ହତ୍ୟାପରେ ଅଜଣା ଯୁବକଙ୍କୁ ପୋଡ଼ିଦେଲେ, ପୁଲିସର ତଦନ୍ତ ଆରମ୍ଭ | News Room Odisha

ହତ୍ୟାପରେ ଅଜଣା ଯୁବକଙ୍କୁ ପୋଡ଼ିଦେଲେ, ପୁଲିସର ତଦନ୍ତ ଆରମ୍ଭ

ବରଗଡ଼: ବରଗଡ଼ ଜିଲା ଭେଡେନ ଥାନା ରୂଷୁଡା ଫାଣ୍ଡି ଅନ୍ତର୍ଗତ ଦେଶଭଟଲି ମେଗା ଗ୍ରୀଡ୍‌ ନିକଟ ରାସ୍ତାରେ ମଙ୍ଗଳବାର ଦିନ ଦ୍ବିପ୍ରହରରେ ଜଣେ ଅଜଣା ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି। ହତ୍ୟା ପରେ ମୃତଦେହ ଉପରେ ପେଟ୍ରୋଲ ଢାଳି ପୋଡ଼ି ଦିଆଯାଇଛି। ପରେ ୨ ଅଭିଯୁକ୍ତ ଏକ ନୀଳରଙ୍ଗର କାର୍‌ ଯୋଗେ ଖସିଯିବା ଘଟଣା ବରଗଡ଼ ଜିଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ପୋଲିସ ସୂଚନା ମତେ ଅଭିଯୁକ୍ତମାନେ ଏକ ନୀଳରଙ୍ଗର କାର୍‌ ଯୋଗେ ବରଗଡ଼ ଜିଲା ଗୋଡଭଗା ପଟରୁ ସୋନପୁର ପଟକୁ ଆସିଥିଲେ। ଦେଶଭଟଲି ମେଗା ଗ୍ରୀଡ ନିକଟ ରାସ୍ତା ପାର୍ଶ୍ବରେ କାରକୁ ଅଟକାଇଥିଲେ। ସେହି କାର୍‌ ଭିତରୁ ଜଣେ ଅଜଣା ଯୁବକଙ୍କ ମୃତଦେହକୁ ବାହାର କରିଥିଲେ। ପରେ ମୃତଦେହ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ କାର୍‌ ଯୋଗେ ସୋନପୁର ପଟକୁ ଫେରାର୍‌ ହୋଇଯାଇଥିଲେ। ଦେଶଭଟଲି ମେଗା ଗ୍ରୀଡ୍‌କୁ କାମକରି ଆସୁଥିବା ୨ କର୍ମଚାରୀ ତାହା ଦେଖିବାକୁ ପାଇ ସ୍ଥାନୀୟ ଲୋକଙ୍କୁ କହିଥିଲେ। ଖବରପାଇ ଘଟଣାସ୍ଥଳକୁ ପୋଲିସ ପହଞ୍ଚିଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସେଠାରୁ ପୋଡା ମୃତଦେହ ଉଦ୍ଧାରକରି ବ୍ୟବଚ୍ଛେଦ ପାଇଁ ବରଗଡ଼ ଡାକ୍ତରଖାନା ପଠାଯାଇଛି। ଅନ୍ୟପକ୍ଷେ ଘଟଣାସ୍ଥଳରୁ ଏକ ଧାରୁଆ ଅସ୍ତ୍ର ଜବତ ହୋଇଛି। ସେହିପରି ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଲାଇ ଥିବାବେଳେ ମୃତ ଯୁବକଙ୍କ ପରିଚୟ ଖୋଜୁଛି।