ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୩ : ବିଭିନ୍ନ ବର୍ଗରେ ଗଞ୍ଜାମ ଜିଲ୍ଲା ପୁରସ୍କୃତ | News Room Odisha

ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୩ : ବିଭିନ୍ନ ବର୍ଗରେ ଗଞ୍ଜାମ ଜିଲ୍ଲା ପୁରସ୍କୃତ

ବ୍ରହ୍ମପୁର – ୨୦୨୩ ଜାତୀୟ ପଞ୍ଚାୟତ ପୁରସ୍କାରରେ ଗଞ୍ଜାମ ଜିଲ୍ଲା ଶ୍ରେଷ୍ଠ ପ୍ରଦର୍ଶନ କରିଛି । ଗଞ୍ଜାମ ଜିଲ୍ଲାକୁ ମିଳିଛି ୬ଟି ପୁରସ୍କାର। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ଦିଆଯାଉଥିବା ପୁରସ୍କାରରେ ଗଞ୍ଜାମକୁ ମିଳିଛି ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ପୁରସ୍କାର । ଜିଲ୍ଲାର ହିଞ୍ଜିଳିକାଟୁ ଶ୍ରେଷ୍ଠ ବ୍ଲକ ପଞ୍ଚାୟତ ପୁରସ୍କାର ହାସଲ କରିଛି । ଦେଶର ମୋଟ ୬ ହଜାର ୬୧୨ଟି ବ୍ଲକ ମଧ୍ୟରୁ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଶ୍ରେଷ୍ଠ ବିବେଚିତ ହୋଇଛି । ସୁସ୍ଥ ପଞ୍ଚାୟତ, ସାମାଜିକ ସୁରକ୍ଷିତ ପଞ୍ଚାୟତ, ସ୍ୱଚ୍ଛ ଓ ସବୁଜ ପଞ୍ଚାୟତ, ଗ୍ରାମ ଉର୍ଜା ସ୍ୱରାଜ ବିଶେଷ ପଞ୍ଚାୟତ ବିଭାଗରେ ମଧ୍ୟ ଗଞ୍ଜାମ ଜିଲ୍ଲା ପୁରସ୍କୃତ ହୋଇଛି । ହିଞ୍ଜିଳିକାଟୁ ବ୍ଲକର କଞ୍ଚୁରୁ ଗ୍ରାମ ପଞ୍ଚାୟତ ସୁସ୍ଥ ପଞ୍ଚାୟତ ବିଭାଗରେ ଦ୍ୱିତୀୟ ଶ୍ରେଷ୍ଠ ବିବେଚିତ ହୋଇଛି। ଭଞ୍ଜନଗର ବ୍ଳକର କୁଲାଡ ଗ୍ରାମ ପଞ୍ଚାୟତ ସାମାଜିକ ସୁରକ୍ଷିତ ବ୍ଲକ ବିଭାଗରେ ଦ୍ୱିତୀୟ ଶ୍ରେଷ୍ଠ ବିବେଚିତ ହୋଇଛି। ହିଞ୍ଜିଳିକାଟୁ ବ୍ଲକର ଶାସନ ଆମ୍ବଗାଁ ଗ୍ରାମ ପଞ୍ଚାୟତ ସ୍ୱଚ୍ଛ ଓ ସବୁଜ ପଞ୍ଚାୟତ ବିଭାଗରେ ଦ୍ୱିତୀୟ ସ୍ଥାନ ହାସଲ କରିଛି । ପାତ୍ରପୁର ବ୍ଳକର ଆଙ୍କୁଲି ଗ୍ରାମ ପଞ୍ଚାୟତ ଗ୍ରାମ ଉର୍ଜା ସ୍ୱରାଜ ବିଶେଷ ପଞ୍ଚାୟତରେ ଦ୍ୱିତୀୟ ଶ୍ରେଷ୍ଠ ହୋଇଛି । ଜାତୀୟ ପଞ୍ଚାୟତ ପୁରସ୍କାରରେ ସଫଳତା ହାସଲ କରିଥିବାରୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଟିମ୍ ଗଞ୍ଜାମକୁ ଅଭିନନ୍ଦନ ଜଣାଇଛନ୍ତି।

ଲୋକ କୈନ୍ଦ୍ରିକ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୂପାନ୍ତରଣ ପଦକ୍ଷେପ ଯୋଗୁଁ ଗଞ୍ଜାମ ଜିଲ୍ଲା ବିଭିନ୍ନ ବିଭାଗରେ ଜାତୀୟ ପୁରସ୍କାର ଜିତିବା ଜାରି ରଖିଛି ।