ଦେଶର ସବୁଠୁ ବଡ଼ ବ୍ୟାଙ୍କ ଏସବିଆଇର ସର୍ଭର ଅଚଳ, ଗ୍ରାହକ ହଟହଟା | News Room Odisha

ଦେଶର ସବୁଠୁ ବଡ଼ ବ୍ୟାଙ୍କ ଏସବିଆଇର ସର୍ଭର ଅଚଳ, ଗ୍ରାହକ ହଟହଟା

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ତଥା ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)ର ଅନଲାଇନ୍ ବ୍ୟାଙ୍କିଙ୍ଗ୍ ଏବଂ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ସେବା ଏପ୍ରିଲ ୧ ଠାରୁ ସଠିକ୍ କାମ କରୁନାହିଁ। ଫଳରେ ଗ୍ରାହକମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ଗତ ଦୁଇ ଦିନ ଧରି ଏସବିଆଇ ସର୍ଭର ଡାଉନ୍ ନେଇ ଅନେକ ରିପୋର୍ଟ ଆସିଥିଲା । କିନ୍ତୁ ସୋମବାର (ଏପ୍ରିଲ ୩) ଏସବିଆଇର ଅନଲାଇନ୍ ସେବା ପୂରା ଠପ୍ ହୋଇଯାଇଥିବା ଅଭିଯୋଗ ହୋଇଛି ।

ଏସବିଆଇର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ଏପ୍ରିଲ ୧, ୨୦୨୩ରେ ଏକ ପୋଷ୍ଟରେ କହିଥିଲା ଯେ ମୋବାଇଲ ବ୍ୟାଙ୍କିଙ୍ଗ, ଅନଲାଇନ୍ ବ୍ୟାଙ୍କିଙ୍ଗ ଏବଂ ୟୁପିଆଇ ସେବା ଅପରାହ୍ନ ୧.୩୦ ରୁ ୪.୪୫ ମଧ୍ୟରେ ଉପଲବ୍ଧ ହେବ ନାହିଁ। ଏହା ପରେ ବ୍ୟାଙ୍କର ସବୁ ଅନଲାଇନ୍ ସେବା ସଠିକ୍ କାମ କରିବ ବୋଲି ଆଶା କରାଯାଉଥିଲା ।

ତେବେ ଏସବିଆଇର ଅନଲାଇନ୍ ସେବାରେ ଏପରି ସମସ୍ୟା ଜାରି ରହିଛି | ଗ୍ରାହକଙ୍କ କହିବାନୁସାରେ, ସର୍ଭରରେ ତ୍ରୁଟି ଯୋଗୁଁ ସେମାନେ ନିଜ କ୍ରେଡିଟ୍ କାର୍ଡ ଓ ୟୁପିଆଇ ପେମେଣ୍ଟ କରିପାରୁ ନାହାନ୍ତି।

ଏପ୍ରିଲ ପହିଲାରୁ ଏସବିଆଇର ସର୍ଭର ଡାଉନ୍ ରହିଛି। ଅନେକ ଗ୍ରାହକ ଏସବିଆଇର ଟ୍ୱିଟର ହ୍ୟାଣ୍ଡେଲ ଯାଇ ଏନେଇ ଅଭିଯୋଗ କରୁଛନ୍ତି।

ଏହାଛଡ଼ା ଗ୍ରାହକମାନେ ଏସବିଆଇର ୟୋନୋ ଆପରେ ମଧ୍ୟ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ଏସବିଆଇ ଟ୍ୱିଟ୍ କରି କହିଛି ଯେ ୨୦୨୨-୨୩ ଆର୍ଥିକ ବର୍ଷ ଶେଷ ହୋଇଥିବାରୁ ଆପରେ କିଛି ସମସ୍ୟା ହେଉଛି।