ଦେଶର ୩୦ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୨୯ ଜଣ କୋଟିପତି, ଜଗନ୍ ସବୁଠୁ ଧନୀ | News Room Odisha

ଦେଶର ୩୦ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୨୯ ଜଣ କୋଟିପତି, ଜଗନ୍ ସବୁଠୁ ଧନୀ

ନୂଆଦିଲ୍ଲୀ:ଦେଶର ୩୦ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୨୯ ଜଣ ହେଉଛନ୍ତି କୋଟିପତି। ଏଥିମଧ୍ୟରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ସବୁଠୁ ଧନୀ । ଜଗନଙ୍କ ସର୍ବାଧିକ ୫୧୦ କୋଟିର ସମ୍ପତ୍ତି ରହିଛି । ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ରିପୋର୍ଟରେ ଏହି ତଥ୍ୟ ପ୍ରଦାନ କରାଯାଇଛି ।

ଏଡିଆର ରିପୋର୍ଟ ଅନୁଯାୟୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ । ମମତାଙ୍କ ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ଥିବାବେଳେ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଏକ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି।

ଏଡିଆର ଏବଂ ଇଲେକ୍ସନ ଓ୍ବାଚ୍ ସୂଚନା ଅନୁଯାୟୀ, ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ସତ୍ୟପାଠରେ ପ୍ରଦତ୍ତ ତଥ୍ୟ ବିଶ୍ଳେଷଣ କରିବା ପରେ ସେମାନେ ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି। ଏଥିରେ ୨୮ଟି ରାଜ୍ୟ ସହ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ – ଦିଲ୍ଲୀ ଏବଂ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ |

ଦେଶର ୩୦ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୨୯ ଜଣ (୯୭ ପ୍ରତିଶତ) ହେଉଛନ୍ତି କୋଟିପତି । ସେମାନଙ୍କର ହାରାହାରି ସମ୍ପତ୍ତି ହେଉଛି ୩୩.୯୬ କୋଟି ଟଙ୍କା।

ଏଡିଆର ରିପୋର୍ଟ ଅନୁଯାୟୀ, ୧୩ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ ଭଳି ଗୁରୁତର ଅପରାଧିକ ମାମଲା ରହିଛି।

ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ସର୍ବାଧିକ ୫୧୦ କୋଟି ଟଙ୍କା ସମ୍ପତ୍ତି ରହିଥିବା ବେଳେ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ୧୬୩ କୋଟି ସମ୍ପତ୍ତି ରହିଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ସ୍ଥାନରେ ଅଛନ୍ତି । ଏଡିଆର ରିପୋର୍ଟ ଅନୁଯାୟୀ ନବୀନଙ୍କ ପାଖର ୬୩ କୋଟି ଟଙ୍କାର ସମ୍ପତ୍ତି ରହିଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମ୍ପତ୍ତି ୩ କୋଟିରୁ ଅଧିକ।