ଏମ୍‌କେସିଜିରେ ୪ ଘଣ୍ଟାର ବିରଳ ଅପରେସନ୍‌: ମଳଦ୍ଵାରରୁ ଶାବଳ ବାହାର କଲେ ଡାକ୍ତର | News Room Odisha

ଏମ୍‌କେସିଜିରେ ୪ ଘଣ୍ଟାର ବିରଳ ଅପରେସନ୍‌: ମଳଦ୍ଵାରରୁ ଶାବଳ ବାହାର କଲେ ଡାକ୍ତର

ବ୍ରହ୍ମପୁର: କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍ ତଳସୁବର୍ଣ୍ଣଗିରି ସରକାରୀ ପ୍ରାଥମିକ ବିଦ୍ୟାଳୟ କୋଠାର ଛାତ ନିର୍ମାଣ ବେଳେ ଆଜବେଷ୍ଟସରୁ ଅସାବଧାନତା ଯୋଗୁଁ ଅଚାନକ ଖସି ପଡ଼ିଥିଲେ ଜଣେ ନାବାଳକ ଶ୍ରମିକ ଶକ୍ତି ପାଟଗୁରୁ। ତଳେ ମାଟି ଖୋଳିବା କାର୍ଯ୍ୟରେ ବ୍ୟବହୃତ ଏକ ଶାବଳ ପୋତା ହୋଇଥିବା ଅବସ୍ଥାରେ ରହିଥିଲା। ୧୬ ବର୍ଷୀୟ ଶକ୍ତି ପାଟଗୁରୁ ଠିକ୍ ତାହା ଉପରେ ପଡ଼ିଯାଇଥିଲେ ଓ ଦୁର୍ଯ୍ୟୋଗବଶତଃ ଉକ୍ତ ଶାବଳ ତାଙ୍କ ମଳଦ୍ଵାର ପଟେ ଶରୀରରେ ପଶି ଯାଇଥିଲା। ଏଭଳି ବିକଟ ଅବସ୍ଥାରେ ରକ୍ତ ଜୁଡୁବୁଡୁ ଶକ୍ତିଙ୍କୁ ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ଗତକାଲି ରାତ୍ର ଏମ୍‌କେସିଜି ମେଡିକାଲ କଲେଜ ହସ୍‌ପିଟାଲ୍ ସର୍ଜରୀ ଡାକ୍ତର ଟିମ୍ ୪ ଘଣ୍ଟା କାଳ ବିରଳ ଅପରେସନ୍ କରି ଶାବଳ ବାହାର କରିବାରେ ସକ୍ଷମ ହୋଇଛନ୍ତି। ଏହା ପରେ ଅପେକ୍ଷାକୃତ ଭଲ ଅବସ୍ଥାରେ ଥିବା ଶକ୍ତିଙ୍କୁ ସର୍ଜରୀ ବିଭାଗ ଆଇସିୟୁରେ ତଦାରଖରେ ରଖାଯାଇଛି।

ସହକାରୀ ପ୍ରଫେସର ଡା. ଆଇ. ଗୋପାଳଙ୍କ ସୂଚନା ମୁତାବକ ଚାରି ଘଣ୍ଟା ଧରି ଅସ୍ତ୍ରୋପଚାର କରାଯାଇ ସମ୍ପୃକ୍ତ ନାବାଳକଙ୍କ ମଳଦ୍ୱାରରୁ ଶାବଳ ବାହାର କରାଯାଇଥିଲା। ମଳଦ୍ଵାରର ପ୍ରାୟ ଦୁଇ ଫୁଟ ଭିତରେ ଶାବଳ ପଶି ପିଠି ପାଖକୁ ଚାଲି ଯାଇଥିଲା। ତାଙ୍କର ଜାନୁ ହାଡ଼ ଭାଙ୍ଗି ଯାଇଛି। ଏହି ଅପରେସନ୍ ପରେ ମଳତ୍ୟାଗ ପାଇଁ ଶକ୍ତିଙ୍କ ପେଟ ପାଖରୁ ଏକ ଅଲଗା ରାସ୍ତା ବାହାର କରାଯାଇଛି। ପରେ ତାଙ୍କର ମଳଦ୍ଵାର ଠିକ୍ କରାଯିବାକୁ ଆଉ ଏକ ଅପରେସନ୍ କରାଯିବ ବୋଲି କହିଛନ୍ତି ଡାକ୍ତର। ଅପରେସନ୍ କରିଥିବା ଟିମ୍‌ରେ ଡାକ୍ତର ଆଇ.ଗୋପାଳ, ଡା. ଯସମିନ୍ କୁମାର ପାଣିଗ୍ରାହୀ, ନିଶ୍ଚେତକ ବିଭାଗର ଡା. ଏସ୍.ସଞ୍ଜୀବ ରାଓ, ଆସିଷ୍ଟାଣ୍ଟ ପ୍ରଫେସର ଡା. ମାନସ କୁମାର ନାୟକ, ସିନିୟର ରେସିଡେଣ୍ଟ ଡା. ଶୁଭଶ୍ରୀ ରଥ, କନିଷ୍ଠ ଚିକିତ୍ସକ ଡା. ସରୋଜ ଦାସ ଓ ଡା. ଗୌତମ ତ୍ରିପାଠୀ ପ୍ରମୁଖ ସାମିଲ ଥିଲେ। ବର୍ତ୍ତମାନ ଆଇସିୟୁରେ ଚିକିତ୍ସାଧୀନ ଥିବା ଶକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।