ଫୁଲବାଣୀରେ ବ୍ୟବସାୟୀଙ୍କଠୁ ଲୁଟ ମାମଲା : ମାତ୍ର ୪୮ ଘଣ୍ଟା ମଧ୍ୟରେ ୨ ଲୁଟେରାଙ୍କୁ ଧରିଲା ପୋଲିସ, ଲୁଟ ଟଙ୍କା ଜବତ | News Room Odisha

ଫୁଲବାଣୀରେ ବ୍ୟବସାୟୀଙ୍କଠୁ ଲୁଟ ମାମଲା : ମାତ୍ର ୪୮ ଘଣ୍ଟା ମଧ୍ୟରେ ୨ ଲୁଟେରାଙ୍କୁ ଧରିଲା ପୋଲିସ, ଲୁଟ ଟଙ୍କା ଜବତ

ଫୁଲବାଣୀ – ଗତ ସୋମବାର ଫୁଲବାଣୀ ଆକ୍ସିସ ବ୍ୟାଙ୍କ ନିକଟରୁ ଲୁଟ ଘଟଣାରେ ପୋଲିସ ମାତ୍ର ୪୮ ଘଣ୍ଟା ମଧ୍ୟରେ ଲୁଟେରାମାନଙ୍କୁ ଧରିବାରେ ସକ୍ଷମ ହୋଇଛି କନ୍ଧମାଳ ପୋଲିସ। ସେମାନଙ୍କଠାରୁ ଲୁଟ ହୋଇଥିବା ସବୁ ଟଙ୍କା ମଧ୍ୟ ଉଦ୍ଧାର କରାଯାଇଛି। ଏହି ଘଟଣାରେ ସଂପୃକ୍ତ ଦୁଇ ପେଷାଦାର ଲୁଟେରାଙ୍କୁ କଳାହାଣ୍ଡି ଜିଲା କେସିଙ୍ଗାରୁ ଗିରଫ କରାଯାଇଥିବା ନେଇ ବୁଧବାର ସ୍ଥାନୀୟ ଟାଉନ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର।
ସୂଚନାଯୋଗ୍ୟ, ଗତ ସୋମବାର ଫୁଲବାଣୀର ଜଣେ ବ୍ୟବସାୟୀ ଅଶ୍ୱିନୀ ପାତ୍ର ଆକ୍ସିସ ବ୍ୟାଙ୍କକୁ ଟଙ୍କା ଜମା କରିବା ପାଇଁ ଯାଉଥିବା ବେଳେ ଦୁଇ ଜଣ ଯୁବକ ଏକ କଳା ପଲସରରେ ଆସି ତାଙ୍କଠାରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଛଡାଇ ନେଇ ଚମ୍ପଟ ମାରିଥିଲେ ।

ଟାଉନ ଥାନା ପୋଲିସ ତୁରନ୍ତ ନିକଟସ୍ଥ ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଥିଲା। ଫୁଲବାଣୀ, ଫିରିଙ୍ଗିଆ ଓ ଗୋଚ୍ଛାପଡା ଥାନା ଅଞ୍ଚଳରେ ନାକାବନ୍ଦୀ କରାଯାଇଥିଲା। ଦୁର୍ବୃତ୍ତମାନେ ଗୋଚ୍ଛାପଡା ଛକରେ ପୋଲିସକୁ ଚକମା ଦେଇ ଚାଲି ଯାଇଥିଲେ। ତେବେ ପୋଲିସ ପିଛା କରିବାରୁ ଲୁଟେରାମାନେ ଖଜୁରୀଗାଁ ନିକଟରେ ବାଇକ ଛାଡି ଦେଇ ଜଙ୍ଗଲ ଭିତରକୁ ଖସି ଚାଲି ଯାଇଥିଲେ।

ପୋଲିସ ସଂପୃକ୍ତ ଜଙ୍ଗଲକୁ ଚାରିପଟୁ ଘେରାଉ କରିଥିଲା । ତେବେ ମଙ୍ଗଳବାର ଲୁଟେରାମାନଙ୍କ ସହଯୋଗୀମାନେ ଏକ କାର ଯୋଗେ ସେମାନଙ୍କୁ ଜଙ୍ଗଲ ଭିତରୁ ଖସାଇ ନେଇ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଡକୁ ଯାଉଥିବା ଜାଣିପାରି କେସିଙ୍ଗା ପୋଲିସକୁ ସୂଚନା ଦିଆଯାଇଥିଲା। କନ୍ଧମାଳ ଓ କଳାହାଣ୍ଡି ପୋଲିସର ମିଳିତ ଉଦ୍ୟମରେ ଲୁଟେରାମାନଙ୍କୁ କେସିଙ୍ଗାଠାରେ ଗିରଫ କରାଯାଇଥିଲା ବୋଲି ଏସପି ସୂଚନା ଦେଇଛନ୍ତି। ଗିରଫ ଦୁଇ ଜଣ ହେଲେ ଗଞ୍ଜାମ ଜିଲା ଆସ୍କା ଥାନା ଅନ୍ତର୍ଗତ ପାକଲାପଲ୍ଲୀର ଏ. କିଶୋର ଓ ଏ. ହରି । ଏମାନଙ୍କୁ ଖସାଇ ନେଉଥିବା ଏମ. ଲିଲି, ସରସ୍ବତୀ, ଏମ. ପାଣ୍ଡୁ ଓ କାର ଡ୍ରାଇଭର ଲିଟୁ ଗୌଡକୁ ମଧ୍ୟ ପୁଲିସ ଗିରଫ କରିଛି। ଏ ସମସ୍ତଙ୍କ ଘର ଆସ୍କା ଅଞ୍ଚଳରେ ଏବଂ ଏମାନଙ୍କ ବିରୋଧରେ ନୟାଗଡ଼, ପୁରୀ ଓ ସମ୍ବଲପୁର ଥାନାରେ ପୂର୍ବରୁ ଲୁଟ ଓ ଡକାୟତି ମାମଲା ରହିଛି। ଦୁର୍ବୃତ୍ତମାନଙ୍କ ପାଖରୁ ପୁଲିସ ସମସ୍ତ ଲୁଟ ଟଙ୍କା ସହ ମୋବାଇଲ, ତାଲା ଖୋଲିବା ପାଇଁ ମାଷ୍ଟର-କି ଉଦ୍ଧାର କରାଯାଇଛି। ଏନେଇ ଫୁଲବାଣୀ ଟାଉନ ଥାନାରେ ୮୯/୨୩ରେ ଏକ ମାମଲା ରୁଜୁ କରାଯାଇଛି।