ପାରିନାହିଁ। ଉଭୟେ ମଦ୍ୟପାନ କରିଥିବା ଅବସ୍ଥାରେ ମାନସିକ ଭାରସାମ୍ୟ ହରାଇ ଟ୍ରେନ୍ ଆଗକୁ ଚାଲି ଆସିଥିଲେ। ମାତ୍ର ଟ୍ରେନ୍ ଷ୍ଟେସନରେ ଅଟକି ଆସୁଥିବା ବେଳେ ଧକ୍କା ହେବାରୁ ଦୁହେଁ ନିଶ୍ଚିତ ମୃତ୍ୟୁ ମୁଖରୁ ଉଦ୍ଧାର ପାଇଯାଇଛନ୍ତି। ବ୍ରହ୍ମପୁର ରେଳଷ୍ଟେସନର ପ୍ଲାଟଫର୍ମ-୧ରେ ସୋମବାର ପୂର୍ବାହ୍ନରେ ଏହି ଘଟଣା ଘଟିଛି। ଗୁରୁତର ଚିତ୍ରସେନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ଅପରପକ୍ଷରେ ଷ୍ଟେସନରେ ଦୁର୍ଘଟଣା ଯୋଗୁଁ ୟଶୱନ୍ତପୁର-ହାୱାଡା ସୁପରଫାଷ୍ଟ ଟ୍ରେନ୍ ନିଜ ଅଧିକ ୨୦ ମିନିଟ୍ ଷ୍ଟେସନରେ ଅଟକି ରହିଥିଲା।