ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୨୪ତମ ସମାବର୍ତ୍ତନ ଉତ୍ସବ: ୭୦ ଜଣଙ୍କୁ ପିଏଚଡି, ୪୫ ଜଣଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ | News Room Odisha

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୨୪ତମ ସମାବର୍ତ୍ତନ ଉତ୍ସବ: ୭୦ ଜଣଙ୍କୁ ପିଏଚଡି, ୪୫ ଜଣଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ

ବ୍ରହ୍ମପୁର: ସୂଚନା ସଶକ୍ତୀକରଣ ଯୁଗରେ ଆମେ ସହନଶୀଳତା ସାଙ୍ଗକୁ ପ୍ରତିଦ୍ବନ୍ଦ୍ବିତା ପ୍ରଦର୍ଶନ ପାଇଁ ଯୁବ ମାନସିକତା ପ୍ରତିପୋଷଣ କରିବାର ଆପ୍ରାଣ ଉଦ୍ୟମ ଜାରି ରଖିଛୁ। ୨୦୨୪-୨୫ ସୁଦ୍ଧା ଭାରତ ୫ ଟ୍ରିଲିଅନ୍ ଡଲାର ଶକ୍ତିର ଅର୍ଥନୀତି ହେବାକୁ ଚେଷ୍ଟା କରୁଛି। ଏହି ଲକ୍ଷ୍ୟର ବାସ୍ତବତା ଏହାର ଶିକ୍ଷା ଓ ତାଲିମ ପ୍ରତିଷ୍ଠାନଗୁଡିକର ସାମର୍ଥ୍ୟ ଉପରେ ନିର୍ଭର କରେ। ବୁଧବାର ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୨୪ତମ ସମାବର୍ତ୍ତନ ଉତ୍ସବରେ ଏହା କହିଛନ୍ତି କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍।

ଏହି ସମାବର୍ତ୍ତନ ଉତ୍ସବ ବୁଧବାର ଭଞ୍ଜବିହାରସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିୟମ ଠାରେ ଅନୁଷ୍ଠିତ ହୋଇଛି। କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ରାଜ୍ୟ ମାନବାଧିକାର କମିଶନ୍ ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରି, ଉଚ୍ଚଶିକ୍ଷା ବିଭାଗ ସଚିବ ବିଷ୍ଣୁପଦ ସେଠୀ ଅତିଥି ଥିଲେ। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, କୁଳସଚିବ ସଚ୍ଚିଦାନନ୍ଦ ନାୟକ, ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି ଓ ଅନ୍ୟ ପଦାଧିକାରୀ ମଞ୍ଚାସୀନ ଥିଲେ।

ରାଜ୍ୟପାଳ ନିଜ ଉଦବୋଧନରେ ଆହୁରି କହିଛନ୍ତି ଯେ ୫ ଟ୍ରିଲିଅନ୍ ଅର୍ଥନୀତିର ଲକ୍ଷ୍ୟ ଗୁଣବତ୍ତା, ଉତ୍କର୍ଷ, ନବସୃଜନ, କ୍ରମାଗତ ଉନ୍ନୟନ ଆବଶ୍ୟକ କରେ। ଏକ ମହାନ ଆଦର୍ଶ ବା ଦର୍ଶନ ସହ ଜାତୀୟ ଶିକ୍ଷା ନୀତି ୨୦୨୦ ପ୍ରସ୍ତୁତ କରାଯାଇଛି ଯାହା ଆମ ଶିକ୍ଷା ବ୍ୟବସ୍ଥାରେ ସମୁଦାୟ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛି। ଏହି ନୀତି ଏକ ନୂତନ ବ୍ୟବସ୍ଥା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ଯାହା ଏକବିଂଶ ଶତାବ୍ଦୀର ଶିକ୍ଷାର ବିଶ୍ବସ୍ତରୀୟ ଆକାଂକ୍ଷା ଓ ଲକ୍ଷ୍ୟ ସହିତ ସମାନ ଏବଂ ଭାରତର ପରମ୍ପରା ଓ ମୂଲ୍ୟବୋଧ ସହ ସମାନ ଅଟେ।

ଏହି ଅବସରରେ ୭୦ ଜଣ ଛାତ୍ରଛାତ୍ରୀଙ୍କୁ ପିଏଚଡି, ବିଭିନ୍ନ ବିଭାଗର ଟପ୍ପର୍ ୪୫ ଜଣ ଛାତ୍ରଛାତ୍ରୀଙ୍କୁ ସ୍ଵର୍ଣ୍ଣ ପଦକ ଏବଂ ୮ ଜଣଙ୍କୁ ଡି.ଲିଟ୍, ୨ ଜଣଙ୍କୁ ଡି.ଏସସି ସମ୍ମାନ ପ୍ରଦାନ କରାଯିବ। ଏଥିସହ ଆଜି ରାଜ୍ୟପାଳ ବିଶ୍ବବିଦ୍ୟାଳୟ ପରିସରରେ ସପ୍ତଧାରା ଛାତ୍ରୀନିବାସ, ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ସ୍ବତନ୍ତ୍ର କୋଠା, ଅତିରିକ୍ତ ପ୍ରଶାସନିକ କୋଠା ମଧ୍ୟ ଉଦଘାଟନ କରିଥିଲେ।