ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁ ହ୍ରାସ ନେଇ ଏସଆରସିଙ୍କ ଅଧ୍ୟକ୍ଷତାରେ ବୈଠକ | News Room Odisha

ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁ ହ୍ରାସ ନେଇ ଏସଆରସିଙ୍କ ଅଧ୍ୟକ୍ଷତାରେ ବୈଠକ

ଭୁବନେଶ୍ୱର – ରାଜ୍ୟରେ ବିଜୁଳି ଓ ବଜ୍ରପାତ ଜନିତ ମୃତ୍ୟୁ କିପରି ରୋକାଯାଇ ପାରିବ, ସେ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଆଲୋଚନା କରାଯାଇଛି । ଏଥିରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଯୋଗଦେଇଥିଲେ। ଏବେ ବଜ୍ରପାତ, ବିଜୁଳି ଓ ବର୍ଷା ସଂପର୍କରେ ପାଣିପାଗ କେନ୍ଦ୍ର ପକ୍ଷରୁ ଆଗୁଆ ସୂଚନା ମିଳିପାରୁଛି।

ଏହି ସତର୍କ ସୂଚନା ସମସ୍ତ ଜିଲ୍ଲାପାଳମାନଙ୍କୁ ଇମେଲ୍‌ ଓ ହ୍ୱଟସଆପ ମାଧ୍ୟମରେ ଆଗୁଆ ଅବଗତ କରାଯାଉଛି। ବିଭିନ୍ନ ଜିଲ୍ଲାରୁ ବଜ୍ରପାତଜନିତ ଦୁର୍ଘଟଣାର ଖବର ଆସୁଥିବାବେଳେ ସେ ସଂପର୍କରେ ସତର୍କ ସୂଚନା ପାଇବା ମାତ୍ରେ ତୁରନ୍ତ ସ୍ଥାନୀୟ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ତଥା ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ଏ ବାବଦରେ ଅବଗତ ହୋଇପାରିଲେ ମୂଲ୍ୟବାନ ଜୀବନ ରକ୍ଷା କରାଯାଇପାରିବ ବୋଲି ବୈଠକରେ ଦର୍ଶାଇଥିଲେ ସ୍ୱତନ୍ତ୍ର ରିଲିଫ୍‌ କମିଶନର । ଏ ନେଇ ଜିଲ୍ଲାପାଳମାନଙ୍କୁ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ବଜ୍ରପାତ ପ୍ରାୟତଃ ଦିନ ୨ଟାରୁ ରାତି ୯ଟା ମଧ୍ୟରେ ହେଉଛି। ମୁଖ୍ୟତଃ କୃଷକ, କୃଷିକାର୍ଯ୍ୟରେ ଜଡ଼ିତ ଶ୍ରମିକ, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଯାଉଥିବା ଲୋକମାନେ ବଜ୍ରପାତର ଶିକାର ହେଉଛନ୍ତି। ବାହାରେ ରହୁଥିବା ଲୋକମାନେ ନିରାପଦ ସ୍ଥାନରେ ଆଶ୍ରୟ ନେବାକୁ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି।

ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏ ସଂପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।