୭୫ତମ ପ୍ରତିଷ୍ଠା ଦିବସରେ ଭୁବନେଶ୍ୱରର ଗୈାରବମୟ ଅତୀତ ଓ ବର୍ତ୍ତମାନକୁ ନେଇ ଫଟୋଚିତ୍ର ପ୍ରଦର୍ଶନୀ | News Room Odisha

୭୫ତମ ପ୍ରତିଷ୍ଠା ଦିବସରେ ଭୁବନେଶ୍ୱରର ଗୈାରବମୟ ଅତୀତ ଓ ବର୍ତ୍ତମାନକୁ ନେଇ ଫଟୋଚିତ୍ର ପ୍ରଦର୍ଶନୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ଵରର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସ୍ଵତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ଗୌରବମୟ ଅତୀତ ଓ ବର୍ତ୍ତମାନକୁ ଏକତ୍ରିତ କରି ଭୁବନେଶ୍ଵରର ପ୍ରାଚୀନ ଐତିହ୍ୟ , ପ୍ରତିଷ୍ଠା , କ୍ରମବିକାଶ ଓ ସମୃଦ୍ଧିର ବାର୍ତ୍ତାବହନ କରିଛି । ମନ୍ଦିରମାଳିନୀ ଭୁବନେଶ୍ୱର ଆଜି ଭାରତର ଏକ ଅତ୍ୟାଧୁନିକ ସହରରେ ପରିଣତ ହୋଇଛି । ଦୀର୍ଘ ୭୫ ବର୍ଷର ଇତିହାସକୁ ଏହି ପ୍ରଦର୍ଶନୀରେ ଯେଉଁଭଳି ସାବଲୀଳ ଢଙ୍ଗରେ ସ୍ଥାନିତ କରାଯାଇଛି ତାହା ବାସ୍ତବରେ ପ୍ରଶଂସନୀୟ ବୋଲି ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ପ୍ରକାଶ କରିଛନ୍ତି ।

ଆଜି ପୂର୍ବାହ୍ନରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ସ୍ଵତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀକୁ ଜଙ୍ଗଲ , ପରିବେଶ ଓ ଜଳବାୟୁ ପରବର୍ଜନ , ପଞ୍ଚାୟତିରାଜ ଓ ପାନୀୟ ଜଳ , ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅମାତ ଉଦ୍‌ଘାଟନ କରିବା ସହ ଏହାକୁ ବୁଲି ଦେଖୁଥିଲେ । ଉଦ୍‌ଘାଟନ ସମୟରେ ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ , ନିର୍ଦ୍ଦେଶକ ( ବୈଷୟିକ ) ସୁରେନ୍ଦ୍ରନାଥ ପରିଡ଼ା , ଉତ୍କଳ ପ୍ରସଙ୍ଗର ସଂପାଦିକା କସ୍ତୁରୀ ମହାପାତ୍ର , ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର କର୍ମକର୍ତ୍ତାଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଯୁଗ୍ମ ନିର୍ଦ୍ଦେଶକ ସୂର୍ଯ୍ୟରଞ୍ଜନ ମହାନ୍ତି ଫଟୋଚିତ୍ରଗୁଡ଼ିକ ସମ୍ବନ୍ଧରେ ଅତିଥିମାନଙ୍କୁ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।

ସୂଚନା ଯୋଗ୍ୟ ଯେ ଏହି ସ୍ୱତନ୍ତ୍ର ଓ ସୁନ୍ଦର ପ୍ରଦର୍ଶନୀଟି ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ ଘଟିକାରୁ ରାତି ୯ ଘଟିକା ଯାଏଁ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ।