କେଲୋର ପାଣି ଅଟକାଇ ଫସିଗଲା ଛତିଶଗଡ, ଉଭୟ ରାଜ୍ୟର ଚାଷୀଙ୍କ ମିଳିତ ପ୍ରତିବାଦ | News Room Odisha

କେଲୋର ପାଣି ଅଟକାଇ ଫସିଗଲା ଛତିଶଗଡ, ଉଭୟ ରାଜ୍ୟର ଚାଷୀଙ୍କ ମିଳିତ ପ୍ରତିବାଦ

ଝାରସୁଗୁଡ଼ା: ମହାନଦୀ ଏବଂ ଏହାର ସମସ୍ତ ଶାଖାନଦୀରେ ହଜାର ହଜାର ସଂଖ୍ୟାରେ ବନ୍ଧ ଓ ବ୍ୟାରେଜ ନିର୍ମାଣ କରି ଚାଲିଛି। ତେବେ ଏହି ବେଆଇନ ନିର୍ମାଣ ଯୋଗୁଁ କେବଳ ଓଡିଶାବାସୀ ସମସ୍ୟାରେ ପଡୁନାହାନ୍ତି। ବରଂ ଖୋଦ ଛତିଶଗଡବାସୀ ବି ପାଣି ହାହାକାର ସ୍ଥିତିର ସମ୍ମୁଖୀନ ହେଉଛନ୍ତି। କଲମା ପରେ ବର୍ତ୍ତମାନ କେଲୋ ନଦୀରେ ବନ୍ଧ ବାନ୍ଧିବା ଦ୍ବାରା ଉଭୟ ରାଜ୍ୟର ସୀମାନ୍ତବାସୀ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦରେ ଛତିଶଗଡର ରାୟଗଡ ଜିଲ୍ଲାର ନେତନାଗର ଅଞ୍ଚଳର ବିଭିନ୍ନ ଚାଷୀ ସଂଗଠନ ଏକାଠି ହୋଇ ଗତମାସ ମାର୍ଚ୍ଚ ୧୧ ତାରିଖରୁ ଧାରଣା ଦେଇଛନ୍ତି। ତେବେ ସେଠିକାର ଚାଷୀଙ୍କ ଅନୁରୋଧରେ ଓଡ଼ିଶାର ଚାଷୀ ସଂଗଠନ ମଧ୍ଯ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି।

ଛତିଶଗଡର ରାୟଗଡ ଜିଲ୍ଲା ଦେଇ ପ୍ରବାହିତ ହୋଇଥିବା କେଲୋ ନଦୀ ଓଡ଼ିଶାର ଲଖନପୁର ବ୍ଲକର ୬ଟି ପଞ୍ଚାୟତ ଦେଇ ମହାନଦୀରେ ପଡିଛି। ତେବେ ଦଶନ୍ଧି ପୂର୍ବରୁ ରାୟଗଡରେ ବନ୍ଧ ନିର୍ମାଣ କରି କେଲୋର ପାଣିକୁ ଅଟକାଇ ଚାଲିଛନ୍ତି ଛତିଶଗଡ ସରକାର। ଏଥିପାଇଁ ଓଡ଼ିଶା ପ୍ରଭାବିତ ହୋଇଆସିଛି। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ଉକ୍ତ ବନ୍ଧ ତଳକୁ ଆଉ ଏକ ଆନିକଟ ନିର୍ମାଣ କରି ଛତିଶଗଡ ସରକାର ପାଣି ଅଟକାଇ ଚାଲିଛନ୍ତି। ଫଳରେ ଓଡ଼ିଶାର ୬ ପଞ୍ଚାୟତ ସମେତ ଛତିଶଗଡର ନେତନାଗର, ରେଙ୍ଗାଲପାଲି ଏବଂ ବଡମାଳ ଆଦି ଗାଁର ଲୋକେ ଜଳସେଚନ ତ ଦୂରର କଥା, ପିଇବା ଓ ଗାଧୋଇବା ପାଣି ଟିକକ ପାଇଁ ଦହଗଞ୍ଜ ହେଉଛନ୍ତି। ଏନେଇ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରିବା ପରେ ବି କୌଣସି ସୁଫଳ ମିଳିନାହିଁ। ଏଭଳି ସ୍ଥିତିରେ କିଷାନ ଜଳ ଆନ୍ଦୋଳନର ସଭାପତି ଲଲନ ସିଂଙ୍କ ନେତୃତ୍ବରେ ଗତ ମାସ ୧୧ ତାରିଖରୁ ନେତନାଗରରେ ଧାରଣା ଚାଲିଛି। ତେବେ ଲଲନଙ୍କ ଆହ୍ବାନରେ ବହୁ ସଂଖ୍ୟାରେ ଓଡ଼ିଶାର ଚାଷୀ ବି ସାମିଲ ହୋଇ ସମର୍ଥନ ଜଣାଇଛନ୍ତି। ଫଳରେ ଛତିଶଗଡ ସରକାର ପାଇଁ ଏହା ଅଡୁଆ ସ୍ଥିତି ସୃଷ୍ଟି କଲାଣି। ଓଡ଼ିଶା ପକ୍ଷରୁ ପ୍ରଦୀପ ବିଶ୍ବାଳ, ଶାନ୍ତିଭୂଷଣ ବିଶ୍ବାଳ, ଡୋଳାମଣୀ ମେହେର, କାଳିଚରଣ ମେହେର ପ୍ରମୁଖ ସାମିଲ ହୋଇଛନ୍ତି। ସେପଟେ ଭୂପେଶ ସରକାରକୁ ଘେରିବା ପାଇଁ ଛତିଶଗଡ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ତପନ ସାହୁ ମଧ୍ଯ ଏଥିରେ ସାମିଲ ହୋଇ ସମର୍ଥନ ଜଣାଇଛନ୍ତି