ଶେଷ ଓଭରରେ ୫ଟି ଛକା ମାରି କୋଲକାତାକୁ ଜିତାଇଲେ ରିଙ୍କୁ | News Room Odisha

ଶେଷ ଓଭରରେ ୫ଟି ଛକା ମାରି କୋଲକାତାକୁ ଜିତାଇଲେ ରିଙ୍କୁ

କୋଲକାତା: ଆଇପିଏଲରେ ରବିବାର ଏକ ରୋମାଞ୍ଚକ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟନ୍ସକୁ ୩ ୱିକେଟରେ ହରାଇ ଦେଇଛି । କେକେଆରର ଏହି ବିଜୟର ନାୟକ ଥିଲେ ଯୁବ ବ୍ୟାଟର ରିଙ୍କୁ ସିଂହ । ବିଜୟ ପାଇଁ କେକେଆରକୁ ଶେଷ ଓଭରରେ ୨୯ରନ୍ ଆବଶ୍ୟକ ହେଉଥିବା ବେଳେ ରିଙ୍କୁ ବାମହାତୀ ଦ୍ରୁତ ବୋଲର ୟଶ ଦୟାଲଙ୍କ ଓଭରରେ ଲଗାତାର ୫ଟି ଛକା ମାରି ନିଜ ଦଳକୁ ଅବିଶ୍ୱସନୀୟ ବିଜୟ ଦେଇଥିଲେ । ୨୦୫ ରନର ବିଜୟ ଲକ୍ଷ୍ୟକୁ ପିଛାକରି କେକେଆର୍ ଶେଷ ବଲରେ ଜିତିଥିଲା ।

ରିଙ୍କୁ ତାଙ୍କ ଜୀବନର ଶ୍ରେଷ୍ଠ ପାଳି ଖେଳିଥିଲେ । ଏହି ୨୫ ବର୍ଷୀୟ ବ୍ୟାଟର ମାତ୍ର ୨୧ଟି ବଲରେ ଗୋଟିଏ ଚୌକା ଓ ୬ଟି ଛକା ସହ ଅପରାଜିତ ୪୮ ରନ୍ କରି ଗୁଜରାଟ ଟାଇଟନ୍ସ ହାତରୁ ବିଜୟ ଛଡ଼ାଇ ଆଣିଥିଲେ । ରିଙ୍କୁଙ୍କ ବ୍ୟତୀତ ଭେଙ୍କଟେଶ ଆୟରଙ୍କ ବିସ୍ଫୋରକ ଇନିଂସ୍ ଓ ଅଧିନାୟକ ନୀତିଶ ରାଣାଙ୍କ ପାଳି କେକେଆର୍ ବିଜୟ ପାଇଁ ମୂଳଦୁଆ ପକାଇଥିଲା । ଆୟର କେବଳ ୪୦ଟି ବଲରେ ୮ଟି ଚୌକା ଓ ୫ଟି ଛକା ସହ ବିସ୍ଫୋରକ ୮୩ ରନ୍ କରିଥିବା ବେଳେ ରାଣା ୨୯ଟି ବଲରେ ୪ଟି ଚୌକା ଓ ୩ଟି ଛକା ସହ ୪୮ ରନ୍ କରିଥିଲେ । ଶେଷ ଓଭରରେ ଚମତ୍କାର ବ୍ୟାଟିଂ ସହ ଦଳକୁ ବିଜୟମଣ୍ଡିତ କରିଥିବା ରିଙ୍କୁ ସିଂହ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।
ଟୁର୍ଣ୍ଣାମେଣ୍ଟରେ କେକେଆରର ଏହା ଲଗାତାର ଦ୍ୱିତୟ ବିଜୟ । ଅନ୍ୟପକ୍ଷେ ଟାଇଟନ୍ସର ବିଜୟ ଧାରାରେ ବ୍ରେକ୍ ଲାଗିଛି । ପ୍ରଥମ ଦୁଇଟି ମ୍ୟାଚ୍ ଜିତିଥିବା ଟାଇଟନ୍ସର ଏହା ପ୍ରଥମ ପରାଜୟ ।
ନିୟମିତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିନା ଖେଳୁଥିବା ଟାଇଟନ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ସାଇ ସୁଦର୍ଶନ ଓ ବିଜୟ ଶଙ୍କରଙ୍କ ଅର୍ଦ୍ଧଶତକ ସହାୟତାରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୨୦୪ ରନର ବଡ଼ ସ୍କୋର କରିଥିଲା । ଏହାର ଜବାବରେ କେକେଆର ଶୀଘ୍ର ଦୁଇ ଓପନର ରହମନୁଲ୍ଲା ଗୁରୁବାଜ (୧୫) ଓ ନରାୟଣ ଜଗଦୀଶନ(୬)ଙ୍କ ୱିକେଟ୍ ହରାଇଥିଲା । ହେଲେ ଭେଙ୍କଟେଶ ଆୟର ଓ କ୍ୟାପଟେନ ନୀତିଶ ରାଣା ତୃତୀୟ ୱିକେଟରେ ୫୫ ବଲରେ ୧୦୦ ରନ୍ ଯୋଗକରି ଦଳକୁ ଟ୍ରାକକୁ ଆଣିଥିଲେ । ଆୟର ଛକା, ଚୌକା ବର୍ଷା କରି ଟାଇଟନ୍ସ ଶିବିରରେ ଛନକା ସୃଷ୍ଟି କରିଥିଲେ । ତାଙ୍କୁ ଉପଯୁକ୍ତ ସହାୟତା ଯୋଗାଇଥିଲେ ରାଣା । ଶେଷରେ ୧୪ତମ ଓଭରରେ ରାଣାଙ୍କୁ ଆଉଟ୍ କରି ଆଲଜାରି ଯୋଶେଫ୍ ଏହି ଯୋଡ଼ି ଭାଙ୍ଗିଥିଲେ । କିନ୍ତୁ ଆୟର ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିଲେ । ହେଲେ ଯୋଶେଫ୍ ତାଙ୍କ ପରବର୍ତ୍ତୀ ଓଭରରେ ଆୟରଙ୍କୁ ଆଉଟ୍ କରି ଟାଇଟନ୍ସକୁ ବଡ଼ ସଫଳତା ଦେଇଥିଲେ ।

