ତିନିଦିନିଆ ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ଉଦଘାଟିତ, ବାଚସ୍ପତି କହିଲେ, ବିଭିନ୍ନ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି କରିଛି ଭୁବନେଶ୍ୱର | News Room Odisha

ତିନିଦିନିଆ ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ଉଦଘାଟିତ, ବାଚସ୍ପତି କହିଲେ, ବିଭିନ୍ନ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି କରିଛି ଭୁବନେଶ୍ୱର

ଭୁବନେଶ୍ୱର: ୧୯୪୮ ମସିହାରେ ମାତ୍ର ୧୫ ହଜାର ଜନସଂଖ୍ୟାକୁ ଆଖି ଆଗରେ ରଖି ଯେଉଁ ରାଜଧାନୀ ଭୁବନେଶ୍ଵର ପ୍ରତିଷ୍ଠା ହୋଇଥିଲା ଆଜି ତା’ର ଜନସଂଖ୍ୟା ୧୫ ଲକ୍ଷରେ ପହଞ୍ଚିଲାଣି । ଆଜି ଭୁବନେଶ୍ଵର ଭାରତବର୍ଷର ଶ୍ରେଷ୍ଠ ସହର ମଧ୍ୟରେ ପରିଗଣିତ ହେବା ସହ ସମଗ୍ର ବିଶ୍ଵରେ ନିଜର ପରିଚିତି ସୃଷ୍ଟି କରିପାରିଛି ବୋଲି ଆଜି ସକାଳେ ଭୁବନେଶ୍ଵରସ୍ଥିତ ପିଏମ୍‌ଜି ଛକଠାରେ ଆୟୋଜିତ ତିନିଦିନିଆ ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ – ୨୦୨୩ର ଉଦ୍‌ଘାଟନୀ ଉତ୍ସବରେ ଅତିଥିମାନେ ଉଲ୍ଲେଖ କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମ , ସୂଚନା ଓ ଲୋକସଂପର୍କ ବିଭାଗ , ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ , ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ସମ୍ମିଳିତ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରି କହିଥିଲେ ଯେ ଆମ ରାଜଧାନୀ ଭୁବନେଶ୍ଵର ଆଜି ଶିକ୍ଷା , ସ୍ୱାସ୍ଥ୍ୟ , ସଂସ୍କୃତି , କ୍ରୀଡ଼ା , ପର୍ଯ୍ୟଟନ , ଭିତ୍ତିଭୂମି ଉନ୍ନୟନ ଆଦି ସମସ୍ତ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି କରି ସମଗ୍ର ଦେଶରେ ଆଗୁଆ ଅଛି । ୨୦୧୬ ମସିହାରେ ଆମ ଭୁବନେଶ୍ଵରକୁ ଦେଶର ସ୍ମାର୍ଟ ବଛାଯିବା ଆମ ସମସ୍ତଙ୍କ ପାଇଁ ଭାବେ ସହର ଗର୍ବ ଓ ଗୌରବର ବିଷୟ । ଆଗାମୀ ସହଯୋଗରେ ଆମ ଭୁବନେଶ୍ଵର ସହରକୁ ଆହୁରି ସମୃଦ୍ଧ ଏବଂ ପ୍ରଗତିଶୀଳ କରିବା ପାଇଁ ବାଚସ୍ପତି ଶ୍ରୀ ଆରୁଖ ଆହ୍ଵାନ ଦେଇଥିଲେ । ଦିନରେ ସମସ୍ତଙ୍କର ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ , ପଞ୍ଚାୟତିରାଜ ଓ ପାନୀୟ ଜଳ , ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଭୁବନେଶ୍ଵର ପ୍ରତିଷ୍ଠା ପାଇଁ ଉତ୍କଳକେଶରୀ ଡ . ହରେକୃଷ୍ଣ ମହତାବ , ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ଏବଂ ଅନ୍ୟ ବରପୁତ୍ରମାନଙ୍କ ଯୋଗଦାନକୁ ସ୍ମରଣ କରି ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଭୁବନେଶ୍ଵର ଆଜି ରାଜ୍ୟର ଜନସାଧାରଣଙ୍କୁ ସମସ୍ତ କ୍ଷେତ୍ରରେ ସହଯୋଗ କରିପାରୁଛି ବୋଲି ମତ ରଖୁଥିଲେ । ଉତ୍ସବରେ ରାଜ୍ୟ ସାମାଜିକ ସୁରକ୍ଷା , ଭିନ୍ନକ୍ଷମ ସଶକ୍ତିକରଣ , ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ କହିଥିଲେ ଯେ ଏକ ଐତିହାସିକ ପୃଷ୍ଠଭୂମି ଉପରେ ରାଜଧାନୀ ଭୁବନେଶ୍ୱର ଗଢ଼ା ହୋଇଛି । ପ୍ରତ୍ୟେକ ବ୍ୟକ୍ତିଙ୍କର ଭୁବନେଶ୍ଵରର ବିକାଶ ପ୍ରତି ଅବଦାନ ରହିଛି । ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ୩୫ ବର୍ଷ ପୂର୍ବେ ମାତ୍ର ହାତଗଣତି କିଛି ଜଣଙ୍କ ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ରାଜଧାନୀ ପ୍ରତିଷ୍ଠା ଦିବସ ଆଜି ରାଜ୍ୟ ସରକାରଙ୍କ ସହଯୋଗରେ ଏକ ମହାଦ୍ରୁମରେ ପରିଣତ ହୋଇଛି । ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ ତାଙ୍କ ବକ୍ତବ୍ୟରେ ସମସ୍ତଙ୍କ ସହଯୋଗରେ ଭୁବନେଶ୍ଵରର ବିକାଶ ତ୍ଵରାନ୍ଵିତ ହେଉଛି ଏବଂ ବ୍ୟାପକ ବୃକ୍ଷରୋପଣ ଜରିଆରେ ଭୁବନେଶ୍ଵରକୁ ଏକ ସୁନ୍ଦର ସହରରେ ପରିଣତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଭୁବନେଶ୍ଵର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ଭୁବନେଶ୍ଵର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ସମସ୍ତଙ୍କ ମିଳିତ ଉଦ୍ୟମରେ ରାଜଧାନୀ ଭୁବନେଶ୍ଵରର ଅଧିକ ବିକାଶ ଘଟିବ ବୋଲି ଆଶାବ୍ୟକ୍ତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଅତିଥି ଭାବେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା , ଉନ୍ନୟନ କମିଶନର ଅନୁ ଗର୍ଗ , ପୋଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଏବଂ ଖୋର୍ଦ୍ଧା ଜିଲ୍ଲାପାଳ କେ . ସୁଦର୍ଶନ ଚକ୍ରବର୍ତ୍ତୀ ଯୋଗଦେଇଥିଲେ । ଉତ୍ସବରେ ଭୁବନେଶ୍ଵର ମହାନଗର ନିଗମର ମେୟର ସୁଲୋଚନା ଦାସ ସ୍ଵାଗତ ଭାଷଣ ଦେଇଥିବାବେଳେ ଭୁବନେଶ୍ୱର ମହାନଗର ନିଗମର କମିଶନର ବିଜୟ ଅମୃତା କୁଲାଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ । ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ଉପାଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଏବଂ ସାଧାରଣ ସଂପାଦକ ସନତ ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ରାଜଧାନୀ ପ୍ରତିଷ୍ଠା ଦିବସରେ ଅନୁଷ୍ଠିତ ବେସାମରିକ ପ୍ୟାରେଡ୍‌ରେ ଭୁବନେଶ୍ଵରର ୧୮ଟି ସରକାରୀ ଓ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଓଏସ୍ଏପି ସପ୍ତମ ବାଟାଲିୟନ୍‌ର ବ୍ୟାଣ୍ଡଦଳ , ସିଆର୍‌ପିଏଫ୍ ବ୍ୟାଣ୍ଡ , ସୈନିକ ସ୍କୁଲ ବ୍ୟାଣ୍ଡ , ଓଡ଼ିଶା ସ୍କେଟିଙ୍ଗ ଏକାଡେମୀ ଏବଂ ମହର୍ଷି କଲେଜର ଡେୟାରଡେଭିଲ୍ସ ଟିମ୍‌ର ପିଲାମାନେ ଯୋଗଦେଇଥିଲେ । ଏହି ପ୍ୟାରେଡ୍‌କୁ ସୁଷମା ମହାନ୍ତି ପରିଚାଳନା କରିଥିଲେ ।