ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ | News Room Odisha

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ

ଭୁ‌ବନେଶ୍ବର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ୬ଦିନିଆ ଜାପାନ ଗସ୍ତରେ ଯାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଜାପାନ ଯାଉଛନ୍ତି। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଟୋକିଓ‌ରେ ପୁଞ୍ଜି ନିବେଶକ ସମ୍ମିଳନୀରେ ଯୋଗଦେବା ସହ କ୍ୟୋଟୋ ଓ ଓସାକା ସହରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ମୁଖ୍ୟତଃ ଓଡ଼ିଶାରେ ଜାପାନୀ ପୁଞ୍ଜିନିବେଶ ନେଇ ମୁଖ୍ୟମନ୍ତ୍ରୀ ଜାପାନର କେତେକ ଉଦ୍ୟୋଗୀଙ୍କ ସହ ଆଲୋଚନା କରିବେ । ଜାପାନ ସରକାର କିପରି ଓଡ଼ିଶାରେ ଅଧିକ ପୁଞ୍ଜିନିବେଶ କରିବେ ସେନେଇ ବି ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ଦୁବାଇ ନିବେଶକ ସମ୍ମିଳନୀରେ ୨୧ହଜାର କୋଟିର ପୁଞ୍ଜିନିବେଶ ପ୍ରସ୍ତାବ ଆସିବା ପରେ ଜାପାନରୁ ଅଧିକ ପୁଞ୍ଜିନିବେଶ ଆଣିବାକୁ ରାଜ୍ୟ ସରକାର ଆଶାବାଦୀ ଅଛନ୍ତି। ବିଶେଷକରି ମେଟାଲ, ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି କ୍ଷେତ୍ରରେ ଜାପାନଠାରୁ ଅଧିକ ପୁଞ୍ଜିନିବେଶ ପ୍ରସ୍ତାବ ଆସିବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି। ପୂର୍ବରୁ ୨୦୧୮ରେ ଅନୁଷ୍ଠିତ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଜାପାନର ପ୍ରତିନିଧିମାନେ ଯୋଗଦେଇ ଓଡ଼ିଶା ସହ ବାଣିଜ୍ୟିକ ସମ୍ପର୍କ ମଜବୁତ୍‌ କରିଛନ୍ତି। ଏବେ ଜାପାନର ୫୦ରୁ ଅଧିକ କମ୍ପାନି ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ କାରବାର କରୁଛନ୍ତି।