ଏହାପରେ ୧୭ତମ ଓଭରରେ କାମଚଳା ଅଧିନାୟକ ରସିଦ୍ ଖାନଙ୍କ ହ୍ୟାଟ୍ରିକ୍ ଟାଇଟନ୍ସର ବିଜୟ ଆଶା ଉଜ୍ଜଳ କରିଥିଲା । ରସିଦ ସେହି ଓଭରର ପ୍ରଥମ ତିନୋଟି ବଲରେ ଅଣ୍ଡ୍ରେ ରସେଲ (୧), ସୁନୀଲ ନରାଇନ(୦) ଓ ଶାର୍ଦ୍ଦୁଲ ଠାକୁର (୦)ଙ୍କୁ ଆଉଟ୍ କରିଥିଲେ । ରସିଦଙ୍କ ଏହି ହ୍ୟାଟ୍ରିକ୍ ପରେ ଟାଇଟନ୍ସର ବିଜୟ ପକ୍କା ମନେ ହେଉଥିଲା । କେକେଆର ସ୍କୋର ୧୫୫/୪ରୁ ହଠାତ ୧୫୫/୭ ହୋଇଯାଇଥିଲା । ହେଲେ ଶେଷ ଓଭରରେ ରିଙ୍କୁ ସିଂହ ଟାଇଟନ୍ସର ଆଶା ଧୂଳିସାତ କରିଦେଇଥିଲେ । ଶେଷ ଓଭରରେ ୨୯ ରନ୍ ଦରକାର ହେଉଥିବା ବେଳେ ୟଶ୍ ଦୟାଲଙ୍କ ପ୍ରଥମ ବଲରେ ଉମେଶ ଯାଦବ ୧ ରନ୍ ସଂଗ୍ରହ କରିଥିଲେ । ଫଳରେ ଆଉ ୫ଟି ବଲରୁ କେକେଆରକୁ ୨୮ ରନ୍ ଆବଶ୍ୟକ ହେଉଥିଲା । ରିଙ୍କୁ ଲଗାତାର ୫ଟି ଛକା ମାରି କେକେଆରକୁ ସ୍ମରଣୀୟ ବିଜୟ ଦେଇଥିଲେ ।

ପୂର୍ବରୁ ବିଜୟ ଶଙ୍କର ଓ ସାଇ ସୁଦର୍ଶନଙ୍କ ଅର୍ଦ୍ଧଶତକୟ ପାଳି ବଳରେ ଟାଇଟନ୍ସ ବୃହତ ସ୍କୋର କରିଥିଲା । ଶଙ୍କର ମାତ୍ର ୨୪ଟି ବଲରେ ୪ଟି ଚୌକା ଓ ୫ଟି ଛକା ସହ ଅପରାଜିତ ୬୩ ରନ୍ କରିଥିଲେ । ସୁଦର୍ଶନ ୩୮ଟି ବଲରେ ୩ଟି ଚୌକା ଓ ୨ଟି ଛକା ସହ ୫୩ ରନ୍ ସଂଗ୍ରହ କରଥିଲେ । ଗିଲ୍ ୫ଟି ଚୌକା ସହାୟତାରେ ୩୧ଯି ବଲରେ ୩୯ ରନ୍ କରିଥିବା ବେଳେ ରିଦ୍ଧିମାନ ଶାହା ୧୭ ରନ୍ କରିଥିଲେ । କେକେଆର୍ ପକ୍ଷରୁ ସୁନିଲ ନରାଇନ୍ ୩ଟି ୱିକେଟ୍ ନେଇଥିଲେ ।