ଛେନାପୋଡ଼ ଦିବସ : ଜିଆଇ ଟ୍ୟାଗ ପାଇଁ ଉଠିଲା ଦାବି | News Room Odisha

ଛେନାପୋଡ଼ ଦିବସ : ଜିଆଇ ଟ୍ୟାଗ ପାଇଁ ଉଠିଲା ଦାବି

ଭୁବନେଶ୍ବର – ଛେନାପୋଡ । ଓଡ଼ିଶାର ବିବିଧ ମିଷ୍ଟାନ୍ନ ମଧ୍ୟରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି । ଲୋକପ୍ରିୟତା କାହିଁ ରେ କ’ଣ । ଯେତେ ମିଠା ଖାଇଲେ ମଧ୍ୟ ଛେନାପୋଡ଼ର ସ୍ୱାଦ ନିଆରା । ଛେନାପୋଡ କଥା ଆସିଲେ, ନୟାଗଡ କଥା ମନେ ପଡିଯାଏ । ଏବେ ଛେନାପୋଡ ସମଗ୍ର ଓଡିଶାର ପରିଚୟ ହୋଇଛି ।

ଏପ୍ରିଲ ୧୧ ତାରିଖକୁ ଛେନାପୋଡ ଦିବସ ଭାବେ ପାଳନ କରାଯାଉଛି । ନୟାଗଡ ମାଟିରୁ ଛେନାପୋଡର ସୃଷ୍ଟି । ଏହି ଅଦ୍ୱିତୀୟ ମିଠାର ସ୍ରଷ୍ଟା ହେଉଛନ୍ତି ସୁଦର୍ଶନ ସାହୁ । ୧୯୪୫ ମସିହାରେ ନୟାଗଡ ଦଶପଲ୍ଲାରେ ସୁଦର୍ଶନ ସାହୁ ଏକ ଜଳଖିଆ ଦୋକାନ କରି ପରିବାର ଚଳାଉଥିଲେ । ଥରେ କିଛି ଛେନା ବଳି ଥିଲା । ତାହା ସକାଳୁ ଖରାପ ହୋଇଯିବ ଭାବି ସେଥିରେ କିଛି ଚିନି ଓ କିଛି ଚାଉଳ ଚୁନା ମିଶାଇ ନିଆଁ ରଡରେ ପୋଡି ଦେଇଥିଲେ । ଏହାପରେ ତାହା ଏକ ପିଠା ଆକାରର ହୋଇଥିଲା । ପ୍ରଥମେ ତାହା ଛେନାପୋଡ ପିଠା ହୋଇଥିଲା । ପରେ ପିଠାରୁ ମିଠା ପାଲଟିଥିଲା ଛେନାପୋଡ । ମାତ୍ର ଅଳ୍ପ କିଛି ଦିନରେ ଏହି ଯିବାର ଆଦର ବଢିବାକୁ ଲାଗିଲା। ଅନ୍ୟ ପାରମ୍ପରିକ ମିଠା ଠାରୁ ଏହାର ସ୍ୱାଦ ଭିନ୍ନ ଓ ସ୍ୱତନ୍ତ୍ର ଲାଗିଲା । ନୟାଗଡରୁ ରାଜ୍ୟର ଅନ୍ୟ ସ୍ଥାନକୁ ଛେନାପୋଡ ଯାଇଥିଲା । ପରେ ଅନ୍ୟ ଜିଲ୍ଲାରେ ଏହା ବିକ୍ରି ହୋଇଥିଲା । ଏପ୍ରିଲ ୧୧ ତାରିଖରେ ସ୍ବର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମ ତାରିଖକୁ ଛେନାପୋଡ ଦିବସ ଭାବେ ପାଳନ କରାଯାଏ । ୨୦୨୨ ମସିହାରୁ ‘ହେଲପିଙ୍ଗ ହ୍ୟାଣ୍ଡସ’ ଅନୁଷ୍ଠାନ ପକ୍ଷରୁ ବିଶ୍ବ ଛେନାପୋଡ ଦିବସ ପାଳନ କରାଯାଉଛି ।

ଛେନାପୋଡ ପ୍ରସ୍ତୁତି ମଧ୍ୟ ଟିକେ ଅଲଗା । ପ୍ରଥମେ ଛେନା ସଂଗ୍ରହ କରାଯାଏ । ଏଥିରେ ଆବଶ୍ୟକ ଅନୁଯାୟୀ ଚିନି, ସୁଜି, କାଜୁ, ଗୁଜୁରାତି ଇତ୍ୟାଦି ମିଶାଯାଏ । ଏହାପରେ ଏକ ରସ ପାତ୍ରରେ ତାହାକୁ ରଖାଯାଏ । ତାହାକୁ କଡା ନିଆଁ ଆଞ୍ଚରେ ବସାଯାଇ ପୋଡାଯାଏ । ଏହାପରେ ପ୍ରସ୍ତୁତ ହୋଇଯାଏ ସୁଆଦିଆ ଛେନାପୋଡ । ଛେନାପୋଡର ମାନକୁ ଦେଖି ତାର ଦରଦାମ ରହିଛି । କିଲୋ ପିଛା ୧୦୦ରୁ ୨୫୦ ଟଙ୍କା ଯାଏ ଛେନାପୋଡ ବିକ୍ରି କରାଯାଏ । ଓଡିଶାବାସୀଙ୍କ ଗର୍ବ ଓ ଗୌରବ ପାଲଟିଥିବା ଛେନାପୋଡକୁ ଜିଆଇ ଟ୍ୟାଗ ପାଇଁ ଦାବି ହୋଇ ଆସୁଛି । ଛେନାପୋଡ଼ ଓଡ଼ିଆଙ୍କ ପ୍ରିୟ ମିଷ୍ଟାନ୍ନ ହୋଇଥିବା ବେଳେ ଏହାକୁଜିଆଇ ଟ୍ୟାଗ ମିଳିଲେ ଏହା ପ୍ରତିଟି ଓଡିଆଙ୍କ ପାଇଁ ଗର୍ବର ବିଷୟ ହେବ ।