ଆଜି ଅଠର ଦେଉଳ ପୂଜା, ବାଥୁଡି ସମ୍ପ୍ରଦାୟର ପ୍ରଭୁ ବଡ଼ାମ୍, ବର୍ଷରେ ଥରେ ହିଁ ଦିଅନ୍ତି ଭକ୍ତଙ୍କୁ ଦର୍ଶନ  | News Room Odisha

ଆଜି ଅଠର ଦେଉଳ ପୂଜା, ବାଥୁଡି ସମ୍ପ୍ରଦାୟର ପ୍ରଭୁ ବଡ଼ାମ୍, ବର୍ଷରେ ଥରେ ହିଁ ଦିଅନ୍ତି ଭକ୍ତଙ୍କୁ ଦର୍ଶନ 

ମୟୂରଭଞ୍ଜ ଜିଲ୍ଲାକୁ ପ୍ରକୃତିର ରହିଛି ବହୁତ ବରଦାନ । ଏହି ଜିଲ୍ଲାର ଶିମିଳିପାଳ ହେଉଛି ଏହାର ସବୁଠାରୁ ବଡ଼ ଆକର୍ଷଣ । ଅନ୍ୟ ସ୍ଥାନ ଭଳି ଏହି ଜିଲ୍ଲାର ଶିମିଳିପାଳ ଅଞ୍ଚଳରେ ବସବାସ କରନ୍ତି ଅନେକ ସମ୍ପ୍ରଦାୟର ଲୋକେ । ତା ଭିତରେ ବାଥୁଡ଼ି ସମ୍ପ୍ରଦାୟ ହେଉଛି ଅନ୍ୟତମ । ସେମାନଙ୍କର ଏକ ସ୍ୱତନ୍ତ୍ର ପର୍ବ ହେଉଛି ‘ବଡ଼ାମ୍’ ।ବଡ଼ାମ୍ ହେଉଛନ୍ତି ସେମାନଙ୍କ କୁଳ ଦେବତା। ଅଭୟାରଣ୍ଯ ଭିତରେ ରହିଛି ଅଠର ଦେଉଳ ମନ୍ଦିର। ଏହି ମନ୍ଦିରରେ ୮୦୦ ବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି ପୂଜା ପାଇ ଆସୁଛନ୍ତି ବିଭିନ୍ନ ଦେବାଦେବୀ । ତେବେ ସେହି ଘଞ୍ଚ ଜଙ୍ଗଲ ଭିତରେ କାହିଁକି ରହିଛି ଏହି ଅଠର ଦେଉଳ ମନ୍ଦିର ଏବଂ ସେଠାରେ କି ପ୍ରକାର ପୂଜା ପର୍ବ ପାଳନ କରାଯାଏ ତାକୁ ନେଇ ବାଥୁଡ଼ି ସମ୍ପ୍ରଦାୟରେ କଣ ରହିଛି ରୀତିନୀତି ଓ ପରମ୍ପରା ଆସନ୍ତୁ ଜାଣିବା…

ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳରେ ବିଭିନ୍ନ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି।ସେମାନଙ୍କ ମଧ୍ୟରୁ ମୁଣ୍ଡା, ବାଥୁଡି, ଭୁଆଁ, ସାଉନ୍ତି, ଲେଧା, କୋହଳ, ସାନ୍ତାଳି, କୁଡୁମୀ ଏଭଳି ବିଭିନ୍ନ ସମ୍ପ୍ରଦାୟ ର ଜନଜାତି ଲୋକଙ୍କର ବାସସ୍ଥଳୀ ପାଲଟିଛି ପୂରା ଶିମିଳିପାଳ ଅଞ୍ଚଳ ।

ଏମାନଙ୍କ ମଧ୍ୟରେ ବାଥୁଡି ସମ୍ପ୍ରଦାୟର ଲୋକ ମାନଙ୍କ ପରମ୍ପରା ସଂସ୍କୃତି ଟିକେ ଭିନ୍ନ।ଶିମିଳିପାଳ ଜୈବ ମଣ୍ଡଳର କୋର ଏରିଆ ହେଉଛି ନଅଣା ଦକ୍ଷିଣ ରେଞ୍ଜ ଅଧୀନସ୍ଥ ବକୁଆ ଫରେଷ୍ଟ ସେକ୍ସନ କ୍ୟାମ୍ପ । ଏଠାରୁ କିଛି ଦୂରରେ ରହିଛି ବାଥୁଡି ସମ୍ପ୍ରଦାୟର ଆଦି ଉପାସନା ପୀଠ ଅଠର ଦେଉଳ । ସବୁବର୍ଷ ବୈଶାଖ କୃଷ୍ଣ ପକ୍ଷ ଦ୍ଵିତୀୟା ରେ ଏଠାରେ ବଡାମ୍ ପର୍ବ ଧୁମ୍ ଧାମରେ ପାଳନ କରାଯାଏ ଅଠର ଦେଉଳ ପୂଜା। ।

ଶିମିଳିପାଳ ଜୈବ ମଣ୍ଡଳର ଅନେକ ସ୍ଥାନରେ ରହିଛି ପ୍ରାକୃତିକ ଗୁମ୍ଫା ସବୁ । ସେହି ଗୁମ୍ଫାରେ ବାଥୁଡିମାନଙ୍କର ବିଭିନ୍ନ ଦେବା ଦେବୀ ପୂଜା ପାଆନ୍ତି। ଏଠାରେ ଏଭଳି ଅଠରଟି ଦେଉଳ ରହି ଥିବାର ବିଶ୍ୱାସ କରାଯାଏ । କିମ୍ବଦନ୍ତୀ ଅନୁସାରେ ସମସ୍ତ ଦେଉଳ ପ୍ରକୃତିରୁ ସୃଷ୍ଟି ହୋଇଛି । କେବଳ ଗୋଟିଏ ଦେଉଳକୁ ତିଆରି କରିଛି ମଣିଷ । ଏହି ଦେଉଳକୁ “ମାନବ ଦେଉଳ” ବୋଲି କୁହାଯାଏ । ତେବେ ବର୍ତ୍ତମାନ ଏହିଦେଉଳ ପ୍ରାୟ ଭଗ୍ନ ଅବସ୍ଥା ରେ। ତେବେ ଏହି ମନ୍ଦିରର ବିଶେଷତ୍ୱ ହେଲା ଏହା ସମ୍ପୂର୍ଣ୍ଣ ମାଙ୍କଡ଼ା ପଥରରେ ନିର୍ମିତ ହୋଇ ଥିଲା ବେଳେ ଏଠାରେ ପଥରକୁ ପଥର ଯୋଡିବା ପାଇଁ ଚୂନ କିମ୍ବା ଅନ୍ଯ କୌଣସି ସାମଗ୍ରୀ ବ୍ଯବହାର ହୋଇ ନାହିଁ। ଏହି ମନ୍ଦିର ନିର୍ମାଣକୁ ନେଇ ବିଭିନ୍ନ କିମ୍ବଦନ୍ତୀ ଶୁଣିବାକୁ ମିଳେ ।

ଜନବସତି ଠାରୁ ଅନେକ ଦୂରରେ ଘଞ୍ଚ ଜଙ୍ଗଲ ଭିତରେ ରହିଛି ଏହି ସବୁ ମନ୍ଦିର । ବର୍ଷରେ ଥରେ ବନବିଭାଗ ଅନୁମତି ଦେଇଥାଏ ଏହି ସ୍ଥାନକୁ ଯିବା ପାଇଁ। ତେବେ ଯିଏବି ଯାଏ ପୁରୁଷଙ୍କୁ ଧୋତି ଏବଂ ମହିଳାଙ୍କୁ ଶାଢ଼ି ପିନ୍ଧି ଯିବାକୁ ପଡ଼େ । ଏହି ମାନବ ଦେଉଳ ଏକ ସାଧନା କେନ୍ଦ୍ର ବୋଲି ମଧ୍ୟ ଧରାଯାଏ। ଯେଉଁଠି ଦେହୁରୀମାନେ ପୂଜା କରିଥାନ୍ତି । ବଡ଼ାମ, ବଡ଼ାମୀ, ଲକ୍ଷ୍ମୀ, ଈଶ୍ୱର, ମହାବୀର ଆଦି ଠାକୁର ପୂଜା ପାଇଥାନ୍ତି ଏହି ଅଠର ଦେଉଳରେ ।

ପ୍ରତିବର୍ଷ ବାଥୁଡି ସମ୍ପ୍ରଦାୟର ଲୋକେ ଚଇତ୍ର ମାସରେ ଶିମିଳିପାଳରେ ପ୍ରବେଶ କରି ଖାଲି ପାଦ ରେ ଚାଲି ଚାଲି ଦ୍ଵାରଶୁଣି ପୀଠ, ଗଣେଶ୍ୱର ଗଡ଼, ଯୋରନ୍ଦା, ବାରେହି ପାଣି, ଅନ୍ଧାରୀ ଶାଳ, ଶଙ୍ଖେଇ ଶାଳ, ମହାଶାଳ ବୃକ୍ଷ, ମହା ବୃକ୍ଷ ଚମ୍ପାବତୀ ଆଦି ସ୍ଥାନରେ ପୂଜାର୍ଚ୍ଚନା କରିଥାନ୍ତି । ଏହାପରେ ମାନବ ଦେଉଳରେ ଏକତ୍ରିତ ହୋଇ ରାତ୍ରି ରହଣୀ କରନ୍ତି। ମାନବ ଦେଉଳ ପ୍ରାଙ୍ଗଣରେ ପ୍ରାୟ ଏକ ସପ୍ତାହ ବ୍ଯାପୀ ପତ୍ର କୁଡ଼ିଆ କରି, ତମ୍ବୁ ପକାଇ ରହିବା ସହ ସେଠାରୁ ଈଶ୍ୱର ଦେଉଳ, ଲକ୍ଷ୍ମୀ ଭଣ୍ଡାର, ବାଉଳି ଦେଉଳ ଆଦି ସ୍ଥାନକୁ ଯାଇ ପୂଜା କରିଥାନ୍ତି। ମାନବ ଦେଉଳରେ ରହଣି ଅବସରରେ ବାଥୁଡିମାନେ ଗୋମୂତ୍ର ପାନକରି ପବିତ୍ର ହେବା ପରେ ପୂଜାରେ ସାମିଲ ହୋଇଥାନ୍ତି । ସେଠାରେ ଚାଙ୍ଗୁ ଖଳା ପ୍ରସ୍ତୁତ କରାଯାଏ । ପୁରୁଷ ଓ ମହିଳାମାନେ ଭକ୍ତି ଭାବନାରେ ଶ୍ୱେତ ବସ୍ତ୍ର ପିନ୍ଧି ରାତି ତମାମ୍ ଚାଙ୍ଗୁ ନୃତ୍ୟ କରିଥାନ୍ତି । ପ୍ରଭୁ ବଡାମ୍ ଓ ମାତା ବଡାମଣିଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରିଥାନ୍ତି। ଦେବ ବାଦ୍ୟ ଚାଙ୍ଗୁର ଶବ୍ଦରେ ଗୁଂଜରିତ ହୋଇ ଉଠେ ନିସ୍ତବ୍ଧ ବନ ମୁଲକ । ପୂଜାର ଶେଷ ଦିନରେ ମାନବ ଦେଉଳ ପ୍ରାଙ୍ଗଣରେ ବିଶେଷ ପୂଜାର ଆୟୋଜନ ହୋଇ ଥାଏ । ଏହାକୁ ବଡ଼ ପୂଜା ବୋଲି କୁହାଯାଏ। ଏହି ପୂଜାରେ ମଧ୍ୟ ସମସ୍ତେ ଧଳା ପୋଷକ ପିନ୍ଧିବା ସହ ପତ୍ର କୁଡ଼ିଆ କରି ରହିଥାନ୍ତି । ଆଉ ପ୍ରକୃତି କୋଳରେ ନିଜକୁ ହଜେଇ ଦେଇଥାନ୍ତି। ଏଠାରେ ତେଲ, ସାବୁନ, ଗହଣା ଗାଣ୍ଠି ଆଦି ସୌଖୀନ ପଦାର୍ଥର ବ୍ଯବହାର କରିବା ମନା । ପ୍ରକୃତି କୋଳରେ ରହି ବିଭିନ୍ନ ଔଷଧୀୟ ବୃକ୍ଷ ସଂସ୍ପର୍ଶରେ ଆସି ଲୋକେ ବର୍ଷ ତମାମ୍ ନିରୋଗ ରହିଥାନ୍ତି ବୋଲି ବିଶ୍ୱାସ ରହିଛି।